ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ବ୍ଲକ୍‌ ପ୍ରଶାସନ: ୨୧ଟି ଗାଁରେ ଘରଘର ବୁଲି ସର୍ଭେ ଆରମ୍ଭ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ସୀମାନ୍ତରେ ଥିବା ରାୟଗଡ଼ା ଜିଲ୍ଲାର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କଠାରେ କରୋନା ପଜିଟିଭ୍ ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ୍‌ର ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ଆଜି ଡୋର୍‌ ଟୁ ଡୋର୍‌ ବା ଘରଘର ବୁଲି ସର୍ଭେ ଆରମ୍ଭ ହୋଇଛି।

ଆଜି ପ୍ରଥମେ ଲାଞ୍ଜିଗଡ଼ ବ୍ଲକ୍‌ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଓ ଖେମୁଣ୍ଡିପଦର ଗ୍ରାମରେ ଥିବା ଡଙ୍ଗରିଆ କନ୍ଧ ପରିବାରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ସେବନ ଓ କରୋନା ସଂପର୍କରେ ସଚେତନତା କରାଯାଇଥିଲା। ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତ ସମେତ ଲାଞ୍ଜିଗଡ଼, ଜଗନ୍ନାଥପୁର ଓ ବସନ୍ତପଡ଼ା ପଞ୍ଚାୟତର ୨୧ଟି ଗ୍ରାମରେ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯାଇ ସଚେତନତା କରାଯାଇଥିଲା। ସର୍ଭେ ଆଜି ଆରମ୍ଭ ହୋଇଥିବା ବେଳେ ବ୍ଲକ୍‌ର ୨୬ଟି ପଞ୍ଚାୟତର ୨୮୮ ଗ୍ରାମରେ ଏହି ସଂପ୍ରଦାୟର ୬୮୩୦ଟି ପରିବାରର ପ୍ରାୟ ୩୦ ହଜାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବ୍ଲକ୍‌ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକମାନେ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ବ୍ଲକ୍‌ ପ୍ରଶାସନର ଅନେକ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର