କଟକ: କଟକ ବଡ଼ ଡାକ୍ତରଖାନାରେ ହାଉସ୍‌ସର୍ଜନ ଓ ନର୍ସିଂ ସଂଘ ବିବାଦ ଚରମସୀମାରେ ପହଞ୍ଚିଛି। ଆଜି ହାଉସସର୍ଜନ୍ ଓ ନର୍ସିଂ କର୍ମଚାରୀ ସଂଘ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉଭୟ ସଂଘ ନିଜନିଜ ଦାବି ସଂପର୍କରେ ଅଧୀକ୍ଷକଙ୍କୁ ଜଣାଇବାକୁ ଯିବା ସମୟରେ ସେଠାରେ ବି ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏସ୍‌ସିବି ଅଧୀକ୍ଷକ ଉଭୟ ସଂଘର ସଦସ୍ୟଙ୍କ ସହିତ ଆଲୋଚନା କରି ବିବାଦ ସମାଧାନ କରିବାକୁ ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇ ପାରି ନଥିଲା। ଏଭଳି ସ୍ଥିତିରେ ହାଉସ୍‌ ସର୍ଜନ ସଂଘ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଏସ୍‌ସିବିରେ ୨୫୦ ହାଉସସର୍ଜନଙ୍କ କାର୍ଯ୍ୟବନ୍ଦ ଫଳରେ ରୋଗୀସେବା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ସେମାନେ କେବଳ ଜରୁରିକାଳୀନ ଆବଶ୍ୟକତାରେ ଡ୍ୟୁଟି କରିବେ ବୋଲି ଅଧୀକ୍ଷକଙ୍କୁ ଜଣାଇଛନ୍ତି। ହାଉସର୍ଜନ ମାନଙ୍କ ଅଭିଯୋଗ ଅନୁଯାୟୀ ସମାନଙ୍କ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି। ମିଛ ଅଭିଯୋଗ ଆଣିଥିବା ନର୍ସିଂ ଅଫିସରଙ୍କ ନାମରେ ପୂର୍ବରୁ ବି ବିବାଦ ରହିଛି। ତେଣୁ ତୁରନ୍ତ ମିଛ ଅଭିଯୋଗ ଆଣିଥିବା ନର୍ସିଂ ଅଫିସରଙ୍କୁ ଏସ୍‌ସିବିରୁ ଅନ୍ୟତ୍ର ବଦଳି କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଂଘ ଦାବି କରିଛି ବୋଲି ସଂଘର ସଭାପତି ଡାକ୍ତର ଶାଶ୍ବତ ମହାନ୍ତି କହିଛନ୍ତି।

Advertisment

ଅନ୍ୟପଟେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଏସ୍‌ସିବି ଶାଖା ମଧ୍ୟ ଗୁରୁବାରଠାରୁ ଏହି ଘଟଣାର ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧି‌ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛି। ତିନିଦିନ ଭିତରେ ଯଦି ସେମାନଙ୍କର ସମସ୍ୟାର ସମାଧାନ ନହେଲା ତାହେଲେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ସୂଚନାଯୋଗ୍ୟ ଯେ ଏସ୍‌ସିବି ନ୍ୟୁ ମେଡିସିନ ୱାର୍ଡରେ ଜଣେ ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସଂପର୍କରେ ଗତକାଲି ନର୍ସିଂ ଅଫିସର ସ୍ନେହସୁଧା ସାହୁ ଅଭିଯୋଗ ଆଣିଥିଲେ। ହାଉସ ସର୍ଜନମାନେ ତାଙ୍କୁ କବାଟ ବନ୍ଦ କରି ରଖିବା ସହ ଗାଳିଗୁଲଜ କରି ମୋବାଇଲ ଛଡ଼ାଇ ନେଇଥିବା ସେ ଅଭିଯୋଗ ଆଣିଥିଲେ। ଏପରିକି ନର୍ସିଂ ପେସାକୁ ନେଇ ସେମାନେ ଆକ୍ଷେପ କରିଥିବା ସେ ଅଭିଯୋଗ କରିଥିଲେ। ଏସବୁ ଘଟଣାର ଭିଡିଓ ରେକର୍ଡିଂ ରହିଛି ବୋଲି ସଂପୃକ୍ତ ନର୍ସିଂ ଅଫିସର କହିଛନ୍ତି। ଏହି ଘଟଣାକୁ ନେଇ ଆଜି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଏସ୍‌ସିବି ଶାଖା ପକ୍ଷରୁ ଅଧୀକ୍ଷକଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲା। ଏସ୍‌ସିବି ଅଧୀକ୍ଷକ ଏସଂକ୍ରାନ୍ତରେ ତଦନ୍ତ କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ ଉଭୟପକ୍ଷଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ନର୍ସିଂ ସଂଘ ଆଲୋଚନାକୁ ଗ୍ରହଣ କରୁନାହାନ୍ତି। ହାଉସ୍‌ ସର୍ଜନ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନେଇ ଲିଖିତ ଭାବେ ଜଣାଇଛନ୍ତି। ସେମାନେ ରେଗୁଲାର ରୁଟିନ୍‌ କାର୍ଯ୍ୟ କରିବେ ନାହିଁ। କେବଳ ଜରୁରିକାଳୀନ କାମ କରିବେ ବୋଲି ଜଣାଇଛନ୍ତି।