ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଥମି ନଥିବା ବେଳେ ଏବେ ବିଡିଓଙ୍କ ଟୋକନରୁ ଅନଲାଇନ ଜରିଆରେ ହରଭଙ୍ଗା ପଞ୍ଚାୟତର ପ୍ରାୟ ୧୯ଜଣ ଆବାସ ହିତାଧିକାରୀଙ୍କ ବୋନସ ଅର୍ଥ ଚଳୁ ହେବା ଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ହରଭଙ୍ଗା ଗ୍ରାମର ସଂସାରି ଭୋକ୍ତା, ବୁକେସିଙ୍ଗା ଗ୍ରାମର ପ୍ରଭାତ ଦେହୁରୀ ଓ ମୁଟୁରି ଗୁରୁ ଏବଂ ସୁରୁଣ୍ଡି ଗ୍ରାମର ପଦ୍ମ ଚରଣ ବିଶି ୨୦୧୯/୨୦ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିଲେ। ସେମାନେ ସମସ୍ତେ ସେମାନଙ୍କ ଆବାସ ଗୃହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିଥିଲେ। ମାତ୍ର ୨୦ହଜାର ଟଙ୍କା ବୋନସ ଅର୍ଥ ପାଇବାକୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ ହେବାପରେ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ। ହରଭଙ୍ଗା ସରପଞ୍ଚ ସୁମଞ୍ଜି ଲାଲ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ସିପିଙ୍କ କାର୍ଯ୍ୟାଳୟରେ ରେକର୍ଡ ପତ୍ର ଯାଞ୍ଚ କରିବା ସମୟରେ ସଂସାରି ଭୋକ୍ତାଙ୍କ ୨୦ ହଜାର ବୋନସ ଟଙ୍କା ଲଭାଗିନୀ ପ୍ରଧାନ ନାମ୍ନି ଜଣେ ମହିଳାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ସେହିପରି ପ୍ରଭାତ ଦେହୁରୀଙ୍କ ବୋନସ ଟଙ୍କା ହରଭଙ୍ଗା ଗ୍ରାମର ଜ୍ୟୋତିର୍ମୟୀ ଦାସ, ମୁଟୁରି ଗୁରୁଙ୍କ ବୋନସ ଟଙ୍କା ମନୀଷା ମହାନ୍ତି ଏବଂ ପଦ୍ମ ଚରଣ ବିଶିଙ୍କ ବୋନସ ଟଙ୍କା ଅହଲ୍ୟା ଡାଙ୍ଗ ନାମୀ ମହିଳାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଥିଲା। ତେବେ କମ୍ପ୍ୟୁଟରରୁ ଉକ୍ତ ତଥ୍ୟ ଗୁଡିକୁ ଜଣେ ନିଜ ମୋବାଇଲରେ ଫୋଟ ଉଠାଇବା ଦେଖି ସମ୍ପୃକ୍ତ କର୍ମଚାରୀ ଜଣକ ହଡ଼ବଡେଇ ଯାଇ ବୋନସ ପାଇବାରୁ ବଞ୍ଚିତ ହୋଇଥିବା ଅନ୍ୟ ହିତାଧିକାରୀଙ୍କ ଷ୍ଟାଟସ ଦେଖିବାକୁ ମନା କରି ଦେଇଥିଲେ। ଏହିଭଳି ଭାବେ ହରଭଙ୍ଗା ପଞ୍ଚାୟତର ଆହୁରି ୧୫ରୁ ଉର୍ଦ୍ଧ୍ବ ଆବାସ ହିତାଧିକାରୀଙ୍କ ବୋନସ ଟଙ୍କା ମଧ୍ୟ ଚଳୁ ହୋଇଥିବା ଅଭିଯୋଗ ହେଉଛି। ତେବେ ହିତାଧିକାରୀଙ୍କ ପାଇଁ ବୋନସ ଅର୍ଥ ପ୍ରଦାନ କରିବା ସମୟରେ ସେମାନଙ୍କର ଆଧାରକାର୍ଡ, ବ୍ୟାଙ୍କ ପାସବୁକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରି ଆକାଉଣ୍ଟକୁ ଟଙ୍କା ଛାଡିବା ସ୍ଥଳେ କିପରି ବିଭିନ୍ନ ଆକାଉଣ୍ଟକୁ ଗଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ବିଡିଓଙ୍କ ଟୋକନରୁ ବୋନସ ପ୍ରଦାନ କାର୍ଯ୍ୟ କାର୍ଯ୍ୟାଳୟର ସିପି, ପିପିଏ, ବିପିସି ଭଳି ଦାଇତ୍ୱ ସମ୍ପନ୍ନ କର୍ମଚାରୀ ମାନେ ତୁଲାଉଥିବା ବେଳେ ଏଭଳି ତ୍ରୁଟି କିଭଳି ହେଲା ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଥାଉକି ପୂର୍ବରୁ, ସୁରୁଣ୍ଡି ଗ୍ରାମର ପ୍ରଦୀପ ଡାଙ୍ଗ ନାମକ ଜୈନିକ ହିତାଧିକାରୀ ଆବାସ ଗୃହ ଆଦୌ ନିର୍ମାଣ ନକରି ମଧ୍ୟ ଜିଓଟେଗ୍ ବଦଳରେ ଜଣେ ବାହାର ଯୁବକ ନିଜ ମୋବାଇଲରୁ ଅନ୍ୟ ଏକ ଘରର ଫଟୋ ପଠାଇ ତିନୋଟି ପର୍ଯ୍ୟାୟରେ ସମୁଦାୟ ୯୦ହଜାର ଟଙ୍କା ହେରଫେର କରିଥିବା ତଥ୍ୟ ପଦାକୁ ଆସିଥିଲା। ତେବେ ସେ କେଉଁଠାରୁ ସିକ୍ରେଟ ପାସ ୱାର୍ଡ ପାଇଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ଏ ସମସ୍ତ ଘଟଣାପଛରେ ଏକ ରାକେଟ କାମ କରୁଥିବା ସନ୍ଦେହ ଦୃଢ଼ୀଭୂତ ହେବାକୁ ଲାଗିଥିବାରୁ ଏହାର ଭିଜିଲାନ୍ସ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ହରଭଙ୍ଗା ପଞ୍ଚାୟତର ପୂର୍ବ ସରପଞ୍ଚ ସୁବୋଧ ପ୍ରଧାନ ଦାବି କରିଛନ୍ତି। ଏ ସମ୍ପର୍କରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚରାଯିବାରୁ, ସେ ଅଭିଯୋଗର ସତ୍ୟତା ଜାଣିବା ପରେ ଯଥାଶୀଘ୍ର ସମ୍ପୃକ୍ତ ହିତାଧିକାରୀ ମାନେ କିପରି ତାଙ୍କର ପ୍ରାପ୍ୟ ପାଇପାରିବେ ତା’ ଉପରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/money.jpg)