ପାଟଣା : ଅସହାୟ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କ ଥଇଥାନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନାଦି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅନେକ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଏହାର ଏକ ଜ୍ଵଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ଗାଁରେ ଦେଖିବାକୁ ମିଳିଛି।
ଏହି ଗାଁର ଜଣେ ମହିଳା ଝାଟିମାଟି ଭଙ୍ଗା ଘର ତଳେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି। ସାହାରପଡା ବ୍ଲକ ଖଜିରାପାଟ ଗାଁ ର ସରୋଜିନୀ ମୁଣ୍ଡା(୫୨) ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ମହିଳା। ତାଙ୍କର ଆତ୍ମୀୟ କହିଲେ ଜଣେ ସାନ ଭଉଣୀ। ସରୋଜିନୀଙ୍କ ମା’ ମୃତ୍ୟୁ ବରଣ କରିଥିବା ବେଳେ ବାପା ଘର ଛାଡି ବାହାରେ ରୁହନ୍ତି। ପାଖରେ ଜଣେ ସାନ ଭଉଣୀଙ୍କୁ ଛାଡିଲେ ଆଉ କେହି ନିଜର ଆତ୍ମୀୟ ବୋଲି ନାହିଁ। ସରୋଜିନୀଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ସକ୍ଷମ ନ ଥିବାରୁ ଚାଲିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥାଏ। ଫଳରେ ସେ ମୂଲ ମଜୁରି କାମ ମଧ୍ୟ କରି ପାରନ୍ତି ନାହିଁ । କୌଣସି କାମ କରି ନ ପାରିବାରୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନାହିଁ । ଓଳିଏ ଖାଇଲେ ଆର ଓଳି ଖାଡ଼ା ଓପାସ। ପାଖରେ ଏକ ମାତ୍ର ସାହାରା ଭାବେ ରହୁଥିବା ସାନ ଭଉଣୀ ମୂଲ ମଜୁରି କରି ଆଣିଲେ ସେମାନଙ୍କ ପେଟକୁ ଦାନା ଯାଏ । ନଚେତ ସାହି, ପଡିଶାଙ୍କୁ ମାଗି ନିଜ ଭୋକ ମେଣ୍ଟାନ୍ତି। ସାନ ଭଉଣୀ ମୂଲ ମଜୁରିକୁ ନ ଯାଇ ପାରିଲେ ଓପାସ ରହିବାକୁ ବାଧ୍ୟ ହୁଅନ୍ତି। ଏପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ। ଝାଟିମାଟି ଭଙ୍ଗା କୁଡ଼ିଆଟି ତାଙ୍କର ଆଶ୍ରୟ ସ୍ଥଳ ପାଲଟିଛି। ବର୍ଷା ହେଲେ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି।
ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ୩ ଶହ ମିଟର ଦୂରରେ ଏଭଳି ଦୟନୀୟ ଅବସ୍ଥାରେ ରହୁଥିଲେ ହେଁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ ହୋଇଛି। ସରୋଜିନୀ ଆବାସ ଯୋଜନାରେ ଘରଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ସେ କହିଛନ୍ତି। ଏ ସମ୍ପର୍କରେ ଖଜିରାପାଟ ପଞ୍ଚାୟତର ପିଇଓ ପ୍ରମୋଦ କୁମାର ବାରିକଙ୍କୁ ପଚାରିବାରୁ ସେ ତର୍ଜମା କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି। ଯଦି ସେ ଆବେଦନ କରିଥିବେ ଏବଂ ଯୋଗ୍ୟ ହିତାଧିକାରୀ ହୋଇଥିବେ ନିଶ୍ଚିତ ସେ ଆବାସ ଯୋଜନାରେ ଘର ପାଇବେ ବୋଲି ସେ କହିଥିଲେ।