ଅନଶନରେ ବସିଲେ ଆବାସ ଦାବିଦାର

ବିଂଝାରପୁର : ବିଂଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତରେ ଆବାସ ତାଲିକାରେ ବ୍ୟାପକ ତ୍ରୁଟି ରହିଛି। ପଞ୍ଚାୟତର ବହୁ ଯୋଗ୍ୟ ପରିବାର ତାଲିକାରେ ନାହାନ୍ତି। ଅଯୋଗ୍ୟ ଲୋକଙ୍କ ନାମ ତାଲିକାରେ ପ୍ରକାଶ ପାଇଛି। ପ୍ରକୃତ ଗରିବ, ଖଟିଖିଆ, ବିଧବା ଲୋକଙ୍କ ନାମ ତାଲିକାରେ ନାହିଁ। ଦୁଇ ମହଲା କୋଠା, ପଞ୍ଚାୟତର ସରପଞ୍ଚଙ୍କ ପତ୍ନୀଙ୍କ ନାମ ମଧ୍ୟ ତାଲିକାରେ ରହିଛି। ତ୍ରୁଟି ସଂଶୋଧନ କରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଚୟନ କରିବା ଦାବିରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସମିତିସଭ୍ୟ ରାଣାପ୍ରତାପ ମହାପାତ୍ରଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ୱାଳ, ସନ୍ଦୀପ ପଣ୍ଡା, ସନ୍ତୋଷ ସାମଲ, ନିମାଇଁ ପରିଡ଼ା, ସୁମନ ଧଳ, ଶ୍ୟାମସୁନ୍ଦର ନାୟକ, ନିରଞ୍ଜନ ଧଳ, କଣ୍ଢେଇ ମଳିକ, ଜେରିନା ପରବିନ, ଫାତେମା ବିବି, ଦୁର୍ଯ୍ୟୋଧନ ସାମଲ, ଗୌରୀଶଙ୍କର ସାମଲ, ନାରାୟଣ ଯେନା, ବାଇଧର ଯେନା, ସଞ୍ଜୟ ମଳିକ, ପ୍ରଫୁଲ୍ଲ ମଲିକ ପ୍ରଭୃତି ଆମରଣ ଅନଶନରେ ବସିଛନ୍ତି।

ସରପଞ୍ଚ କାମଦେବ ଧଳ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟାରେ ବିଡିଓ ମିନତି ଜଗଦେବ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ସୁଫଳ ମିଳିନଥିଲା। ଶେଷରେ ବିଡିଓ ନିରାଶ ହୋଇ ଫେରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ଧଳଙ୍କୁ ପଚାରିବାରୁ ସେ ବ୍ଲକ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସନ୍ଦା ପଞ୍ଚାୟତର ୧୩ ୱାର୍ଡ ମଧ୍ୟରୁ ମାତ୍ର ୩ ୱାର୍ଡର ସର୍ଭେ ହୋଇଥିଲା ବୋଲି କହିଛନ୍ତି। କିଭଳି ଅଯୋଗ୍ୟ ଲୋକଙ୍କ ନାମ ତାଲିକା ପ୍ରକାଶ ପାଇଲା, ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର