ସ୍ମାର୍ଟସିଟିରେ ବାଟବଣା ବାସଗୃହ ପ୍ରକଳ୍ପ! ନୂଆ ଆଶା ସଞ୍ଚାରକଲା ହାଉସିଂ ବୋର୍ଡ

କାର୍ଯ୍ୟାଳୟ ପରିସରରେ ହେବ ୭ ମହଲା ବିଶିଷ୍ଟ ପ୍ରକଳ୍ପ, ଅନିଶ୍ଚିତତାରେ ଆର୍‌ଡିଏ-ଆର୍‌ଏମ୍‌ସିର ୩ ପ୍ରକଳ୍ପ

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ବାସଗୃହ ଯୋଜନା ସବୁ ବାଟବଣା ହୋଇଯାଇଛି। ସହରରେ ବସବାସ କରୁଥିବା ଜନସାଧାରଣଙ୍କୁ ବାସଗୃହ ଯୋଗାଇବାକୁ ଉଭୟ ରାଉରକେଲା ଡେଭେଲପ୍‌ମେଣ୍ଟ୍‌ ଅଥରିଟି(ଆର୍‌ଡିଏ) ଓ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ବିଗତ ଦିନରେ ଏକାଧିକ ଯୋଜନା କରାଯାଇଥିଲା; ମାତ୍ର ଭିନ୍ନ ଭିନ୍ନ କାରଣରୁ ଏସବୁ ପ୍ରକଳ୍ପ ଏବେ ଶୀତଳଭଣ୍ଡାରରେ। ଅପରପକ୍ଷରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ବହୁସଂଖ୍ୟକ କ୍ବାର୍ଟର ଖାଲି ପଡ଼ିଥିଲେ ମଧ୍ୟ ଏହାକୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଉନି। ଏସବୁ କାରଣ ପାଇଁ ସହରରେ ବାସଗୃହର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବାବେଳେ ଘର ମିଳିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଭଳି ସମୟରେ ଶିଥିଳ ପଡ଼ିଯାଇଥିବା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବେ ନୂଆ ଆଶା ଦେଖାଇଛି। ଖୁବଶୀଘ୍ର ରାଜ୍ୟ ଗୃହ ନିର୍ମାଣ ସଂସ୍ଥା, ରାଉରକେଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏକ ବାସଗୃହ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏହି ପ୍ରକଳ୍ପ ବାସନ୍ତିକଲୋନିସ୍ଥ ପ୍ରକଳ୍ପ କାର୍ଯ୍ୟାଳୟରେ ନିର୍ମାଣ ହେବ। ଏଠାରେ ଥିବା କାର୍ଯ୍ୟାଳୟ ଭଙ୍ଗାଦଦରା ହୋଇପଡ଼ିଛି। ଏହାକୁ ଭାଙ୍ଗି ୭ ମହଲା ବିଶିଷ୍ଟ ବାସଗୃହ ପ୍ରକଳ୍ପ ନିର୍ମାଣ କରାଯିବ। ଏଠାରେ ମୋଟ୍‌ ତିନୋଟି ପ୍ରକାର ବାସଗୃହ, ଯଥା- ଏଚ୍‌ଆଇଜି, ଏମ୍‌ଆଇଜି ଓ ଏଲ୍‌ଆଇଜିର ଗୃହ ନିର୍ମାଣ କରାଯିବ; ଯେଉଁଥିରେ ପାଖାପାଖି ଶହେ ଟି ପରିବାର ରହିପାରିବେ। ଏହି ପ୍ରକଳ୍ପ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇସାରିଛି। ପ୍ରସ୍ତାବ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିସାରିଲାଣି। ତେବେ ପ୍ରକଳ୍ପର ବ୍ୟୟ ଅଟକଳ ଓ ନିର୍ଦ୍ଦିଷ୍ଟ କେବେଠାରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ, ତାହା ଚୂଡ଼ାନ୍ତ ହୋଇନି। ଖୁବଶୀଘ୍ର ସମସ୍ତ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଆଗାମୀ ୨/୩ ବର୍ଷ ଭିତରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଏହି ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ଏକ ଉନ୍ନତମାନର ଅତ୍ୟାଧୁନିକ ବାଣିଜ୍ୟିକ କମ୍ପ୍ଲେକ୍ସ ସ୍ଥାପନ କରାଯିବବୋଲି ହାଉସିଂ ବୋର୍ଡ, ରାଉରକେଲା କାର୍ଯ୍ୟାଳୟର ସହକାରୀ ପ୍ରଶାସନିକ ଅଧିକାରୀ ସୂର୍ଯ୍ୟକାନ୍ତ ରାୟ ସୂଚନା ଦେଇଛନ୍ତି।

ସହରରେ ବାସଗୃହ ଯୋଗାଇବାରେ ରାଉରକେଲା ପ୍ରଶାସନ ଯେ ଶତ ପ୍ରତିଶତ ବିଫଳ ହୋଇଛି, ତାହା ଆଉ କାହାକୁ ଅଛପା ନାହିଁ। ପ୍ରକାଶଥାଉକି, ବିଗତ ଦିନରେ ଆର୍‌ଡିଏ ପକ୍ଷରୁ ଦୁଇଟି ଓ ଆର୍‌ଏମ୍‌ସି ପକ୍ଷରୁ ଦୁଇଟି, ମୋଟ୍‌ ୪ଟି ବାସଗୃହ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏଥିମଧ୍ୟରୁ ତିନୋଟି ପ୍ରକଳ୍ପର ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବାବେଳେ କେବଳ ଗୋଟିଏ ପ୍ରକଳ୍ପ ନିର୍ମାଣାଧୀନ। ଛେଣ୍ଡ୍‌ଠାରେ ପ୍ରାୟ ୩.୩୦ ଏକର ପରିମିତ ଅଞ୍ଚଳରେ ପିପିପି ମୋଡ୍‌ରେ ଏକ ବାସଗୃହ ପ୍ରକଳ୍ପ ନିର୍ମାଣାଧୀନ। ଏଠାରେ ପାଖାପାଖି ୬ ଶହ ଲୋକଙ୍କୁ ଥଇଥାନ କରାଯିବ। ବିଶେଷକରି ମନଟୋଲା ବସ୍ତି, ବାଂଗଲାଟୋଲା ବସ୍ତି ଓ ପାନପୋଷର ଜନସାଧାରଣଙ୍କୁ ଏହି ଗୃହ ଆବଣ୍ଟନ କରାଯିବ। ଏହି ପ୍ରକଳ୍ପ କିଛି ମାତ୍ରାରେ ଆଶ୍ବସ୍ତ କରିଥିବାବେଳେ ଅନ୍ୟ ୩ଟି ବାସଗୃହ ପ୍ରକଳ୍ପର ଭାଗ୍ୟ ଫିଟିନପାରିବା ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ଆର୍‌ଡିଏ ପକ୍ଷରୁ ଛେଣ୍ଡ୍‌ କଲୋନିଠାରେ ଆଉ ଏକ ବାସଗୃହ ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା। ଏଠାରେ ଆମ୍ବେଦକର ବସ୍ତି, ହରିପୁର ବସ୍ତି, ଗଙ୍ଗାଧରପଲ୍ଲୀ ଓ କୁମ୍ଭାରପଡ଼ା ଆଦି ଅଞ୍ଚଳର ଜନସାଧାରଣଙ୍କ ପାଇଁ ୭୨୦ଟି ଘର ବିଶିଷ୍ଟ ପ୍ରସ୍ତାବିତ ପ୍ରକଳ୍ପ; କେବଳ ପ୍ରସ୍ତାବରେ ସୀମିତ ରହିଛି। ସେହିଭଳି ଆର୍‌ଏମ୍‌ସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ(ପିଏମ୍‌ଏୱାଇୟୁ) ମାଧ୍ୟମରେ ଦୁଇଟି ପ୍ରକଳ୍ପ, ପ୍ରକଳ୍ପ-୧ ଓ ପ୍ରକଳ୍ପ-୨ ପ୍ରସ୍ତାବ ଥିଲା। ପ୍ରକଳ୍ପ-୧ରେ ଧାମରାବସ୍ତି, କୋଏଲ ବ୍ୟାଙ୍କ୍‌, ଆମ୍ବେଦକର ନଗର ଆଦି ଅଞ୍ଚଳବାସୀଙ୍କ ପାଇଁ ୮ ଶହ ଘର ଏବଂ ପ୍ରକଳ୍ପ-୨ରେ ହରିପୁର, ମାଲଗୋଦାମ, ଆମ୍ବେଦକରନଗର, ବିପିୟୁଟି ବସ୍ତି, ପ୍ରଧାନ କଲୋନୀ ଆଦି ଅଞ୍ଚଳବାସୀଙ୍କ ପାଇଁ ୭୫୦ ଘର ନିର୍ମାଣ ଯୋଜନା ଯୋଜନା ଥିଲା। ତେବେ ଉଭୟ ପ୍ରକଳ୍ପ ଏବେ ବାଟବଣା ହୋଇଯାଇଛି। ଏହା ପୂର୍ବରୁ, ସ୍ଥାନୀୟ ମଧୁସୂଦନପଲ୍ଲୀଠାରେ ମଧ୍ୟ ପାଖାପାଖି ୪୯୦୦ ଜଣ ବାସହୀନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଇଥିଲା। ଏମିତିକି ଆର୍‌ଏମ୍‌ସି ପକ୍ଷରୁ ୩୬ ଏକର ଜମି ଚିହ୍ନଟ ବି କରାଯାଇଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ସତ୍ୟତାରେ ପରିଣତ ହୋଇପାରିନଥିଲା।

ସମ୍ବନ୍ଧିତ ଖବର