ଘରଭଙ୍ଗା ସହାୟତା ଭେଳିକି : ଦୁର୍ଦ୍ଦଶାରେ ୩ ଲକ୍ଷ ପରିବାର, କଲବଲ କଲାଣି ବର୍ଷା

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଯୋଗୁ ପୁରୀ ଜିଲ୍ଲାରେ ଘରଦ୍ୱାରଠୁ ଆରମ୍ଭ କରି ଗଛପତ୍ର, ଚାଷଜମି ସବୁ କିଛି ଛାରଖାର୍‌ ହୋଇଗଲା। ବାତ୍ୟାର ଶକ୍ତ ପ୍ରହାରରେ ବହୁ ଆଜବେଷ୍ଟସ୍‌, ଚାଳଛପର, କଚ୍ଚା ଘର ମାଟିରେ ଶୋଇ ଯାଇଥିବା ବେଳେ ଛାତ ଘର ବି କ୍ଷତିଗ୍ରସ୍ତ ହୋଇଛି। ଘର ଭାଙ୍ଗି ଯାଇଥିବାରୁ ଏବେ ଖୋଲା ଆକାଶ ତଳେ ରହୁଛନ୍ତି ବିପନ୍ନ। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଘରଦ୍ୱାର ମରାମତି କରିଛନ୍ତି। କିନ୍ତୁ ଅର୍ଧାଧିକ କ୍ଷତିଗ୍ରସ୍ତ ଏବେ ବି ପାଲ ତଳେ ଜୀବନ କାଟୁଛନ୍ତି। ସେପଟେ ସରକାରଙ୍କ ଘରଭଙ୍ଗା ସହାୟତାକୁ ଅପେକ୍ଷା କରି ଦେଢ଼ ମାସ ବିତିଲାଣି, କିନ୍ତୁ ଆଜି ଯାଏ ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚି ପାରିନାହିଁ। ଫଳରେ ଖରାବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ ପରିବାର।

ଜିଲ୍ଲା ପ୍ରଶାସନ ନିଜେ କ୍ଷୟକ୍ଷତି ଆକଳନ ରିପୋର୍ଟରେ ଉଲ୍ଲେଖ କରିଛି, ପୁରୀ ଜିଲ୍ଲାରେ ୨ ଲକ୍ଷ ୭୮ ହଜାର ୭୬୨ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୭୪ଟି ପକ୍କା ଘର ଓ ୮୯୮୫ଟି କଚ୍ଚାଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୬ ହଜାର ୧୨୭ଟି ପକ୍କା ଘର ଓ ୯୮ ହଜାର ୫୮୮ କଚ୍ଚାଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧ ଲକ୍ଷ ୧୩ ହଜାର ୨୮୨ ପକ୍କାଘର, ୪୯ ହଜାର ୫୨୮ କଚ୍ଚାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କଲେ ଏହା ପ୍ରାୟ ୧୧୬୬୯୫.୮୫ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲାପାଳ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ଅବଗତ କରିଛନ୍ତି। ସେହିଭଳି ପ୍ରାୟ ୧ ହଜାର ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭୯୬ ଗାଈମଇଁଷି, ୧୪୦୦ ମେଣ୍ଢା ଛେଳି ମରିଛନ୍ତି। ଜିଲ୍ଲାରେ ୦.୩୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଯାହାର ଆକଳନ ମୂଲ୍ୟ ପ୍ରାୟ ୫୦୦୩.୧୪ଲକ୍ଷ ଟଙ୍କା। ପ୍ରାୟ ୩ ଲକ୍ଷ ପରିବାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ପରିବାର ମୁଣ୍ଡ ଗୁଞ୍ଜୁଥିବା ଘର ବାତ୍ୟାରେ ଛାରଖାର୍‌ ହୋଇଯାଇଛି। ପରିବାର ପିଛା ୫ ଜଣ ଲେଖା ହିସାବ କଲେ ପାଖପାଖି ୧୩ ଲକ୍ଷ ଲୋକ ଏବେ ବି ଦୁର୍ଦ୍ଦଶା ଭିତରେ ରହିଛନ୍ତି।

ପୁରୀ ପୌରାଞ୍ଚଳର ବଳିଆପଣ୍ଡା, ଶ୍ରୀଜଗନ୍ନାଥ ବଲ୍ଲଭ, ପେଣ୍ଠକଟା କଥା ହେଉ କି ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ହେଉ, ସବୁଠି ଲୋକେ ଜରିପାଲ ତଳେ ଆଶ୍ରୟ ନେଇଛନ୍ତି। ଖରା ଅଛି ତ’ କିଛିକାଂଶରେ ରକ୍ଷା ଅଛି। କିନ୍ତୁ ବର୍ଷା ହେଲେ ଏମାନଙ୍କ ଅବସ୍ଥା ବାର୍‌ ବାଜିବା ଥୟ। ଆଜି ପର୍ଯ୍ୟନ୍ତ ବାତ୍ୟା ବିପନ୍ନଙ୍କୁ ଘରଭଙ୍ଗା ସହାୟତା ମିଳିପାରିଲାନି। ଯେଉଁଥି ପାଇଁ ବିପନ୍ନଙ୍କୁ ବାତ୍ୟାର ଦେଢ଼ ମାସ ପରେ ବି କଲବଲ ହେବାକୁ ପଡ଼ୁଛି। ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିରେ ମଶା, ଡାଆଁଶଙ୍କ ଯନ୍ତ୍ରଣା ସହିବାକୁ ପଡ଼ୁଛି। ବିପନ୍ନମାନେ ଯେଉଁ ଜରିପାଲ ପାଇଥିଲେ, ବାତ୍ୟା ପରେ କାଳବୈଶାଖୀ ବର୍ଷା ପବନରେ ସେସବୁ ଚିରି ଫାଟିଯାଇଛି। ଖୋଲା ଆକାଶ ତଳେ ଚିରାଫଟା ପାଲକୁ ଭରସା କରିଛନ୍ତି ବିପନ୍ନ। ରାଜସ୍ବ ବିଭାଗ ଘରଭଙ୍ଗା ସହାୟତା କଥା ବୁଝୁଥିବାବେଳେ ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ କହିଛନ୍ତି, ଘରଭଙ୍ଗା ସହାୟତା ଦେବା ପୂର୍ବରୁ ହିତାଧିକାରୀଙ୍କ ସଂପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ପଡ଼ୁଛି। ଯାହାଫଳରେ ସହାୟତା ଦେବାରେ ବିଳମ୍ବ ହେଉଛି। ତଥାପି ଘରଭଙ୍ଗା ସହାୟତା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ କେତେ ଘରଭଙ୍ଗା ସହାୟତା ମିଳିଛି ସେ ସଂପର୍କରେ ସେ କିଛି ସ୍ପଷ୍ଟ କହିପାରିବେନି ବୋଲି କହିଥିଲେ।

ସମ୍ବନ୍ଧିତ ଖବର