ଦିନତମାମ ବାହାରେ ବସିଲେ କର୍କଟ ରୋଗୀ ଓ ପରିବାର, ଭୁବନେଶ୍ବରରୁ ଫେରିବା ପରେ ଘରେ ପୂରେଇଲେନି ମ‌ାଲିକ

ବାଲେଶ୍ବର : କରୋନା ଭୟରେ ବାଲେଶ୍ବରର ଜଣେ କର୍କଟ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଘର ମାଲିକ ଘରେ ପୂରାଇ ଦେଇନାହାନ୍ତି। ଫଳରେ ରୋଗୀଙ୍କ ସମେତ ତାଙ୍କ ପରିବାର ଆଜି ଦିନତମାମ୍‌ ମାଲିକଙ୍କ ଘର ଆଗରେ ବସି ରହିଥିଲେ। ଗୁରୁବାର ସଂଧ୍ୟାରେ ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଦୃଶ୍ୟ।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସୁରେଶ ଶର୍ମା (୬୫) ନାମକ ଏହି ବ୍ୟକ୍ତି ନିଜ ପତ୍ନୀ ଓ ଦୁଇପୁଅଙ୍କ ସହ ସହଦେବଖୁଣ୍ଟା ଲୋକନାଥ ମନ୍ଦିର ନିକଟରେ ଥିବା ଏକ ଘରେ ୨ ବର୍ଷ ହେଲା ଭଡ଼ାରେ ରହୁଛନ୍ତି। ଶ୍ରୀ ଶର୍ମା ଜଣେ ବ୍ୟବସାୟୀ ହୋଇଥିବାବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌ ଥିବାରୁ ୨ ଦିନ ତଳେ ସେ ଜିଲ୍ଲା ପ୍ରଶାସନ ଓ ପୁଲିସର ଅନୁମତି ନେଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପରିବାର ଲୋକଙ୍କ ସହ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ। ଆଜି ସେ ବାଲେଶ୍ବର ଫେରିବା ପରେ ଘର ମାଲିକ କାହାକୁ ଘରେ ପୂରାଇ ଦେଇନଥିଲେ। ଗେଟ୍‌ ଭିତର ପଟୁ ତାଲା ପକାଇ କରୋନା ପ୍ରଭାବିତ ଭୁବନେଶ୍ବରରୁ ଫେରିଛ ମାନେ ପ୍ରଥମେ ବାହାରେ କେଉଁଠି ୧୪ ଦିନ କ୍ବାରେନ୍‌ଣ୍ଟାଇନ୍‌ରେ ରୁହ। ତା’ପରେ ଯାଇ ଘରକୁ ଆସିବ ବୋଲି କହିଥିଲେ। ପରିବାର ଲୋକେ ଅନେକ ବୁଝା‌ସୁଝା କରିବା ପରେ ମଧ୍ୟ କିଛି ଶୁଣିନଥିଲେ ଘରମାଲିକ। ଫଳରେ ଘର ଆଗରେ ସମସ୍ତଙ୍କୁ ଖରାତରାରେ ବସିବାକୁ ପଡ଼ିଥିଲା। ସଂଧ୍ୟା ପର୍ଯ୍ୟନ୍ତ ବସି ରହିବା ପରେ ଶ୍ରୀ ଶର୍ମା ବିକଳ ହୋଇ ପୁଲିସ ଓ ପ୍ରଶାସନର ସହଯୋଗ ଲୋଡ଼ିଥିଲେ।

ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଡିଏସ୍‌ପି ମନୋଜ କୁମାର ରାଉତ, ସଦର ତହସିଲଦାର ପଞ୍ଚାନନ ପାତ୍ର ଓ ସହଦେବଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ପହଞ୍ଚି ଘର ମାଲିକଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସଂଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ତାଲା ଖୋଲିବା ପରେ ଶ୍ରୀ ଶର୍ମା ପରିବାର ସହ ଘର ଭିତରକୁ ଯାଇଥିଲେ।

ସମ୍ବନ୍ଧିତ ଖବର