ଆଜି ରେଳମନ୍ତ୍ରୀଙ୍କୁ ଭେଟିବ ଗୃହ କମିଟି

କମିଟି ସହିତ ଓଡ଼ିଶାର ଲୋକସଭା ସାଂସଦମାନେ ବି ରେଳମନ୍ତ୍ରୀଙ୍କୁ ଭେଟିବେ

ଅସନ୍ତୁଷ୍ଟ ହୋଇ ବୈଠକ ଅଧାରୁ ଚାଲିଗଲେ ବିଜେପି ସଦସ୍ୟ ମୋହନ ମାଝୀ
ଦିଲ୍ଲୀ ଯିବାକୁ ମନା କଲେ ବିଜେପି ସଦସ୍ୟ

ଭୁବନେଶ୍ବର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ କେନ୍ଦ୍ର ରେଳ ବଜେଟ୍‌ରେ ଓଡ଼ିଶା ପ୍ରତି ବ୍ୟୟବରାଦ କମାଇ ଦିଆଯାଇଛି। ରାଜ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ବାବଦରେ ଆବଶ୍ୟକତା ଠାରୁ କମ୍‌ ଦିଆଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ନୂତନ ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିନାହାନ୍ତି। ବିଧାସନଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେଳବାଇ ସଂକ୍ରାନ୍ତ ଗୃହ କମିଟି ବୈଠକରେ ଆଜି ସବୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ଆସନ୍ତାକାଲି ନୂଆଦିଲ୍ଲୀ ସ୍ଥିତ ରେଳଭବନରେ ସନ୍ଧ୍ୟାବେଳେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି କମିଟି ଏକ ସାନି ଦାବି ପତ୍ର ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଆସନ୍ତାକାଲି ବିରୋଧୀ ଦଳ ନେତାଙ୍କ ସମେତ କମିଟିରେ ଥିବା କୌଣସି ବି ବିଜେପି ସଦସ୍ୟ ଦିଲ୍ଲୀ ଯିବେନି ବୋଲି ନିଷ୍ପତ୍ତି ନେଇଛନ୍ତି।

