ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ : ପୋଡ଼ି ହୋଇ ୨ ଭଉଣୀ ମୃତ, ବାପା, ମା’ ଓ ପୁଅ ଆହତ

ଫୁଲବାଣୀ : ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ଜୀବନ ଗଲା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଲାପଡା ପଞ୍ଚାୟତ ଗେରୁପଡା ଗାଁରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ମାନେ ହେଲେ ଅରୁଣ ବେହେରାଙ୍କ ଦୁଇ ଝିଅ ରମ୍ଭା (୧୬) ଓ ସାନ ଝିଅ କ୍ରିଷ୍ଣା (୧୩)। ଏଥିରେ ନିଜେ ଅରୁଣ ଓ ତାଙ୍କ ପତ୍ନୀ ଏବଂ ୫ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି।

ଗତକାଲି ରାତିରେ ଅରୁଣ, ପତ୍ନୀ ବାଲମତି ଓ ପୁଅ ରୁଦ୍ର ଗୋଟିଏ କୋଠରିରେ ଓ ଦୁଇ ଝିଅ ରମ୍ଭା ଓ କ୍ରିଷ୍ଣା ଅନ୍ୟ ଏକ କୋଠରିରେ ଶୋଇଥିଲେ। ତେବେ ଦୁଇ ଭଉଣୀ ଶୋଇଥିବା କୋଠରିରେ ହଠାତ ସର୍ଟସର୍କିଟ୍ ହୋଇ ନିଆଁ ବାହାରିବା ପରେ କିରାସିନି ଜାର୍ ଏହାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ରମ୍ଭା ଓ କ୍ରିଷ୍ଣା ପୋଡ଼ି ହୋଇଯାଇଥିଲେ। ଚିତ୍କାର ଶୁଣି ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଅରୁଣ, ବାଲମତି ଓ ରୁଦ୍ର ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କ୍ରିଷ୍ଣାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ରମ୍ଭାକୁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର