ମାସେ ପରେ ବି ସବୁ ଅସଜଡ଼ା : ଭଙ୍ଗା ଘରେ ଜାରି ରହିଛି ସଂଘର୍ଷ

ପୁରୀ (ଚିନ୍ମୟ ପତି): ‘ଫନି’ର ଏକ ମାସ ପରେ ବି ସଜାଡ଼ି ହୋଇ ପାରିନାହିଁ ପୁରୀ। ଆର୍ଥିକ, ସାମାଜିକ ସ୍ଥିତିରେ କିଛି ପରିବର୍ତ୍ତନ ଆସିନାହିଁ। ଦୁର୍ଗତଙ୍କ ପାଖରେ କେବଳ ରିଲିଫ ପହଞ୍ଚିଛି। ହେଲେ ନା ପୁନଃନିର୍ମାଣ କାମ ହୋଇପାରିଛି ନା ହୋଇପାରିଛି ଥଇଥାନ। ସହାୟତା ପାଇଁ କ୍ଷୟକ୍ଷତିର ଆକଳନ ବି ସରିନାହିଁ। ଫଳରେ ଦୟନୀୟ ସ୍ଥିତିରେ ରହୁଛନ୍ତି ଲୋକେ। ରାଜ୍ୟ ସରକାର କହିଥିଲେ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମାତ୍ର ତାହା କେବଳ କାଗଜକଲମରେ। ଆଜି ଯାଏ କ୍ଷୟକ୍ଷତିର ଆକଳନ ହୋଇ ପାରିଲା ନାହିଁ। ଯେଉଁଠି ହୋଇଛି ସେଠାରେ ରହିଛି କେଁ। ସବୁଠି ବିବାଦ ମୁଣ୍ଡ ଟେକିଛି। କ୍ଷୟକ୍ଷତି ଆକଳନ ଚୂଡ଼ାନ୍ତ ହୋଇ ନଥିବାରୁ ସହାୟତା ମିଳି ପାରୁନାହିଁ। ତେଣୁ ଅଟକି ଯାଇଛି ପୁନରୁଦ୍ଧାର କାର୍ଯ୍ୟ।

ଗାଁ ଗଣ୍ଡାର ସ୍ଥିତି ଆହୁରି ସଂଗିନ। ଆଜିକୁ ମାସେ ହେଲାଣି ଲୋକଙ୍କ ଛପର ମୁକୁଳା ପଡ଼ିଛି। ଆକଳନ ଠିକ୍‌ ହୋଇ ନଥିବାରୁ ସହାୟତା ମିଳିନାହିଁ। କାଳେ ସହାୟତା ମିଳିବନି, ସେହି ଭୟରେ କିଛି ଲୋକ ଭଙ୍ଗା ଘର ବି ସଜାଡ଼ୁ ନାହାନ୍ତି। ଅନେକ ଘର ସଜାଡ଼ିବା ସ୍ଥିତିରେ ନାହାନ୍ତି। ସହାୟତା ମିଳିବା ପରେ ହିଁ ସଜାଡ଼ିବେ। ସେଥି ପାଇଁ ଚାହିଁ ବସିଛନ୍ତି। ବିଜୁଳି କାମ ବି ପଛରେ ପଡ଼ିଛି। ପୁରୀ ସହରର ୯୫% ଗ୍ରାହକଙ୍କୁ ବିଜୁଳି ଦିଆଯାଇଥିବା ସେସୁ ଦାବି କରୁଥିବା ବେଳେ ତାହା ସାମୟିକ ସଂଯୋଗ। ଅନେକ ସମୟରେ ବିଜୁଳି କଟି ଯାଉଛି। ଘଣ୍ଟା ଘଣ୍ଟା ଧରି ବିଜୁଳି ଆସୁନି। ଫଲ୍ଟ ଡିଟେକ୍ସନ୍‌ ନାମରେ ଏମିତି ହେଉଛି। ଗାଁର ୧୦% ଲୋକଙ୍କୁ ଏଯାବତ ବିଜୁଳି ମିଳିପାରିନାହିଁ। ଦେଖିବାକୁ ଗଲେ ଅଧା ଲୋକଙ୍କ ପାଖରେ ବିଜୁଳି ପହଞ୍ଚି ନାହିଁ।

ବାତ୍ୟାରେ ୩୯ ଜଣଙ୍କ ପ୍ରାଣଯାଇଛି। ସେମାନଙ୍କ ପରିବାରକୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ ସହାୟତା। ପ୍ରଶାସନ ପକ୍ଷରୁ ପ୍ରାଥମିକ ସହାୟତା ଭାବେ ଚାଉଳ ୫୦ କେଜି ଓ ୨ ହଜାର ଟଙ୍କା। ହେଲେ ଏସ୍‌ଆରସିଙ୍କ ୪ ଲକ୍ଷ ଟଙ୍କାର ସହାୟତା ପହଞ୍ଚି ନାହିଁ। ଉଜୁଡ଼ିଥିବା ଜୀବିକା ପାଇଁ ଯୋଜନା ହୋଇନାହିଁ। ବାତ୍ୟାରେ ୪୦୦ ବର୍ଗ କିଲୋମିଟର ଜଙ୍ଗଲ ଉଜୁଡ଼ି ଯାଇଛି। ଏହି ଜଙ୍ଗଲ ଉପରେ ଅନ୍ୟୂନ ୨୫ ହଜାର ଲୋକଙ୍କ ଜୀବିକା ନିର୍ଭର କରୁଥିଲା। ସେମାନଙ୍କୁ କିପରି ବିକଳ୍ପ ଜୀବିକା ମିଳିବ ତାହାର ଯୋଜନା ବି କରାଯାଇନାହିଁ। ମତ୍ସ୍ୟଜୀବୀଙ୍କ ସ୍ଥିତି ଆହୁରି ସଂଗିନ। ଡଙ୍ଗା, ଜାଲ ଭାଙ୍ଗିଛି। ସରକାରୀ ସହାୟତା ମିଳିବ ବୋଲି ଘୋଷଣା ହୋଇଛି। ହେଲେ ଆଜି ଯାଏ କୌଣସି ମତ୍ସ୍ୟଜୀବୀଙ୍କୁ ଡଙ୍ଗା କିମ୍ବା ଜାଲ ମିଳିନାହିଁ। ଫଳରେ ସେମାନେ ଜୀବିକା ଉପାର୍ଜନ କରି ପାରୁନାହାନ୍ତି। ଚାଷ ସ୍ଥିତି ବଡ଼ ଗମ୍ଭୀର। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କାଜୁ ଓ ନଡ଼ିଆ ଫସଲ। କାଜୁ ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ମିଳିବ ନାହିଁ। କାଜୁ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଅଣ୍ଟା ସଳଖିବା କଷ୍ଟକର। ନଡ଼ିଆ ଚାଷ ବୁଡ଼ିଗଲା ଭଳି ସ୍ଥିତିରେ। ନଡ଼ିଆ ଚାଷୀଙ୍କୁ କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ରହିଛନ୍ତି।

ସମ୍ବନ୍ଧିତ ଖବର