ଭୁବନେଶ୍ବର : କୁହାଯାଏ ଯାହା ମୁଣ୍ଡ ଉପରେ ଛାତ ଅଛି ତା’ର ଅଧା ଚିନ୍ତା ନାହିଁ। ଖାସ୍‌ କରି ସହରାଞ୍ଚଳରେ ଯଦି କାହାର ଘରଟିଏ ଅଛି ତେବେ ତା’ର ଚଳିବାର ବିଶେଷ ଅସୁବିଧା ହେବନି। ଏବେ ଏହି ଘରକୁ ନେଇ ବିଜେପି ଓ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସହରରେ ପ୍ରଚାର ପାଇଁ ବହୁ ପ୍ରସଙ୍ଗ ଥିଲେ ବି ଦଳଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବ୍ରହ୍ମାସ୍ତ୍ର ସାଜିଛି ଏହି ଘର ଯୋଜନା। ବିଜେଡି ଜାଗା ମିସନରେ ଜମି ଓ ଘର ଦେଉଛି ବୋଲି କହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛି ବୋଲି ବିଜେପି କହୁଛି। ଯାହାକୁ ମିଳିନି ସିଏ କ୍ଷମତାକୁ ଆସିଲେ ତୁରନ୍ତ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

Advertisment

ପୌର ନିର୍ବାଚନରେ ଅଧିକାଂଶ ସ୍ଥାନରେ ବିଜେପି-ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ ଦୁଇ ଦଳ ଏବେ ଏହି ପ୍ରସଙ୍ଗକୁ ପ୍ରମୁଖ ବିଷୟ କରିଛନ୍ତି। ବିଶେଷକରି ସହରାଞ୍ଚଳରେ ବାସହରା ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ କିଏ କେତେ ଘର ଯୋଗାଇଛନ୍ତି, କେତେ ଘର ଦେଇପାରିବେ, ଘର ଯୋଗାଣରେ କ’ଣ ଅସୁବିଧା ରହିଛି ସେନେଇ ପ୍ରଚାର କରୁଛନ୍ତି।

ବିଜେଡିର ପ୍ରଚାରରେ ଜାଗା ମିସନ୍‌ରେ ଜମି ଓ ଘର ଯୋଗାଣକୁ ଅଗ୍ରାଧିକାର ଦିଆଯାଉଛି। ଏନ୍‌ଏସି, ମ୍ୟୁନିସପାଲଟି, ମହାନଗର ନିଗମରେ କେଉଁ ଅଞ୍ଚଳରେ କେତେ ଲୋକଙ୍କ ଜମି ଓ ଘର ମିଳିଛି ତାହା ବିଜେଡି ନେତା ପ୍ରଚାର କରୁଛନ୍ତି। କିଛି ସହରାଞ୍ଚଳରେ ଲୋକଙ୍କୁ ଜମି ପଟ୍ଟା ମିଳିଥିବା ବେଳେ ସେଥିରୁ କିଛି ଲୋକଙ୍କୁ ଘର ବି ମିଳିସାରିଲାଣି ତେଣୁ ଏହାକୁ ନେଇ ଦଳୀୟ ନେତା ପ୍ରଚାର କରୁଛନ୍ତି।

publive-image rhodisha.gov.in

ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଆମେ ଜାଗା ମିସନ ଏବଂ ବିଭିନ୍ନ ଯୋଜନାରେ ବାସହରାଙ୍କୁ ୫୦ହଜାରରୁ ଅଧିକ ଲୋକଙ୍କୁ ଘର ଯୋଗାଇଲୁଣି। ସହରାଞ୍ଚଳରେ ଆସନ୍ତା ଦୁଇ ବର୍ଷରେ ସବୁ ବାସହରାଙ୍କୁ ଘର ମିଳିବ। ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ। ‌ତେଣୁ ଏହାକୁ ଆମେ ପ୍ରମୁଖ ପ୍ରସଙ୍ଗ କରିଛୁ। କେବଳ ଏତିକି ନୁହେଁ, ଏବେ ସହରାଞ୍ଚଳରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବହୁ ପ୍ରକଳ୍ପ ହେଉଛି। ବର୍ଷକ ମଧ୍ୟରେ ସବୁ ଘରକୁ ପାଣି ଯୋଗାଣ ହେବ। ୧୧୬ଟି ସହରାଞ୍ଚଳରେ ଇନଡୋର୍ ଷ୍ଟାଡିୟମ ହେଉଛି। ଯାହାକୁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିବେ। ସରକାରୀ ଭତ୍ତାରୁ ଆରମ୍ଭ କରି ରାସନ୍ ପର୍ଯ୍ୟନ୍ତ ସବୁ ସୁବିଧାରେ ମିଳୁଛି। ସବୁ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଲାଗୁଛି। ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ବିଭିନ୍ନ ସ୍ବୟଂସହାୟିକା ଗୋଷ୍ଠୀକୁ ସଶକ୍ତ କରିବାକୁ ଋଣ ଦିଆଯାଉଛି। ଆମେ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଥିବାରୁ ତାହାକୁ ଏବେ ପ୍ରଚାର କରୁଛୁ।

ଅପରପକ୍ଷେ ବିଜେପି ନେତାମାନେ ପ୍ରଚାରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହୁଥିଲେ ହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଶୀଘ୍ର ଘର ମିଳିବ ସେନେଇ ପ୍ରତିଶ୍ରୁତି ଦେଉଛନ୍ତି। ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏବେ ଲୋକଙ୍କୁ ଘର ମିଳିପାରୁନି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଲକ୍ଷ ଲକ୍ଷ ବାସହରା ଥିବାବେଳେ ରାଜ୍ୟ ସରକାର ୧,୮୫,୧୫୨ଜଣଙ୍କୁ ଘର ଦେବାକୁ ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରୁ ୪୯,୯୧୩ଜଣଙ୍କୁ ପିଏମ୍‌ଏୱାଇରେ ଘର କରିଥିବା କହୁଥିଲେ ହେଁ ବହୁ ଲୋକଙ୍କୁ ଘର ମିଳିନି। ଏବେବି ୧,୩୫,୨୩୯ ଜଣଙ୍କୁ କେବେ ଘର ମିଳିବ କହିପାରୁନାହାନ୍ତି। କେନ୍ଦ୍ର ସରକାର ୩ଲକ୍ଷ ଟଙ୍କା ଘର ନିର୍ମାଣ ପାଇଁ ଦେଉଥିବାବେଳେ ଏଥିରେ ରାଜ୍ୟ ସରକାର ଓ ହିତାଧିକାରୀ କିଛି ଅର୍ଥ ଋଣ ଆକାରରେ ଦେଇ ଏହାକୁ ୫ଲକ୍ଷ ଟଙ୍କା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହେଲେ ରାଜ୍ୟ ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଫଳରେ ବହୁ ଅଞ୍ଚଳରେ ହିତାଧିକାରୀ ଜମି ଓ ଘର ପାଇଁ ଟଙ୍କା ପାଉଥିଲେ ବି ଘର କରିପାରୁନାହାନ୍ତି। କେବଳ ଏତିକି ନୁହେଁ ଜଣଙ୍କର ଜମି ପଟ୍ଟା ଥିଲେ ହିଁ ସେ ପିଏମ୍‌ୱାଇ ହିତାଧିକାରୀ ହୋଇପାରିବ। ତେଣୁ ରାଜ୍ୟ ସରକାର ଜାଗା ମିସନ୍‌ରେ ପଟ୍ଟା ଦେବା ଆଳରେ ଘର ଦେଉଛନ୍ତି ବୋଲି ମିଛ ପ୍ରଚାର କରୁଛନ୍ତି।

ଏପରିକି ସ୍ମାର୍ଟ ସିଟି, ଅମୃତ ଯୋଜନା ଭଳି ଯୋଜନାକୁ ନିଜର ଯୋଜନା କହି ବୁଲୁଛନ୍ତି। ଏହାବାଦ୍ କେନ୍ଦ୍ର ସରକାରଙ୍କ ସ୍ବନିଧି ଯୋଜନାରେ ଉଠା ଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ମିଳିଛି। ଏନେଇ ଆମେ ବ୍ୟବସାୟୀଙ୍କୁ ବୁଝାଉଛୁ। ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟବଣା କରି ପ୍ରଚାର କରୁଛନ୍ତି ସେନେଇ ଆମେ ଲୋକଙ୍କୁ ବୁଝାଉଛୁ।