ବାତ୍ୟା ପ୍ରଭାବିତ ଜିଲ୍ଲାରେ ଘର ଡିଜାଇନ୍ ବଦଳିବ

ଜୁଲାଇ ୯ରେ ହେବ ମାନସମନ୍ଥନ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ଯୋଗଦେବେ

ଭୁବନେଶ୍ବର: ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ରାଜ୍ୟ ପାଲଟି ଯାଇଥିବାବେଳେ ନିୟମିତ ବ୍ୟବଧାନରେ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରୁଛି। ଏପରିକି ବହୁ ଘର ଭାଙ୍ଗୁଛି। ଏହାକୁ ନଜରରେ ରଖି ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିଶେଷକରି ଉପକୂଳ ଓଡ଼ିଶାରେ କିପରି ବାତ୍ୟା ପ୍ରତିରୋଧକ ଘର ନିର୍ମାଣ ହେବ ସେନେଇ ମାନସମନ୍ଥନ ହେବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଆରଏଫ୍‌) ପକ୍ଷରୁ ଏନେଇ ନୂଆଦିଲ୍ଲୀରେ ଏକ ବୈଠକ ଡକାଯାଇଛି। ଜୁଲାଇ ୯ରେ ବସିବାକୁ ଥିବା ଏହି ବୈଠକରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞମାନେ ବସି ଏହା ଉପରେ ଆଲୋଚନା କରିବେ। ଏଥିରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏନ୍‌. ଶ୍ରୀନିବାସ ରାଓ, ଆଇଆଇଟି ମାଡ୍ରାସର ପ୍ରଫେସର ସିଭିଆର୍‌ ମୂର୍ତ୍ତି, ଆଇଆଇଟି ବମ୍ବେର ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରବି ସିହ୍ନା, ପିପୁଲ୍‌ ଇନ୍ ସେଣ୍ଟର କନସଲଟିଂ ସର୍ଭିସେସ୍‌ର ନିର୍ଦ୍ଦେଶକ ବିବେକ ରାୱଲ, ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଅଜୟ ଚୌରାସିଆ, ଆଇଆଇଟି ବାଙ୍ଗାଲୋରର ପୂର୍ବତନ ପ୍ରଫେସର କେ.ଏସ୍‌ ଜଗଦୀଶ ପ୍ରମୁଖ ଏହି ବୈଠକରେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଏଥିରେ ଓଡ଼ିଶା ତରଫରୁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ଡିଜାଇନ୍‌) ବିଜୟ କୁମାର ସାହୁ ଯୋଗଦେବେ।

ଏହି ବୈଠକରେ ଓଡ଼ିଶାରେ ବାତ୍ୟା ସମୟରେ ପବନର ବେଗ କେତେ ରହୁଛି, ସାଧାରଣତଃ ବାତ୍ୟା ସମୟରେ ପବନର ବେଗ କେତେ ରହିଥାଏ, କେଉଁ ଦିଗରୁ ପବନ ବହେ, ପବନ ସର୍ବାଧିକ କେତେ ସମୟ ପର୍ଯ୍ୟନ୍ତ ବହିବ, ଘର ପାଇଁ କ’ଣ କ୍ଷତିକାରକ ସାଜୁଛି, କେଉଁ ଡିଜାଇନ୍‌ର ଘର ନିର୍ମାଣ କଲେ ଅଧିକ କ୍ଷତି ହେବନି, ଘର ପାଖରେ କ’ଣ ରହିଲେ/ନରହିଲେ ବ୍ୟାପକ କ୍ଷୟକ୍ଷତି ହେବନି, ହୋଟେଲ, ବିଭିନ୍ନ ପ୍ରତିଷ୍ଠାନ ଏବଂ ସୌଖୀନ ଘରେ କିପରି ବାତ୍ୟା ପ୍ରତିରୋଧକ ଏବଂ ଫ୍ୟାନ୍ସି ସାମଗ୍ରୀ ବ୍ୟବହାର ହୋଇପାରିବ ସେନେଇ ଆଲୋଚନା ହେବ। ବିଶେଷଜ୍ଞମାନେ ଯାହା ମତ ଦେବେ ସେହି ଅନୁଯାୟୀ ବାତ୍ୟା ପ୍ରଭାବିତ ଜିଲ୍ଲା ଏବଂ ଉପକୂଳ ଓଡ଼ିଶାରେ ଘର ନିର୍ମାଣ କରିବାକୁ ସଚେତନତା‌ ସୃଷ୍ଟି କରାଯିବ। ସହରାଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ସବୁ ନିୟମାବଳୀକୁ ପ୍ଲାନ୍ ଅନୁମୋଦନ ସମୟରେ ବାଧ୍ୟତାମୂଳକ କରାଯିବ। ସରକାରୀ ପ୍ରତିଷ୍ଠାନଗୁଡ଼ିକର ଡିଜାଇନ୍ ଏହି ଅନୁଯାୟୀ ବଦଳାଯିବ। ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର