ଉଗ୍ରରୂପ ନେଲା ମାଛଧରା ବିବାଦ : ୭ ବଖରା ଘର ଜାଳିଦେଲେ

ସିଂହପୁର/ବଂଝାରପୁର : ମାଛଧରାକୁ କେନ୍ଦ୍ର କରି ବଂଝାରପୁର ଥାନା ଅନ୍ତର୍ଗତ ଅଣ୍ଡାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ଆହୁରି ଉଗ୍ରରୂପ ଧାରଣ କରିଛି। । ଗତକାଲି ବିଳମ୍ବିତ ରାତିରେ ଅଣ୍ଡୋଳ ଗ୍ରାମରେ ଦୁର୍ବୃତ୍ତମାନେ ପଶି କେତେକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ, ପ୍ରାୟ ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

ମାଛଧରାକୁ କେନ୍ଦ୍ରକରି କିଛିଦିନ ହେବ ବିବାଦ ଲାଗି ରହିଛି। ଗତ ୧୩ ତାରିଖରେ ଫଳପୁର ଗ୍ରାମର କେଶବ ମଲ୍ଲିକଙ୍କୁ ଅଣ୍ଡାଳୋ ଗ୍ରାମର କେତେକ ଲୋକେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତାହାର ପ୍ରତିଶୋଧରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ଅଣ୍ଡାଳୋ ଗ୍ରାମରେ କେତେକ ଲୋକଙ୍କର ଘର ପୋଡ଼ି ଦିଆଯାଇଛି । ପ୍ରତିପକ୍ଷ ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି । ଏହି ଘରପୋଡିରେ ଅଣ୍ଡାଳୋ ଗ୍ରାମର ମନୋଜ ମଲ୍ଲିକ, ବିରଞ୍ଚି ମଲ୍ଲିକ ଓ ମନୁ ମଲ୍ଲିକଙ୍କ ୭ ବଖରା ଘର ସମ୍ପୂର୍ଣ୍ଣ ପୋଡି ଧ୍ୱଂସ ହୋଇଯାଇଛି ।

ଏହି ଘଟଣାକୁ କେନ୍ଦ୍ରକରି ସପ୍ତାହେ ବ୍ୟାପି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ଘଟଣାରେ ପୁଲିସ୍‌ର କାର୍ଯ୍ୟଧାରାକୁ ନେଇ ଉଭୟ ଗ୍ରାମବାସୀ ତଥା ବିଭିନ୍ନ ଅଞ୍ଚଳରୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ମାଛଧରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାର ପରଦିନ କେଶବଙ୍କୁ ଅଣ୍ଡାଳୋର କେତେକ ଲୋକେ ପିଟିପିଟି ହତ୍ୟା କରିଥିଲେ। ଏହା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ୪ ଦିନ ଉଭୟ ଗାଁରେ ପୁଲିସ୍‌ ମୁତୟନ ରହିଥିଲେ । ଗତକାଲି ରାତିରେ ଅଣ୍ଡାଳୋରୁ ପୁଲିସ୍‌ ସୁରକ୍ଷା ହଟାଯାଇଥିଲା ।

ଯାହାର ସୁଯୋଗରେ ଗତକାଲି ରାତିରେ ହିଁ ବିରୋଧୀମାନେ ଅଣ୍ଡାଳୋରେ ଭୟାବହ ଅଗ୍ନିକାଣ୍ଡ ଭିଆଇଥିଲେ। ଫଳରେ, ୭ ବଖରା ଘର ପୋଡ଼ି ଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧ୍ୱଂସ ହୋଇଯାଇଛି। ପରେ, ଅଗ୍ନିଶମ ବାହିନୀ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର