ହାଉସିଂ ବୋର୍ଡରେ ନୂଆ ଅଧ୍ୟକ୍ଷଙ୍କ ଯୋଗଦାନ

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ବର : ରାଜ୍ୟ ହାଉସିଂ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ତଥା ବିଜେଡିର ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ବୋର୍ଡର ସଚିବ, ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ସରକାରଙ୍କ ହାଉସିଂ ପଲିସି ଅନୁସାରେ ଇଡବ୍ଲ୍ୟୁଏସ୍‌ ଓ ଏଲ୍‌ଆଇଜି ବର୍ଗର ଲୋକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫ଟି ଅନୁସାରେ ସଂସ୍ଥାର କାର୍ଯ୍ୟକ୍ରମକୁ ଆଗେଇ ନିଆଯିବ। ଆଗାମୀ ଦିନରେ ହାଉସିଂବୋର୍ଡ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ରାଜ୍ୟର ପ୍ରତି ଜିଲ୍ଲାର ସଦର ମହକୁମାରେ ବ୍ୟାପକ ଗୃହ ନିର୍ମାଣ ପ୍ରକଳ୍ପ ହାତକୁ ନେବ। ଏହା ବାଦ୍ ବିଭିନ୍ନ ସହରରେ ଥିବା ପ୍ରକଳ୍ପରେ ଗୃହ ପାଇଥିବା ହିତାଧିକାରୀମାନଙ୍କୁ ସେମାନଙ୍କ ଲିଜ୍‌ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ବିଜୟ କୁମାର ନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ପରିଷଦର କାର୍ଯ୍ୟାଳୟରେ ଶ୍ରୀ ନାୟକ ଦାୟିତ୍ବ ଗ୍ରହଣ କରି କହିଛନ୍ତି, ରାଜ୍ୟର ଯୁବଗୋଷ୍ଠୀଙ୍କୁ ସୁଦୃଢ଼ ଓ କ୍ରିୟାଶୀଳ କରିବାରେ ‘ବିଜୁ ଯୁବ ବାହିନୀ’ ଅତ୍ୟନ୍ତ ସହାୟକ ହୋଇଛି। ଯୁବ ବାହିନୀର ସଦସ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ରାଜ୍ୟବାସୀଙ୍କ ହୃଦୟ ଜିଣି ପାରିଛନ୍ତି। ରାଜ୍ୟ ଯୁବନୀତି-୨୦୦୩ ଅନ୍ତର୍ଗତ ବିଭିନ୍ନ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ବିଜୁ ଯୁବ ବାହିନୀର ସାମାଜିକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ନାୟକ କହିଥିଲେ। ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମାନେ ନୂଆ ଅଧ୍ୟକ୍ଷଙ୍କୁ ସ୍ବାଗତ କରିଥିଲେ। ଦାୟିତ୍ବ ଗ୍ରହଣ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, କିଶୋର ମହାନ୍ତି, ପ୍ରଭୁ ଜାନି ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର