ଘର ଓଡ଼ିଶା, ଜମି ଛତିଶଗଡ଼; ସଂକଟରେ ସୀମାର ଚାଷୀ

ଝାରସୁଗୁଡା : ଓଡିଶାରେ ଧାନ କୁଇଣ୍ଟାଲ ଦର ୧୮୬୫ ଥିବା ବେ‌ଳେ ଓଡ଼ିଶା ସୀମାକୁ ଲାଗି ରହିଥିବା ଛତିଶଗଡ଼ ରାଜ୍ୟ ସରକାର ସେଠାରେ ଧାନ କୁଇଣ୍ଟାଲ ପିଛା ଓଡ଼ିଶା ଠାରୁ ୭ ଶହ ଟଙ୍କା ଅଧିକ ଅର୍ଥାତ ୨୫ ଶହ ଟଙ୍କା କରିଛନ୍ତି। ଧାନ ଦରରେ ଏଭଳି ତାରତମ୍ୟ ଯୋଗୁଁ ପ୍ରବଳ କ୍ଷତି ଭୋଗୁଛନ୍ତି ଝାରସୁଗୁଡ଼ା ସୀମାରେ ଥିବା ଚାଷୀ। ଏହି ଚାଷୀ ଓଡ଼ିଶା ଓ ଛତିଶଗଡ଼ କେଉଁଠି ହେଲେ ଧାନ ବିକ୍ରି କରି ପାରୁନାହିଁ। ଏଥିରେ ରହିଛି ଅନେକ ସମସ୍ୟା। ଛତିଶଗଡ଼ ସରକାର ଓଡିଶାର ଧାନ ଛତିଶଗଡକୁ ପୁରାଇ ଦେଉନାହାନ୍ତି। କାଳେ ଓଡ଼ିଶାର ଚାଷୀ ଛତିଶଗଡ଼ ଠାରେ ଧାନ ବିକ୍ରି କରି ଦେବେ‌ ସେଥିପାଇଁ ଛତିଶଗଡ଼ ଓ ଓଡ଼ିଶା ସୀମାରେ କଡ଼ା ପ୍ରହରା ବ୍ୟବସ୍ଥା କରିଛନ୍ତି ଛତିଶଗଡ଼ ସରକାର । ସୀମାରେ ଧାନ ତନଖି ଗେଟ୍‌ ସ୍ଥାପନ କରି ସେଠାରେ ପୁଲିସ ଓ ସରକାରୀ କର୍ମଚାରୀ ମୁତୟନ କରିଛନ୍ତି। ଏହି ଗେଟ୍‌ରେ ଦିନରାତି ସେଠାକାର କର୍ମଚାରୀ ମାନେ ଜଗି ରହୁଛନ୍ତି। ଛତିଶଗଡ ସରକାରଙ୍କ ଏହି ପଦକ୍ଷେପ ପରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ଅଂଚଳର ଚାଷୀମାନେ ଦ୍ବନ୍ଦରେ ପଡିଛନ୍ତି ।

blog.pnas.org

କିଛି ଚାଷୀମାଙ୍କର ଘର ଓଡ଼ିଶାରେ ଥିବାବେଳେ ତାଙ୍କ ଜମି ଛତିଶଗଡରେ ରହିଛି । ଛତିଶଗଡ଼ ଓ ଓଡ଼ିଶା ସୀମାରେ ଉଭୟ ରାଜ୍ୟର ଲୋକଙ୍କ ମଧ୍ୟରେ ସାମାଜିକ, ଅର୍ଥନୈତିକ ଓ ପାରିବାରିକ ସଂପର୍କ ସୁଦୃଢ଼ ହୋଇ ରହିଛି। ଏହି ଅଞ୍ଚଳରେ କେଉଁ ଗାଁ ଓଡ଼ିଶାର ଓ କେଉଁ ଗାଁ ଛତିଶଗଡ଼ର ସାଧାରଣ ଲୋକ ପ‌କ୍ଷରେ ଜାଣିବା ମୁସ୍କିଲ ଅଟେ। ଉପାନ୍ତ ୧୯ ଖଣ୍ଡ ମୌଜାର କଣ୍ଢେଇକେଲା, ସୁଖାସୋଢା, ସରେଇପାଲି, ଧୂଲୁଣ୍ଡା, ଚାଂଟିପାଲି, ସେମଲିଆ ପରି ଅନେକ ଗ୍ରାମ ଛତିଶଗଡ ସହ ଲାଗି ରହିଛି । ଏହି ଗ୍ରାମରେ ରହୁଥିବା ଅଧିକାଂଶ ଚାଷୀଙ୍କ ଜମି ଛତିଶଗଡରେ ରହିଛି । ସାମାଜିକ ସଂପର୍କ ଥିବା ଯୋଗୁଁ କିଛି ଚାଷୀଙ୍କୁ ଶ୍ୱଶୁର ଘର ପକ୍ଷରୁ ମିଳିଥିବା ଜମି ଓ କିଛି ଚାଷୀଙ୍କର ପୈତୃକ ଜମି ଛତିଶଗଡରେ ରହିଛି। ଓଡିଶା ସୀମା‌ରେ ରହୁଥିବା ଚାଷୀମାନେ ପ୍ରତିବର୍ଷ ଛତିଶଗଡରେ ଥିବା ନିଜ ଜମିରେ ଚାଷ କରିଥାନ୍ତି । ହେଲେ ବିକ୍ରି ସମୟରେ ଓଡିଶାର ଜମି ହୋଇ ନଥିବାରୁ ଓଡିଶାରେ ବିକ୍ରି କରିପାରନ୍ତି ନାହିଁ । ଫଳରେ ସେମାନେ ଧାନବିକ୍ରି ପାଇଁ ଛତିଶଗଡର ଚାଷୀଙ୍କ ଉପରେ ନିର୍ଭର କରନ୍ତି। ସେହିପରି ଛତିଶଗଡ଼ର ଚାଷୀ ଯେଉଁମାନଙ୍କ ଚାଷୀକାର୍ଡ, ଭୋଟରକାର୍ଡ, ରାସନ କାର୍ଡ ନାହିଁ ସେମାନେ ଓଡ଼ିଶା ଚାଷୀଙ୍କ ସହାୟତା ନେଇଥାନ୍ତି। ମାତ୍ର ଚଳିତ ବର୍ଷ ଉଭୟ ରାଜ୍ୟରେ ଦର ଅସମାନ ଥିବାରୁ ଏହି ଚାଷୀ ମା‌ନେ ଏବେ ଧାନ ବିକ୍ରି କରିବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଛତିଶଗଡ ସରକାର ଧାନ କ୍ରୟ ସମୟରେ ଚାଷୀକୁ ବୋନସ ଦେଉଛନ୍ତି । ହେଲେ ଓଡିଶାରେ ଧାନର ସହାୟକ ମୂଲ୍ୟ କମ ଥିବା ସହିତ ସରକାର ବୋନସ ମଧ୍ୟ ଦେଉ ନାହନ୍ତି ବୋଲି ଚାଷୀମାନେ କହିଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ କେବଳ ଗୋଟିଏ ଧାନ ମିଲ୍ ରହିଛି । ଏହି ମିଲ୍ ୩୩ଟି ପଂଚାୟତର ସମସ୍ତ ଚାଷୀଙ୍କ ଧାନ କ୍ରୟ କରିପାରୁ ନାହିଁ । ଫଳରେ ଉପାନ୍ତ ଚାଷୀମାନଙ୍କୁ ଦଲାଲ ସାହାଯ୍ୟରେ ଧାନକୁ ଝାରସୁଗୁଡା ମଣ୍ଡିରେ ବିକ୍ରି କରିବାକୁ ପଡିଥାଏ । ଦଲାଲମାନେ ଚାଷୀଙ୍କୁ କୁଇଂଟାଲ ପ୍ରତି ସରକାରୀ ଦର ଠାରୁ ବହୁ କମ୍‌ ମାତ୍ର ୧୧ ରୁ ୧୨ଶହ ଟଙ୍କା ମଧ୍ୟରେ ଧାନ କିଣିଥାନ୍ତି । ଫଳରେ ଉପାନ୍ତ ଅଂଚଳର ଚାଷୀ ସର୍ବସ୍ବାନ୍ତ ହୋଇଥାନ୍ତି। ଶିକାର ହେଉଛି । କ୍ଷତିରୁ ରକ୍ଷା ପାଇବା ପାଇଁ ଉପାନ୍ତ ଅଂଚଳର ବହୁ ଚାଷୀ ସେମାନଙ୍କ ଧାନକୁ ଛତିଶଗଡରେ ଥିବା ସମ୍ପର୍କୀୟମାନଙ୍କ ସାହାଯ୍ୟରେ ରାୟଗଡ ମଣ୍ଡିରେ ବିକ୍ରି କରୁଥିଲେ । ରୟଗଡ ମଣ୍ଡି ଏମାନଙ୍କୁ ପାଖ ହେଉଥିବା ବେଳେ ଅଧିକ ଟଙ୍କା ମଧ୍ୟ ମିଳୁଥିଲା । ହେଲେ ବର୍ତମାନ ଛତିଶଗଡ ସରକାର ଓଡିଶା ସୀମା ସହିତ ଲାଗି ରହିଥିବା ଏହାର ସୀମା ଅଂଚଳଗୁଡିକରେ ପୁଲିସ ମୁତୟନ କରି ସୀମା ସିଲ୍‌ କରି ଦେଇଛନ୍ତି । ଓଡ଼ିଶାର ଧାନ ଛତିଶଗଡକୁ ଯେପରି ବିକ୍ର ପାଇଁ ଯାଇନପାରିବ ସେଥିପାଇଁ ସେଠାର ସରକାର ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛନ୍ତି । ଏହା ଫଳରେ ଉପାନ୍ତ ଅଂଚଳର ଚାଷୀ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ ପଡିଛି ।

ସମ୍ବନ୍ଧିତ ଖବର