ବୈଠକ ସମ୍ପର୍କରେ ସୂଚନା ଦେଇ ଗୃହ କମିଟି ଅଧ୍ୟକ୍ଷ ତଥା ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ଆସନ୍ତାକାଲି କମିଟିର ସମସ୍ତ ସଦସ୍ୟ ଓ ଓଡ଼ିଶାର ଲୋକସଭା ସାଂସଦମାନେ ବି ଦିଲ୍ଲୀରେ ଏକାଠି ହୋଇ ରେଳମନ୍ତ୍ରୀଙ୍କୁ ଭେଟିବେ। ଯେହେତୁ ରେଳ ବଜେଟ୍‌ ସଂସଦରେ ପାରିତ ହୋଇନାହିଁ ସେଥିପାଇଁ ଗୃହ କମିଟି ପକ୍ଷରୁ ଏକ ଦାବି ପତ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ସଦସ୍ୟ ମୋହନ ଚରଣ ମାଝୀ ବୈଠକ ଅଧାରୁ ଉଠି ଆସି ଅଭିଯୋଗ କରିଥିଲେ, ରଳ ସମନ୍ବୟ ପାଇଁ ବୈଠକରେ ଉପସ୍ଥିତ ଥିବା ଅଧିକାରୀ ତାଙ୍କ ପ୍ରଶ୍ନର ଉତ୍ତର ଦେଲେନି ଓ କହିଲେ ଅଧ୍ୟକ୍ଷ ତାଙ୍କୁ ଡାକିଛନ୍ତି ସେ କେବଳ ତାଙ୍କୁ ହି ଉତ୍ତର ରଖିବେ। ଶ୍ରୀ ମାଝୀ କହିଥିଲେ, ଚଳିତ ବର୍ଷ ରେଳ ବଜେଟ୍‌ରେ ଓଡ଼ିଶାକୁ କମ୍‌ ବ୍ୟୟ ବରାଦ ହୋଇଛି। କିନ୍ତୁ ଗତ ଆର୍ଥିକ ବର୍ଷରେ ମିଳିଥିବା ଅର୍ଥରୁ ମାତ୍ର ୬୨% ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିଛନ୍ତି। ୟୁପିଏ ସରକାରଙ୍କ ୧୦ ବର୍ଷ ଭିତରେ ଓଡ଼ିଶାକୁ ମାତ୍ର ୪ ହଜାର ୨୩୨ କୋଟି ଟଙ୍କା ମିଳିଥିଲା। କିନ୍ତୁ ଏନ୍‌ଡିଏର ଗତ ୬ ବର୍ଷ ଭିତରେ ରାଜ୍ୟରେ ରେଳବାଇର ବିକାଶ ପାଇଁ ୨୯ ହଜାର ୧୧୨ କୋଟି ଟଙ୍କା ମିଳିଛି। ନବରଙ୍ଗପୁର-ଜୟପୁର, ଜୟପୁର ମାଲକାନଗିରି ପ୍ରକଳ୍ପ ପାଇଁ ରେଳ ବିଭାଗ ବ୍ୟୟବରାଦ କରିଥିଲେ ବି ଏ ଯାଏ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିନାହାନ୍ତି। ଫଳରେ ମୋଦୀ ସରକାରଙ୍କ ସମୟରେ ରାଜ୍ୟକୁ ଅଧିକ ଅର୍ଥ ମିଳିଥିଲେ ବି ଆର୍ଥିକ ବର୍ଷ ଶେଷରେ ଟଙ୍କା ଫେରିଯାଉଛି। ଏହାର ଜବାବ ମାଗିଲେ ଅଧିକାରୀ ଦେଲେନାହିଁ। ଏଥିପାଇଁ ସେ ଆସନ୍ତାକାଲି ରେଳମନ୍ତ୍ରୀଙ୍କୁ ଭେଟିବାକୁ କମିଟିର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ୟୁପିଏ ସରକାର ସମୟରେ ଯେତିକି ଘୋଷଣା ହେଉଥିଲା ସେତିକି ଅର୍ଥ ରାଜ୍ୟକୁ ମିଳୁଥିଲା ଓ ଖର୍ଚ୍ଚ ବି ହେଉଥିଲା। କିନ୍ତୁ ଏନ୍‌ଡିଏ ସରକାର ସମୟରେ ବଜେଟ୍‌ରେ ଘୋଷିତ ଅର୍ଥ ମିଳୁନାହିଁ। ଏହିକଥା ସ୍ବତନ୍ତ୍ର ଶାସନ ସଚିବ କହିବାରୁ ବିଜେପି ସଦସ୍ୟ ଶ୍ରୀ ମାଝୀଙ୍କୁ ବାଧିଲା। ସେଥିପାଇଁ ସେ ବୈଠକ ଅଧାରୁ ଛାଡ଼ି ଚାଲିଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୟ କରି ବିଜେପି ସଦସ୍ୟମାନେ ଦିଲ୍ଲୀ ଯିବାକୁ ସାହସ କରୁନଥିବେ ବୋଲି ଶ୍ରୀ ବାହିନୀପତି ମତ ରଖିଥିଲେ। କମିଟିର ଅନ୍ୟ ସଦସ୍ୟ ତଥା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ୨୦୧୯ ଜାନୁଆରିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବଲାଙ୍ଗୀରଠାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବଲାଙ୍ଗୀର ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ୧୭୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳଲାଇନ୍‌ର ଶୁଭ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ବପ୍ନର ପ୍ରକଳ୍ପକୁ ଦୁଇବର୍ଷ ଭିତରେ ସମ୍ପୂର୍ଣ୍ଣ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଗୋଟିଏ ବର୍ଷ ଭିତରେ ମାତ୍ର ୧୮.୯ କିଲୋମିଟର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଛି। ଏଥରକ ବଜେଟ୍‌ରେ ଏହି ରେଳ ପ୍ରକଳ୍ପ ପାଇଁ ମାତ୍ର ୫୨୦ କୋଟି ଟଙ୍କା ଦିଆଯାଇଛି। ଯାହାକି ପର୍ଯ୍ୟାପ୍ତ ନୁହେଁ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୧୫୦୦ କୋଟି ଟଙ୍କାର ଦରକାର। ଆସନ୍ତାକାଲି ରେଳମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ଦାବି କରାଯିବ। କଂଗ୍ରେସ ସଦସ୍ୟମାନେ କମିଟି ସହିତ ସାମିଲ ହେବେ ବୋଲି ଶ୍ରୀ ସାଲୁଜା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର