କେନ୍ଦୁଝର : ସୀମାରେ ଦେଶକୁ ସୁରକ୍ଷା ଦିଅନ୍ତି ସିପାହୀ। କିନ୍ତୁ ଏଠି ସାହିତ୍ୟର ସୁରକ୍ଷାରେ ଲାଗିଛନ୍ତି ‘ସିପାହୀ’। କେନ୍ଦୁଝରର ସିପାହୀ ଚନ୍ଦ୍ର ଧାଙ୍ଗଡ଼ଙ୍କ ଜୀବନ ବିତିଗଲାଣି ସାହିତ୍ୟର ସୃଷ୍ଟି ଓ ସୁରକ୍ଷାରେ। ଆନୁଷ୍ଠାନିକ ପାଠପଢ଼ା ନାହିଁ କି କୌଣସି ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶ ପାଇନାହିଁ। ମାତ୍ର ସେ ସାହିତ୍ୟ ରଚନାରୁ ଦିନଟିଏ ବି ବିଶ୍ରାମ ନେଇନାହାନ୍ତି। ବର୍ଷ ବର୍ଷ ଧରି ଲେଖି ଚାଲିଛନ୍ତି। ଲେଖାରେ ଭର୍ତ୍ତି ହୋଇଗଲାଣି ଘର। ଭଙ୍ଗା ଖପର ଘର ଭିତରେ ଭାଡ଼ି ଉପରେ ଗଦା ହେଲାଣି ବସ୍ତା ବସ୍ତା କବିତା। ତଥାପି ନିୟମିତ ଲେଖାଲେଖି ଜାରି ରଖି ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ ସିପାହୀ ପାଲଟିବାକୁ ଦ୍ବିଧା କରନ୍ତି ନାହିଁ ‘ସିପାହୀ’।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗାଁର ସିପାହୀ ଚନ୍ଦ୍ର ଧାଙ୍ଗଡ। ୧୯୩୯ ରେ ତାଙ୍କର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ନାହିଁ। ଗାଁ ଚାଟଶାଳିରେ ଅକ୍ଷର ଚିହ୍ନିଥିଲେ। ପାଠ ସିନା ପଢ଼ି ନାହାନ୍ତି, କିନ୍ତୁ ସାହିତ୍ୟରେ ତାଙ୍କର ପ୍ରବଳ ରୁଚି। ଅତି ଛୋଟ ବୟସରୁ ଲେଖାଲେଖି କରୁଥିବା ସିପାହୀଙ୍କର କିନ୍ତୁ ଲେଖା କେବେ ବି ପ୍ରକାଶ ହୁଏ ନାହିଁ। ମାତ୍ର ଲେଖିବା ନିଶା ଛାଡ଼ି ନାହାନ୍ତି। ଇତିମଧ୍ୟରେ ସେ ହଜାର ହଜାର କବିତା ଲେଖି ସାରିଲେଣି। ହୁଏତ ଗାଁର ଝରଣା, ଜଙ୍ଗଲଠାରୁ ଆରମ୍ଭ କରି ଗାଈଗୋଠ, ଚିଟ୍ଫଣ୍ଡ ଠକେଇ, ସହରୀ ସଭ୍ୟତା, ଦେବଦେବୀଙ୍କ ଉପରେ ହଜାର ହଜାର କବିତା ଲେଖିବା ପରେ ରଖିବାକୁ ଆଉ ଘରେ ଜାଗା ନାହିଁ। ଏବେ ଏହାକୁ ବସ୍ତା ବାନ୍ଧି ଭାଡ଼ି ଉପରେ ସାଇତିଛନ୍ତି। ଜୀବନର ଶେଷଯାଏ ଲେଖାଲେଖି ଜାରି ରଖିବେ ବୋଲି କହିଛନ୍ତି ସିପାହୀ। ତାଙ୍କର ଏହି ଲେଖାଲେଖିକୁ ଦେଖି କେହି କେହି ସ୍ଥାନୀୟ ଲୋକେ ତାଙ୍କୁ କୁହନ୍ତି କେନ୍ଦୁଝରର ହଳଧର ନାଗ। ତାଙ୍କର ତତ୍କାଳ କବିତା ଲେଖା ଶୈଳୀରେ ବି ତାଙ୍କର ପଡ଼ୋଶୀ, ଗାଁ ଲୋକେ ବେଶ୍ ପ୍ରଭାବିତ। ହୁଏତ ଏହି କବିତା ଭିତରେ ସମସ୍ତଙ୍କୁ ଚମତ୍କୃତ କରିଦେବା ଭଳି ଲେଖା ରହିଥାଇପାରେ ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳର ସମାଜସେବୀ ସଞ୍ଜୟ ସାହୁ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଘେରା ନରସିଂହପୁର ଗାଁର ଏହି ସୃଜନମନସ୍କ ବ୍ୟକ୍ତି ଜଣକ ବାସ୍ତବରେ ଓଡ଼ିଆ ସାହିତ୍ୟର ସିପାହୀ ପାଲଟିଛନ୍ତି।