୫-ଟି କେମିତି ସିଏମ୍‌ଓ: ଜୟନାରାୟଣ

ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଘାରିଛି: ବିଜେଡି

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ଆଜି ୫-ଟି ପ୍ରସଙ୍ଗ ଉଠାଇଛନ୍ତି। ଶୂନ୍ୟକାଳରେ ସେ ୫-ଟି କେମିତି ସିଏମ୍‌ଓ ହେଲେ ବୋଲି କହିଥିଲେ। କିନ୍ତୁ ବିଜେଡି ସଭ୍ୟଙ୍କ ହୋହଲ୍ଲା ଯୋଗୁ ଶ୍ରୀ ମିଶ୍ରଙ୍କ କଥା ଶୁଣାଯାଇ ନ ଥିଲା। ଗୃହ ମଧ୍ୟ ମୁଲତବୀ ରହିଥିଲା। ଗୃହ ବାହାରେ ଗଣମାଧ୍ୟମକୁ ଶ୍ରୀ ମିଶ୍ର କହିଲେ, ‘୫-ଟି’ର ସବୁ ଜାଗାରେ ଆବଶ୍ୟକତା କ’ଣ? ଜଣେ କହୁଛନ୍ତି ଯେ ୫-ଟି ଏକ ଚିନ୍ତାଧାରା-ବିଚାରଧାରା।

ଏବେ କହିଲେଣି ୫-ଟି ହେଉଛି ସିଏମ୍‌ଓ। ଗୋଟିଏ ବିଚାରଧାରା କିଭଳି ସିଏମ୍‌ଓ ହେବ? ମୁଖ୍ୟମନ୍ତ୍ରୀଙ୍କ ସଚିବ ସିଏ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସିଏ ଜଣେ କର୍ମଚାରୀ ହୋଇପାରନ୍ତି। କିନ୍ତୁ ତାଙ୍କୁ ସିଏମ୍‌ଓ ବୋଲି କହିଲେଣି ଜଣେ ବିଧାୟକ। ସେହି ବିଧାୟକ ନିଜକୁ କ୍ରୀତଦାସ ବି କହିଲେଣି । ସେ ଦ୍ୱାରପାଳ ଭୂମିକା ତୁଲାଇଲେ। ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି। ଏହି କଥାକୁ ବିଧାନସଭାରେ ଉଠାଇବାକୁ ଚାହୁଥିଲି। କାରଣ ଏବେ ବିଶ୍ୱରୁ କ୍ରୀତଦାସ ପ୍ରଥା ଉଠିଗଲାଣି। ଶାସକ ଦଳ ବିଧାୟକମାନେ ଜାଣିଥିଲେ ଯେ ଏହି ପ୍ରସଙ୍ଗ ଗୃହରେ ଉଠିବ। ତେଣୁ ସେମାନେ ଚାଉଳ କଥା ଉଠାଇଲେ। ଟଙ୍କିକିଆ ଚାଉଳ ଦେଇ ଓଡ଼ିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଥିଲେ, ସେମାନେ ଦିଅନ୍ତୁ। କିଏ ତାଙ୍କୁ ମନା କରୁଛି।

ଏହି ପ୍ରସଙ୍ଗ ଉପରେ ଜବାବ ଦେଇ ବିଜେଡି ବିଧାୟିକା ଲତିକା ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାର ବିକାଶ ହେଉଛି। କିନ୍ତୁ ବିରୋଧୀଦଳ ନେତାଙ୍କୁ ୫-ଟି ଭୂତ ଘାରିଛି। ୫-ଟି ମାଧ୍ୟମରେ ରାଜ୍ୟର ବହୁ କ୍ଷେତ୍ରରେ ବିକାଶ ଦ୍ରୁତ ଗତିରେ ହେଉଛି। ବି‌ରୋଧୀ ଦଳ ନେତା ଏସବୁ ଦେଖି ବିଚଳିତ ହେଉଛନ୍ତି। ସେ ସବୁବେଳେ ବିଧାନସଭାରେ ଖାଲି ୫-ଟି ଓ ସିଏମ୍‌ଓ କଥା କହୁଛନ୍ତି। ତାଙ୍କର ମାନସିକ ଭ୍ରମ ସୃଷ୍ଟି ହେଉଛି। ତାଙ୍କର ଯଦି ଚିକିତ୍ସା ଦରକାର ତା’ହେଲେ ରାଜ୍ୟ ସରକାର ସାହାଯ୍ୟ କରିବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର