ଭୁବନେଶ୍ବର : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟରେ ବାଜି ରାଉତ ସମନ୍ବିତ ସମାଜିକ ଗୃହ ନିର୍ମାଣ ଯୋଜନା ଅଧୀନରେ ୩୯ଟି ଏଚ୍‌ଆଇଜି, ୭୪ଟି ଏମ୍‌ଆଇଜି ଓ ୪୬ଟି ଏଲ୍‌ଆଇଜି କୋର୍‌ ଘର ବିକ୍ରି ପାଇଁ ୨୦୧୧ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବୋର୍ଡର ଦାବି ଅନୁସାରେ ଲୋକମାନେ ୨୦୧୪ ସୁଦ୍ଧା ସମସ୍ତ ଟଙ୍କା ୬ଟି କିସ୍ତିରେ ଦେଇଥିଲେ। ସର୍ତ୍ତ ଅନୁଯାୟୀ ସେପ୍ଟେମ୍ବର ୨୦୧୪ ସୁଦ୍ଧା ସମସ୍ତଙ୍କୁ ଘର ହସ୍ତାନ୍ତର ହେବା କଥା। ମାତ୍ର ନିର୍ଧାରିତ ସମୟଠାରୁ ୫ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବୋର୍ଡ ଲୋକମାନଙ୍କୁ ଘର ହସ୍ତାନ୍ତର କରି ନାହିଁ। ଏଥିରେ ଅସନ୍ତୋଷ ପ୍ରକାଶ କରି ମହିଷାପାଟର ବାଜି ରାଉତ ଆବାସିକ ସଂଘ ଆଜି ସ୍ଥାନୀୟ ଖାରବେଳନଗରସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ସଚିବଙ୍କୁ ଭେଟିଥିଲା। ତୁରନ୍ତ ପ୍ରକଳ୍ପ କାମ ଶେଷ କରି ଘର ହସ୍ତାନ୍ତର କରିବାକୁ ସଂଘର କର୍ମକର୍ତାମାନେ ଦାବି କରିଥିଲେ। ଏହି ଅବସରରେ ସଂଘର ସଂପାଦକ ରୋହିତ ଦାସ କହିଛନ୍ତି, ହାଉସିଂବୋର୍ଡର ଅଳସୁଆମୀ ଓ ଭୁଲ୍‌ ପାଇଁ ଆମେ କାହିଁକି ଦଣ୍ଡ ପାଇବୁ। ବୋର୍ଡ ଘର କିଣା ପାଇଁ ବ୍ୟାଙ୍କ ଋଣ ୮ ବର୍ଷର ସୁଧ, ୫ ବର୍ଷର ଘରଭଡ଼ା ଏବଂ ମାନସିକ ନିର୍ଯାତନାର କ୍ଷତିପୂରଣ ପ୍ରଦାନ କରିବା ସହିତ ଘର ହସନ୍ତାନ୍ତର କରୁ। ସେହିପରି ସଭାପତି ଗୋପାଳଚନ୍ଦ୍ର ସାହୁ କହିଛନ୍ତି, ଅଢ଼େଇ ବର୍ଷରେ ଘର ଦେବାକୁ କହି ୮ ବର୍ଷ ହେଲା ବସି ରହିଥିବା ବୋର୍ଡ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ନକରି ଆମକୁ ଆହୁରି ଟଙ୍କା ଓ ତା ଉପରେ ଅଗ୍ରୀମ ସୁଧ ମାଗିବା ଅନୈତିକ।