ହାଟଡିହି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀଙ୍କୁ ମିଳୁନି ମନରେଗା ଅର୍ଥ। ଏହାର ପ୍ରତିବାଦରେ ହାଟଡିହି ବ୍ଲକ୍ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମବାସୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦୁଇତିନି ବର୍ଷ ତଳୁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ନିର୍ମାଣ କଲେଣି। ଆଜିପର୍ଯ୍ୟନ୍ତ ମନରେଗା ଅର୍ଥ ସେମାନଙ୍କୁ ଦିଆଯାଇ ନାହିଁ। ଏପରିକି କିଛି ହିତାଧିକାରୀଙ୍କ ମନରେଗା ଟଙ୍କା ଭିନ୍ନ ଆକାଉଣ୍ଟରେ ଜମା କରାଯାଇଛି। ଏନେଇ ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତର ଜିଆର୍ଏସ୍ଙ୍କୁ ଜଣାଇଥିଲେ ମଧ୍ୟ ସେ ଆଜିକାଲି କହି ସମୟ ଗଡ଼ାଉଛନ୍ତି।
ବାରମ୍ବାର ଅଭିଯୋଗ ପରେ କିଛି ସୁଫଳ ନ ମିଳିବାରୁ ଆଜି ମଧୁସୂଦନ ଯେନା, ହଳଧର ଯେନା, ଭ୍ରମରବର ଧଳ, କାର୍ତ୍ତିକେଶ୍ୱର ଯେନା, ବାସୁଦେବ ଯେନା, ବାବନ ଯେନା, ଗୋଲକ ଯେନା, ଉପେନ୍ଦ୍ର ଯେନା, ଅନାମ ଯେନା, ଲକ୍ଷ୍ମଣ ଯେନା, କାଳନ୍ଦୀ ଯେନା, ପାଣୁ ଯେନା, ସୁରେନ୍ଦ୍ର ସେଠୀ, ମହନ୍ତ ଯେନା, ମୁକୁନ୍ଦ ବେହେରା, ପାଗିଳି ଯେନା, ହରିହର ଯେନା, ସବିତା ବେହେରା, କହ୍ନେଇ ଯେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଡିଓଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ଏ ସମ୍ପର୍କରେ ଜିଆର୍ଏସ୍ ଜଗବନ୍ଧୁ ଜେନାଙ୍କୁ ପଚାରିବାରୁ, ଏଥିରେ କୌଣସି ଅନିୟମିତତା ହୋଇନି। ପୁରୁଣା ହିତାଧିକାରୀ ଘର କାମ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଏହାପରେ ତାଙ୍କ କୋଡ୍ ନମ୍ବର ଡିଲିଟ ହୋଇଯାଇଛି। ନୂଆ କୋଡ୍ ବାହାର କଲା ପରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ ବୋଲି କହିଛନ୍ତି।