ଦଶରଥପୁର, : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ଆବାସ ଦୁର୍ନୀତି ଘଟଣାରେ ସଂପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ୯ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଯାଜପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଶାଳ ସିଂ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲା ଉଚ୍ଚନ୍ୟାୟଳୟରେ ପହଞ୍ଚିବା ପରେ ୩ ମାସ ମଧ୍ୟରେ (ନମ୍ବର ୨୨୬୭/୨୦୨୦ରେ) ଯାଜପୁର ପ୍ରକଳ୍ପ ନିର୍ଦେଶକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା। ଅଭିଯୋଗର ତର୍ଜମା ଓ ତଦନ୍ତ ପରେ ପ୍ରକଳ୍ପ ନିର୍ଦେଶକ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।
ବିରିପଟା ପଞ୍ଚାୟତରେ ସ୍ୱଚ୍ଛଳ ବ୍ୟକ୍ତି, ସରକାରୀ କର୍ମଚାରୀ ଆବାସ ହାତେଇଥିଲେ। ଏନେଇ ପଞ୍ଚାୟତ ପକ୍ଷରୁ ଲିଖିତ ଭାବେ ବିଡିଓ, ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପଞ୍ଚାୟତର ବିକାଶ କୁମାର ଧଳ ହାଇକୋର୍ଟଙ୍କ ଦ୍ୱରାସ୍ଥ ହୋଇଥିଲେ। ଉଚ୍ଚନ୍ୟାୟଳୟ ଏହାର ଶୁଣାଣି କରି ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ପ୍ରକଳ୍ପ ନିର୍ଦେଶକ ବିଶାଳ ସିଂ ଅଭିଯୋଗର ଶୁଣାଣି କରି ଗତ ୧୫ ତାରିଖରେ ଚିଠି ନଂ ୧୪୬୬ରେ ତତ୍କାଳୀନ ବିରିପଟା ପଞ୍ଚାୟତ ଦାୟିତ୍ୱରେ ଥିବା ପିଇଓ ସ୍ନିଗ୍ଧା ସାହୁଙ୍କ ଉପରେ ୮ ଲକ୍ଷ ୫୫ ହଜାର ଏବଂ କନିଷ୍ଠ ଯନ୍ତ୍ରୀ ବିକାଶ ରଂଜନ ଦାସଙ୍କୁ ୬୫ ହଜାର ଟଙ୍କା ଜରିମାନା କରିଛନ୍ତି। ପିଇଓ ସ୍ନିଗ୍ଧା ସାହୁ ସଂପ୍ରତି କୋରେଇ ବ୍ଲକରେ କାର୍ଯ୍ୟରତ ଥିବାରୁ ତାଙ୍କ ଜରିମାନା ରାଶି କୋରେଇ ବିଡିଓ ଆଦାୟ କରିବେ ଏବଂ ଜେଇ ବିକାଶ ରଂଜନ ଦାସ ବର୍ତ୍ତମାନ ବିଂଝାରପୁର ବ୍ଲକରେ କାର୍ଯ୍ୟରତ ଥିବାରୁ ବିଂଝାରପୁର ବିଡିଓ ୬୫ ହଜାର ଟଙ୍କା ଆଦାୟ କରିବାକୁ ପ୍ରକଳ୍ପ ନିର୍ଦେଶକ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/awas.jpeg)