ଓମ୍‌ବାଡ୍‌ସି ପାଣ୍ଠରୁ ୮ ପ୍ରକଳ୍ପ ଅନୁମୋଦିତ : ଅଗଷ୍ଟ ୧୫ ସୁଦ୍ଧା ଗୃହ ନିର୍ମାଣ ପ୍ରକଳ୍ପ ଶେଷ ହେବ 

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି) ପାଣ୍ଠିରୁ ଖଣିଜ ଅଞ୍ଚଳ ଜିଲ୍ଲା ପାଇଁ ୨୮୦୦ କୋଟି ଟଙ୍କାର ୮ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ବୋର୍ଡ ଅଫ୍‌ ଡାଇରେକ୍ଟର୍ସ’ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ପୂର୍ବ ଅନୁମୋଦିତ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଓମ୍‌ବାଡ୍‌ସି ପାଣ୍ଠି ବିନିଯୋଗରେ ଆରମ୍ଭ କରାଯାଇଥିବା ଗୃହ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଅଗଷ୍ଟ ୧୫ ସୁଦ୍ଧା ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ରାଜ୍ୟରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଆଦି ୯ଟି ଜିଲ୍ଲାରେ ଓମ୍‌ବାଡ୍‌ସି ପାଣ୍ଠିରୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଓମ୍‌ବାଡ୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ବୈଠକରେ ଜଣାଇଥିଲେ, ପୂର୍ବରୁ ଅନୁମୋଦିତ ୩୫୧୭ କୋଟି ଟଙ୍କାର ପ୍ରକଳ୍ପ ଏହି ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ କରାଯାଉଛି। ଆଜିର ମଞ୍ଜୁରିକୁ ମିଶାଇ ଖଣିଜ ଅଞ୍ଚଳ ଜିଲ୍ଲାଗୁଡ଼ିକ ପାଇଁ ଏହି ପାଣ୍ଠିରୁ ସମୁଦାୟ ୬୩୧୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହେଲା। ଆଜିର ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଦିବାସୀ, ହରିଜନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ, ଯୁବତୀମାନଙ୍କ ପାଇଁ କୌଶଳ ବିକାଶ ତାଲିମ, ଉଦ୍ୟାନ କୃଷି, ମେଗା ଉଠା ଜଳସେଚନ, ଆଦର୍ଶ ବିଦ୍ୟାଳୟର ଦୃଢ଼ୀକରଣ, ଉଠା ଜଳସେଚନ, ଚେକ୍‌ ଡ୍ୟାମ୍‌, ଓଭର୍‌ବ୍ରିଜ୍‌, ରାସ୍ତା ଓ ପୋଲ ଇତ୍ୟାଦି ରହିଛି।  ବୈଠକରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ ରାଜ କୁମାର ଶର୍ମାଙ୍କ ସମେତି ବିଭିନ୍ନ ବିଭାଗର ସଚିବ, ବୋର୍ଡର ସ୍ୱାଧୀନ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର