ମୟୂରଭଂଜରେ ନିଆଁ ଲଗାଇଲା ଝାଡ଼ଖଣ୍ଡି ହାତୀ, ପୋଡ଼ିଗଲା ଘର

ବାରିପଦା: ହାତୀକୁ ବହୁତ ଚାଲାକ ଓ ବୁଦ୍ଧିମାନ ପ୍ରାଣୀ ବୋଲି କୁହାଯାଏ। ତେବେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ହାତୀ ରାତିଅଧରେ ଜଣଙ୍କ ଘରେ ନିଆଁ ଲଗାଇବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ସୂଚନା ମୁତାବକ, ଝାଡ଼ଖଣ୍ଡ ପଟୁ ପଳାଇ ଆସିଥିବା ୩ଟି ହାତୀ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ବଡାମପୁର ଅଞ୍ଚଳରେ ଗତ କିଛି ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ସେଥିମଧ୍ୟରୁ ଗୋଟିଏ ଦନ୍ତାହାତୀ ଗତକାଲି ମଧ୍ୟରାତ୍ରିରେ ଫାଲଝରୀ ଗାଁରେ ପଶିଥିଲା। ଧାନଚାଉଳ ବାସ୍ନାରେ ଗ୍ରାମର ସୁରେନ୍ଦ୍ର ମୁର୍ମୁଙ୍କ ଘର ପିଣ୍ଡାକୁ ଶୁଣ୍ଢ ବଢ଼ାଇଥିଲା ଦନ୍ତା। ତେବେ ଘର ପିଣ୍ଡାରେ ଥିବା ଚୁଲିରେ ଅଙ୍ଗାର ନିଆଁ ଥିବାରୁ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥିଲା।

ଚୁଲି ନିଆଁ ଲିଭାଇବା ପାଇଁ ଦନ୍ତା ଘର ଚାଳକୁ ଓଲାରି ଚୁଲିକୁ ଢାଙ୍କିବାକୁ ଚେଷ୍ଟା କରିଥିଲା। ହେଲେ ତାହା ବୁମେରାଂ ହୋଇଥିଲା। ଚୁଲିରେ ନଡ଼ା ପଡ଼ିବା ପରେ ନିଆଁ ଉଠି ଛପରକୁ ଧରିବା ସହ ନିମିଷକେ ମଧ୍ୟରେ ଘରଟି ହୁ ହୁ ହୋଇ ଜଳି ଉଠିଥିଲା। ତେବେ ସୁରେନ୍ଦ୍ରଙ୍କ ପରିବାର ଲୋକେ କୌଣସିପ୍ରକାର ଜୀବନ ବଞ୍ଚାଇ ଘରୁ ବାହାରି ଆସିଥିଲେ। ସେପଟେ ନିଆଁ ଓ ଗ୍ରାମବାସୀଙ୍କ ପାଟିତୁଣ୍ଡ ଯୋଗୁଁ ଦନ୍ତା ରାଗିଯାଇ ଗାଁରେ ଧାଁଧପଡ଼ କରିଥିଲା। ପରେ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ଓ ବିଭାଗୀୟ କର୍ମଚାରୀ ଗାଁ’କୁ ଆସି ଦନ୍ତାକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇଥିଲେ। ଖବର ପାଇ ଦମକଳ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ସୁରେନ୍ଦ୍ରଙ୍କ ଘରଟି ସେତେବେଳକୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର