ନିଆଁ ଲିଭା ବେଳେ ପାଣିରେ ବୁଡ଼ି ଯୁବକ ମୃତ
ଗାଁରେ ଉତ୍ତେଜନା, ଶବ ରଖି ରାସ୍ତାରୋକ

ପୁରୀ : ଗତ ରାତିରେ ଚନ୍ଦନପୁର ଥାନା ଅନ୍ତର୍ଗତ ଆରୋଳ ଗ୍ରାମରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଗ୍ରାମର ରବୀନ୍ଦ୍ର ଜେନାଙ୍କ ଚାରି ବଖରା ସହ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନ, ବୈକୁଣ୍ଠ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ଜେନାଙ୍କର ଘର ପୋଡ଼ି ଯାଇଛି। ଅନ୍ୟପକ୍ଷରେ ଏହି ନିଆଁ ଲିଭାଇବା ପାଇଁ ଗାଡ଼ିଆରୁ ପାଣି ଆଣୁଥିବା ବେଳେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ଜଣେ ଯୁବକ ପ୍ରେମ ବ୍ୟାପାରରେ ବିଫଳ ହୋଇ ଏହି ଅଭାବନୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଜନତା ମୃତ ଯୁବକଙ୍କ ଶବ ରଖି ନୂଆ ଜଗନ୍ନାଥ ସଡ଼କର ରୁଆ ଛକରେ ରାସ୍ତାରୋକ କରିଥିଲେ। ପୁଲିସ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିବା ପ୍ରକାଶ।

Advertisment

ଅଭିଯୋଗ ଅନୁଯାୟୀ ତଳଜଙ୍ଗର ବାୟା ଓରଫ ପ୍ରଫୁଲ୍ଲ ପ୍ରଧାନ(୩୨) ରବୀନ୍ଦ୍ରଙ୍କ ଝିଅଙ୍କୁ ଏକତରଫା ପ୍ରେମ କରିବା ସହିତ ତାଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କାର୍ଯ୍ୟରେ ନିୟୋଜିତ କରୁଥିଲା। ତେବେ ପ୍ରଫୁଲ୍ଲଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ରବୀନ୍ଦ୍ରଙ୍କ ଘରେ ନିଆଁ ଲଗାଇ ଦେବାକୁ ଧମକ ଦେଉଥିଲା। ଦୁଇ ଦିନ ପୂର୍ବେ ପ୍ରଫୁଲ୍ଲ ବିରୋଧରେ ରବୀନ୍ଦ୍ରଙ୍କ ଝିଅ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଫଳ ସ୍ୱରୂପ ଗତକାଲି ମଧ୍ୟରାତ୍ରିରେ ସେ ଆରୋଳ ଗ୍ରାମକୁ ଆସି ରବୀନ୍ଦ୍ରଙ୍କ ଘରେ ନିଅାଁ ଲଗାଇ ଦେଇଥିଲା। ଏନେଇ ଚନ୍ଦନପୁର ଥାନାକୁ ସମ୍ପୃକ୍ତ ଯୁବତୀଜଣକ ଫୋନ କରିବାରେ ଗାଡ଼ି ନାହିଁ ତେଣୁ ଗାଁକୁ ଯାଇପାରିବୁ ନାହିଁ ବୋଲି କହି ପୁଲିସ ଚୁପଚାପ୍‌ ଶୋଇଯାଇଥିଲା। ଏପଟେ ଗ୍ରାମବାସୀମାନେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ।

publive-image

ଖବର ପାଇ ଦମକଳ ବାହିନୀର ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗ୍ରାମବାସୀମାନେ ନିକଟରେ ଥିବା ଏକ ଗାଡ଼ିଆରୁ ପାଣି ପକାଇ ନିଅାଁକୁ ଲିଭାଇ ଦେଇଥିଲେ। ଏହି ସମୟରେ ଗାଡ଼ିଆରେ ରହି ମୋଟର ଲଗାଇ ପାଣି ଉଠାଉଥିବା ନବକିଶୋର ପ୍ରଧାନ(୨୨) ପାଣିରେ ବୁଡ଼ି ଯାଇଥିଲେ। ରାତି ପ୍ରାୟ ଦୁଇଟା ବେଳକୁ ନିଆଁ ଲିଭାଯିବା ପରେ ନବଙ୍କୁ ଖୋଜା ପଡ଼ିଥିଲା। ନିଆଁ ଲିଭାଉଥିବା ବେଳେ ନବ ଗାଡ଼ିଆରେ ଥିବାରୁ ସେ ଏହି ଗାଡ଼ିଆରେ ବୁଡ଼ିଯାଇଥିବା ସନ୍ଦେହ କରାଯାଇଥିଲା। ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଆଗ୍ନିକମାନେ ରାତି ପ୍ରାୟ ତିନିଟା ବେଳକୁ ନବଙ୍କ ଶବକୁ ଗାଡ଼ିଆ ଭିତରୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ନବଙ୍କ ଶବ ସହ ଚନ୍ଦନପୁର ଓ ରାମେଶ୍ୱରକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କର ରୁଆ ଛକଠାରେ ପୂର୍ବାହ୍ନ ଛଅଟାରେ ରାସ୍ତାରୋକ କରିଥିଲେ। ଅଗ୍ନିକାଣ୍ଡର କ୍ଷତିଗ୍ରସ୍ତ ତଥା ମୃତ ଯୁବକଙ୍କ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ସହ ଚନ୍ଦନପୁର ଥାନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମବାସୀମାନେ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ କରିଥିଲେ।