ସୁନ୍ଦରଗଡ଼ ଜିଲ୍ଲାରେ ଆବାସ ଦୁର୍ନୀତି ଓ ଅନିୟମିତତା: ଶେଷ କିସ୍ତି ଦିଆନଯାଇ ବି ରେକର୍ଡରେ ଘର ସଂପୂର୍ଣ୍ଣ

୧୮୩୩ ଅଧାଗଢ଼ା ଆବାସ ସରକାରୀ ନଥିରେ ସଂପୂର୍ଣ୍ଣ

ସୁନ୍ଦରଗଡ଼/ଲେଫ୍ରିପଡ଼ା : ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୦-୨୧ର ଆର୍ଥିକ ବର୍ଷର ଜୁନ ୧୨ ମଧ୍ୟରେ ୧୮୩୩ ଆବାସକୁ ସମ୍ପୂର୍ଣ୍ଣ ଦର୍ଶାଯାଇଛି। କିନ୍ତୁ କୌଣସି ହିତାଧିକାରୀଙ୍କୁ ଶେଷ କିସ୍ତି ୩୦ ହଜାର ଦିଆଯାଇ ନାହିଁ। ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ହିଁ ଶେଷ କିସ୍ତି ୩୦ ହଜାର ଦିଆଯାଇଥାଏ। ୧୮୩୩ଟି ଆବାସ ପାଇଁ ଶେଷ କିସ୍ତି ଦିଆଯାଇ ନଥିଲେ ବି ଗୃହକୁ ସମ୍ପୂର୍ଣ୍ଣ ବୋଲି ଦର୍ଶାଯାଇଛି। ଅନୁସନ୍ଧାନ ବେଳେ ଅଧିକାଂଶ ଘର ଛାତ ପଡ଼ି ନଥିବା, କିଛି ଘରେ କବାଟ ଓ ଝର୍କା ଲାଗି ନଥିବା, ଆଉ କିଛି ଘର ଚଟାଣ ଓ ରଙ୍ଗ କାମ ହୋଇ ନଥିବା ଦେଖିବାକୁ ମିଳିଛି। କିନ୍ତୁ ସରକାରୀ ନଥିପତ୍ରରେ ସେ ସବୁ ଘର ସମ୍ପୂର୍ଣ୍ଣ ହୋଇଛି।

ହେମଗିରି ବ୍ଲକ୍‌ ଅନ୍ତର୍ଗତ ହେମଗିର ପଞ୍ଚାୟତ ତ୍ରିଲୋଚନପୁରର ନିଃସନ୍ତାନ ବୃଦ୍ଧ କଏତା କିସାନ ଓ ତାଙ୍କ ସ୍ତ୍ରୀଙ୍କୁ ୨୦୧୬–୧୭ ବର୍ଷରେ ଏକ ଆବାସ ମିଳିଥିଲା। ଏବେ ଛାତ ଓ କାନ୍ଥ ଫାଟି ଯାଇଥିବା ବେଳେ ମୂଳରୁ ଝର୍କା ଲାଗି ନାହିଁ କି ପଲସ୍ତରା ହୋଇନାହିଁ। ଚଟାଣ ବି ମାଟିଲିପା। କିନ୍ତୁ ଘରଟି ସରକାରୀ ନଥିରେ ସମ୍ପୂର୍ଣ୍ଣ। ସେହିପରି ଲେଫ୍ରିପଡ଼ା ବ୍ଲକ୍‌ ସରଫଗଡ଼ ପଞ୍ଚାୟତ ଦେଉଳଡିହି ଗ୍ରାମର ଲଲିତା ମାଝୀ ଓ ନିରୁ ଜୟପୁରିଆଙ୍କୁ ୨୦୧୭ରେ ମିଳିଥିଲା ଆବାସ। ଉକ୍ତ ଘରଗୁଡିକ ଛାତ ପର୍ଯ୍ୟନ୍ତ କାମ ସରିଛି। କିନ୍ତୁ ସରକାରୀ ରିପୋର୍ଟରେ ଏହାକୁ ସମ୍ପୂର୍ଣ୍ଣ ବୋଲି ଦର୍ଶାଯାଇଛି। ଏହି ବ୍ଲକ୍‌ରେ ୨୦୧୬-୧୭ ରୁ ୨୦୨୦-୨୦୨୧ ମଧ୍ୟରେ (ପ୍ରଧାନମନ୍ତ୍ରୀ ଆବାସ ବ୍ୟତୀତ) ଆବାସ ଯୋଜନାରେ ୩୨ ଜଣ ହିତାଧିକାରୀଙ୍କୁ ଆଦୌ କିସ୍ତି ଟଙ୍କା ଦିଆଯାଇ ନ ଥିବା ବେଳେ ୨୦୧ଟି ଘର ପ୍ଲିନ୍ଥ୍‌ ସ୍ତରରେ ରହିଛି। ପ୍ଲିନ୍ଥ୍‌ରୁ ଛାତ ଯାଏ ଉଠିଥିବା ୧୨୧ଟି ଆବାସ ଓ ଛାତ ସ୍ତରରେ ୧୮୧ଟିକୁ ମିଶାଇ ମୋଟ ୫୩୫ ଟି ଘର ଅସମ୍ପୂର୍ଣ୍ଣ ହୋଇ ରହିଛି। ତେବେ ୨୫୦ଟି ଘର ସଂପୂର୍ଣ୍ଣ ହୋଇଥିଲେ ବି ହିତାଧିକାରୀଙ୍କୁ ଶେଷ କିସ୍ତି ଦିଆଯାଇ ନାହିଁ।

ପ୍ରାୟ ୮୦ ରୁ ୯୦ ପ୍ରତିଶତ ଘର ଠିକାଦାର ମାଧ୍ୟମରେ କରାଯାଇଥିବା ବେଳେ ଘରଗୁଡ଼ିକର ପଲସ୍ତରା, କବାଟ, ଝରକା, ସିମେଣ୍ଟ ଚଟାଣ କାମ କରା ନଯାଇ ଯୋଜନାର ଅର୍ଥ ଉଠାଇ ନିଆଯାଇଛି। ଏହା ସତ୍ତ୍ବେ ବ୍ଲକ୍‌କୁ ଆବାସ ଯୋଜନାରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରଥମ ପୁରସ୍କାର ମିଳିଛି। ଅଭିଯୋଗ ହୋଇଛି, ପୂର୍ବତନ ବିଡିଓ ନିଜର ଦକ୍ଷତା ପ୍ରଦର୍ଶନ ସକାଶେ ଓ ପୁରସ୍କାର ହାତେଇବାର ଲାଳସାରେ ପଞ୍ଚାୟତ ସ୍ତରରୁ ଜିଓଟେକ୍‌, ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଜବରଦସ୍ତି ଚାପ ପକାଇ ଅଧାଗଢ଼ା ଘରଗୁଡ଼ିକୁ ସଂପୂର୍ଣ୍ଣ ଦର୍ଶାଇ ଏହି ଯୋଜନାରେ ଶ୍ରେଷ୍ଠତା ହାସଲ କରି ନେଇଥିଲେ।

ଏବେ ଜିଲ୍ଲାରେ ୪୬୫୦ଟି ଘର ଅସମ୍ପୂର୍ଣ୍ଣ ହୋଇ ରହିଛି। ସେଥି ମଧ୍ୟରୁ ୩୨୫ଟି ଆବାସର ଆଦୌ କିସ୍ତି ପ୍ରଦାନ କରାଯାଇ ନଥିବା ବେଳେ ପ୍ଲିନ୍ଥ୍‌ ସ୍ତରରେ ୧୪୩୮, ପ୍ଲିନ୍ଥ୍‌ରୁ ଛାତ ଯାଏ ୧୦୬୦, ଛାତ ସ୍ତରରେ ୧୮୧୭ଟି ରହିଛି। ନିକଟରେ କେନ୍ଦ୍ର ସରକାରଙ୍କ ଏକ ଅନୁସନ୍ଧାନକାରୀ ଟିମ୍ ସୁନ୍ଦରଗଡ଼ ସମେତ ସାରା ରାଜ୍ୟରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତ‌ାର ଯାଞ୍ଚ କରି ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଥିଲେ। ଗୋଟିଏ ପରିବାରରେ ବାପପୁଅଙ୍କୁ ଆବାସ ମିଳିଥିବା, ଅଧାଗଢ଼ା ଘରକୁ ସରକାରୀ ନଥିପତ୍ରରେ ସମ୍ପୂର୍ଣ୍ଣ ଦର୍ଶାଯାଇଥିବା ଯାଞ୍ଚ ବେଳେ ଧରିଥିଲେ ଟିମ୍‌। ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ଏତଲା ଦେବାକୁ ଓଡ଼ିଶା ମୁଖ୍ୟଶାସନ ସଚିବଙ୍କୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ‌ଲେଖିଥିଲେ। କାର୍ଯ୍ୟାନୁଷ୍ଠାନ ସୁପାରିସ ପତ୍ରରେ ସୁନ୍ଦରଗଡ଼ର କିଛି ଅଧିକାରୀଙ୍କ ନାମ ମଧ୍ୟ ରହିଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କିଛି ଦିନ ତଳେ ସୂଚନା ଦେଇଥିଲେ। ଏବେ ଜିଲ୍ଲାରେ ଆବାସର ସରକାରୀ ରିପୋର୍ଟ ଆଧାରରେ ବାସ୍ତବତାକୁ ପରଖିଲା ବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର