ନିଜସ୍ବ ନିଯୁକ୍ତି ବଦଳରେ ଡେପୁଟେସନକୁ ଭରସା
ପରିଚାଳନା ଦାୟିତ୍ବରେ ସେହି କଂପାନି କର୍ମଚାରୀ
ବଳି ପଡ଼ୁଛି ଉପଭୋକ୍ତାଙ୍କ ସ୍ବାର୍ଥ
ଭୁବନେଶ୍ବର : ବିଦ୍ୟୁତ୍ ସଂସ୍କାର ପଛର ମୂଳ ଲକ୍ଷ୍ୟ ଥିଲା ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଇବା। ଏହି ଲକ୍ଷ୍ୟ ସାଧନ ଦିଗରେ ଉତ୍ପାଦନ, ଯୋଗାଣ, ଆବଣ୍ଟନ ଭଳି ତିନିଟି ପକ୍ଷର ଯୋଗଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମସ୍ତ ବ୍ୟାପାରକୁ ନୟନ୍ତ୍ରଣ ପାଇଁ ସରକାର ଅର୍ଧ ନ୍ୟାୟିକ ସଂସ୍ଥା ଭାବେ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଗଠନ କରିଛନ୍ତି। ହେଲେ ଯଦି ଯୋଗାଣ ଏବଂ ବିତରଣ କଂପାନିଙ୍କ ଅର୍ଥରେ ଆୟୋଗର ଦୈନନ୍ଦିନ ଖର୍ଚ୍ଚ ଭରଣା କରାଯାଏ ଏବଂ ଏହି ପ୍ରମୁଖ ପକ୍ଷଗୁଡିକର କର୍ମଚାରୀମାନେ ଡେପୁଟେସନରେ ଆସି ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ ବ୍ୟାପାର ବୁଝାସୁଝା କରନ୍ତି; ତେବେ ଏହି ସଂସ୍ଥା କେତେ ନିରପେକ୍ଷ ହୋଇପାରିବେ ଓ ସାଧାରଣ ଉପଭୋକ୍ତା କିଭଳି ନ୍ୟାୟ ପାଇବେ? ବିଜୁଳି କେଳେଙ୍କାରୀ ପ୍ରସଙ୍ଗଟି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏଭଳି ଏକ ପ୍ରଶ୍ନ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।
ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ବେସରକାରୀ ସ୍ବାଧୀନ ବିଦ୍ୟୁତ୍ କେନ୍ଦ୍ର ଗୁଡିକରୁ ଶସ୍ତା ବିଦ୍ୟୁତ୍ ବର୍ଷ ବର୍ଷ ଧରି ହାତଛଡ଼ା କରିବା କଥା ହେଉ କିମ୍ବା ଓଡ଼ିଶା ଭଳି ବଳକା ରାଜ୍ୟରେ ଅତ୍ୟନ୍ତ ମହଙ୍ଗା ବିଦ୍ୟୁତ୍ ଉପଲବ୍ଧ ଘଟଣାରେ ଆୟୋଗଙ୍କ ଭୂମିକାକୁ ଶକ୍ତି ସମୀକ୍ଷକମାନେ ଏ କ୍ଷେତ୍ରରେ ଉଦାହରଣ ଭାବେ ନେଉଛନ୍ତି। ଏସବୁ କ୍ଷେତ୍ରରେ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥ ବିରୋଧୀ ଆଭିମୁଖ୍ୟ ଆଉ କାହାକୁ ଅଛପା ନାହିଁ। ପ୍ରଶ୍ନ ଉଠୁଛି, ଯଦି ଉପଭୋକ୍ତାଙ୍କ ସ୍ବାର୍ଥରେ ଆୟୋଗଙ୍କ ନିଷ୍ପତ୍ତି ଯିବନାହିଁ, ତେବେ ରାଜ୍ୟରେ ଆୟୋଗଙ୍କ ଉପରେ କ’ଣ ଆଉ ଜଣେ ଅମ୍ବୁଡସ୍ମ୍ୟାନ ନିଯୁକ୍ତି କରିବାକୁ ପଡ଼ିବ?
ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରୁ ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବେ ଏହାକୁ ନିରପେକ୍ଷ ରଖିବା ଲକ୍ଷ୍ୟରେ ଏହି ସଂସ୍ଥାର ସମସ୍ତ ଖର୍ଚ୍ଚ ଭରଣା ପାଇଁ ଏକ ନିୟମାବଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ତଦନୁଯାୟୀ ୧୯୯୭ ମସିହାରୁ ଓଇଆରସିର ଖର୍ଚ୍ଚ ଭରଣା ବ୍ୟବସ୍ଥା ସରକାରଙ୍କ ତହବିଲରୁ ହେଉଥିଲା। ୨୦୦୬ ଯାଏ ଏହି ଧାରା ଜାରି ରହିଥିଲା।
ଏହାମଧ୍ୟରେ ବିଦ୍ୟୁତ୍ ଆଇନ-୨୦୦୩ ସାରା ଦେଶ ପାଇଁ ଲାଗୁ ହେଲା। ତାହାକୁ ରାଜ୍ୟ ସରକାର ମଧ୍ୟ ଆଖିବୁଜି ଗ୍ରହଣ କରିନେଲେ। ୨୦୦୩ ବିଦ୍ୟୁତ୍ ଆଇନରେ ଦର୍ଶାଯାଇଥିଲା ଯେ ବିଦ୍ୟୁତ୍ ନିୟାମକ ଆୟୋଗ ଗୁଡିକ ବିଭିନ୍ନ ମାମଲା, ଜରିମାନା କିମ୍ବା ଅନ୍ୟାନ୍ୟ ଆୟରୁ ବର୍ଷକୁ ଯେତିକି ଅର୍ଥ ପାଇବେ, ସେଥିରେ ଆୟୋଗର ଖର୍ଚ୍ଚ ଭରଣା ନ ହେଲେ ବଳକା ଅର୍ଥ ରାଜ୍ୟ ସରକାରମାନେ ବଜେଟ୍ ବ୍ୟବସ୍ଥା ଜରିଆରେ ବହନ କରିବେ। ସେହି ଆଧାରରେ କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗକୁ କେନ୍ଦ୍ର ସରକାର ବର୍ଷକୁ ଦୁଇଟି କିସ୍ତିରେ ଅନୁଦାନ ପ୍ରଦାନ କରୁଛନ୍ତି। ଅନୁରୂପ ଭାବେ ଓଇଆରସି ଖର୍ଚ୍ଚ ଭରଣାରୁ ରାଜ୍ୟ ସରକାର ଏକପ୍ରକାର ମୁକ୍ତ ହୋଇଗଲେ। ଏଇଥିପାଇଁ ଯେ ସରକାରଙ୍କ ଦ୍ବାରା ଓଇଆରସି ଫଣ୍ଡ ରୁଲ-୨୦୦୬ ସେବର୍ଷ ଏପ୍ରିଲ ପହିଲାରେ ବିଜ୍ଞପ୍ତିତ ହେଲା। ଏହି ବ୍ୟବସ୍ଥା ଅନୁସାରେ ଆୟୋଗ ବାର୍ଷିକ ବଜେଟ ପ୍ରସ୍ତୁତ କରି ସରକାରଙ୍କୁ ପୈଠ କରିବାର ବିଧି ରହିଛି। ବଜେଟ ନିଅଣ୍ଟିଆ ଥିଲେ ସରକାର ଅନୁଦାନ ପ୍ରଦାନ କରି ଏହି ଅର୍ଥ ଭରଣା କରିବା କଥା। ମାତ୍ର ଓଇଆର୍ସି କମ୍ପାନି ଓ ନିଗମ ଗୁଡିକର ବାର୍ଷିକ ଫି (ଲାଇସେନ୍ସ ଫି) ବୃଦ୍ଧି କରି ବଳକା ବଜେଟ ପଇଠ କରୁଛନ୍ତି। ଏଣୁ ଓଡ଼ିଶା କ୍ଷେତ୍ରରେ ସରକାରୀ ଅନୁଦାନର ଅଭିପ୍ରାୟ ଆଉ ନାହିଁ। ହେଲେ ବିଶେଷଜ୍ଞଙ୍କ ମତରେ ଏହା ପରୋକ୍ଷରେ ଓଇଆରସିର ସ୍ବୟଂଚାଳିତ ଓ ସ୍ବାଧୀନ ସଂସ୍ଥାର ପଦ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଓ ଏସବୁ ସଂସ୍ଥା ଉପରେ ଏକପ୍ରକାର ନିର୍ଭରଶୀଳତା ବଢ଼ାଇ ଦେଇଛି।
ଆର୍ଥିକବର୍ଷ ୨୦୧୮-୧୯ ଉଦାହରଣ ଭାବେ ନିଆଗଲେ, ସେବର୍ଷ ଆୟୋଗଙ୍କ ବଜେଟ୍ ବଳକା ରହିଥିଲା। ୧୨ କୋଟି ୧୭ ଲକ୍ଷ ଟଙ୍କା ବାର୍ଷିକ ଫି ଓ ୩ କୋଟି ୯ ଲକ୍ଷ ଟଙ୍କା ସୁଧ (୨୮.୫୦ କୋଟି ସ୍ଥିରଜମା) ମିଶାଇ ମୋଟ ୧୫ କୋଟି ୨୬ ଲକ୍ଷ ଟଙ୍କା ଆୟ ହୋଇଥିଲା। ସେହି ସମୟରେ ୯ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଶକ୍ତି ସମୀକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି, ଆଜିଦନରେ ଆୟୋଗଙ୍କର ଖର୍ଚ୍ଚ ବାବଦରେ ବାର୍ଷିକ ପାଖାପାଖି ୧୫ କୋଟି ଟଙ୍କା ଦରକାର। ଓଇଆର୍ସି କେନ୍ଦ୍ରୀୟ ଆଇନର ଦ୍ବାହି ଦେଇ ବିଦ୍ୟୁତ୍ ଯୋଗାଣ ଓ ବିତରଣ ଦାୟିତ୍ବରେ ଥିବା ସରକାରୀ ଏବଂ ଘରୋଇ ସଂସ୍ଥାଠାରୁ ମୋଟା ଅଙ୍କର ଲାଇସେନ୍ସ ଫି ଆଦାୟ କରିବା ସହିତ କାହିଁକି ସରକାରୀ ଅନୁଦାନ ତ୍ୟାଗ କଲେ ଏବଂ ପରାଧୀନ ହେବା ଲାଗି ଆଗ୍ରହ ପ୍ରକାଶ କଲେ, ତାହା ବୁଝାପଡୁନାହିଁ।
କେବଳ ସେତିକି ନୁହେଁ, ବିଧି ବ୍ୟବସ୍ଥା ସୂଚାଉଛି ଯେ ଓଇଆରସି ରାଜ୍ୟ ବିଦ୍ୟୁତ୍ କ୍ଷେତ୍ରର ସର୍ବୋଚ୍ଚ ବୈଧାନିକ, ସ୍ବୟଂ ଚାଳିତ, ସ୍ବାଧୀନ, ଅର୍ଦ୍ଧ ନ୍ୟାୟିକ ସଂସ୍ଥା ଅଟେ। ଏହି ସଂସ୍ଥା ରାଜ୍ୟ ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକର କାର୍ଯ୍ୟଶୈଳୀ ଓ ବାଣିଜ୍ୟ ପରିମାଣକୁ ଅନୁଧ୍ୟାନ କରି ବିଦ୍ୟୁତ୍ ଦର (ଟାରିଫ୍) ନିର୍ଧାରଣ କରନ୍ତି। ୨୦୦୩ ଆଇନ ଅନୁସାରେ ତତ୍କାଳୀନ ଉପଭୋକ୍ତାଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ନିୟାମକ ଆୟୋଗ ଗୁଡିକର କଳେବର ନିର୍ଧାରଣ କରାଯାଇଥିଲା। ଇତିମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ଦଶଗୁଣରୁ ଅଧିକ ବଢ଼ିଥିଲେ ମଧ୍ୟ କଳେବର ଯେମିତିକୁ ସେମିତି ସୀମିତ ରଖିଦିଆଯାଇଛି।
ବିସ୍ମିତ କରିବା ଭଳି ପ୍ରସଙ୍ଗଟି ହେଲା ଯେ ୨୦୦୨-୦୩ ଆର୍ଥିକ ବର୍ଷରେ ଆୟୋଗରେ କାର୍ଯ୍ୟରତ ୧୫ ଜଣ ଅଧିକାରୀଙ୍କ ମଧ୍ୟରୁ ୧୩ ଜଣ ସ୍ଥାୟୀ ଓ ୨ ଜଣ ନିଗମର ଅସ୍ଥାୟୀ ପ୍ରତିନିଧି ଥିଲେ। ବିଦ୍ୟୁତ୍ ଆଇନ-୧୯୧୦ ପ୍ରଣୀତ ହେବାର ପ୍ରାୟ ଶହେ ବର୍ଷ ପରେ ୨୦୦୩ ମସିହାର ବିଦ୍ୟୁତ୍ ଆଇନ ୨୦୦୪ ମସିହା ଏପ୍ରିଲ ପହିଲାରୁ ସର୍ବ ଭାରତ ସ୍ତରରେ କାର୍ଯ୍ୟକାରୀ ହେଲା। ଏହି କେନ୍ଦ୍ରୀୟ ଆଇନ ବଳରେ ଓଡିଶା ସମେତ ଅନ୍ୟ ଆଠଟି ରାଜ୍ୟରେ ଥିବା ରାଜ୍ୟ ବିଦ୍ୟୁତ୍ ସଂସ୍କାର ଆଇନ ଗୁଡିକ ଅବୈଧ ହେଲା। ସୁତରାଂ ଓଇଆରସି ପ୍ରଣିତ ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତ ନିୟମାବଳି-୧୯୯୭ ଅନୁରୂପ ଭାବେ ଅବୈଧ ହେଲା। ହେଲେ ଅନ୍ୟ ରାଜ୍ୟର ଆୟୋଗ ଗୁଡିକ ଧାରା-୯୧ ଅନୁସାରେ ନିଜର ନିଯୁକ୍ତି ପଦ୍ଧତି ନିୟମାବଳୀ ପ୍ରଣୀତ କରିଛନ୍ତି। କିନ୍ତୁ ଓଇଆରସି ଅଦ୍ୟାବଧି ଏଭଳି ବିଜ୍ଞପ୍ତି ଜାରି କରିପାରିନାହାନ୍ତି। ଓଲଟା ଏଭଳି ଭାବେ କର୍ମଚାରୀ ନିଯୁକ୍ତି ଦେଉଛନ୍ତି, ଯାହା ଆଉ ଗୋଟିଏ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ସଂପର୍କରେ ସୂଚୀତ କରୁଛି।
ଓଇଆରସି ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତ ନିୟମାବଳି-୧୯୯୭ ଅନୁସାରେ ଆୟୋଗଙ୍କୁ ଦୈନଦିନ କାର୍ଯ୍ୟରେ ସହାୟତା କରିବା ପାଇଁ ତିନିଜଣ ପରାମର୍ଶଦାତା, ଜଣେ ସଚିବ, ଚାରିଜଣ ଲେଖାଏ ନିର୍ଦେଶକ, ଯୁଗ୍ମ ନିର୍ଦେଶକ, ଜଣେ ଜନ ସମ୍ପର୍କ ଅଧିକାରୀ, ତିନିଜଣ ଉପ ନିର୍ଦେଶକ, ଦୁଇଜଣ ସମୀକ୍ଷକ, ଦୁଇ ଜଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପରିଚାଳକ ଓ ତିନିଜଣ ବିଶେଷଜ୍ଞ ଏହିପରି ମୋଟ ୨୩ ଜଣ ରହିବେ। ଏସବୁ ସ୍ଥାୟୀପଦବି ସିଧାସଳଖ ନିଯୁକ୍ତି ପ୍ରଣାଳୀରେ ପୂରଣ କରିବା ପାଇଁ ବ୍ୟବସ୍ଥା ହେଲା। ଆବଶ୍ୟକ ସ୍ଥଳେ ନିଗମ କିମ୍ବା କମ୍ପାନିର ଅଧିକାରୀଙ୍କୁ ଡେପୁଟେସନ ଭିତ୍ତିରେ ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରି ପ୍ରୟୋଜନୀୟ କାର୍ଯ୍ୟ ସମ୍ପାଦନ କରିବାର ବ୍ୟବସ୍ଥା ରହିଲା। କିନ୍ତୁ ଆୟୋଗ ଏହି ଡେପୁଟେସନ୍ ପ୍ରକ୍ରିୟାକୁ ମୂଳ ପ୍ରକ୍ରିୟାରେ ପରିଣତ କରିଦେଲେଣି। ସଂପ୍ରତି ଆୟୋଗରେ କାମଚଳା ସଚିବଙ୍କୁ ମିଶାଇ ମାତ୍ର ୧୨ ଜଣ ଅଧିକାରୀ କାର୍ଯ୍ୟରତ ଥିବାବେଳେ ୪ ଜଣ ସ୍ଥାୟୀ ଓ ୮ ଜଣ ଅସ୍ଥାୟୀ ଭାବେ ଓପିଟିସିଏଲ, ଗ୍ରୀଡ୍କୋ, ଓଏଚପିସି, ଆବଣ୍ଟନ କମ୍ପାନି ଓ ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ୮ ଜଣ ଅସ୍ଥାୟୀ ଅଧିକାରୀ ମଧ୍ୟରୁ ୬ ଜଣ ଇତିମଧ୍ୟରେ ସେଠାରେ ସ୍ଥାୟୀ ଅଧିକାରୀ ଭାବେ ପରିବର୍ତ୍ତିତ ହୋଇଛନ୍ତି। ଅନ୍ୟ ୨ ଜଣ ଏବେ ବି ଡେପୁଟେସନରେ ଅଛନ୍ତି।
ଆୟୋଗଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ଭାରତ କିମ୍ବା ଓଡିଶାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡିକରୁ ଉତ୍ତୀର୍ଣ୍ଣ ଅଭିଜ୍ଞ ସ୍ନାତକ ଯନ୍ତ୍ରୀଙ୍କ ଆବଶ୍ୟକତା ଥିବାବେଳେ ଆୟୋଗ ତିନିଜଣ ଡିପ୍ଲୋମା-ଏଏମଆଇଇ ଯନ୍ତ୍ରୀକୁ ଅସ୍ଥାୟୀ ନିଯୁକ୍ତି ଦେଲେ କାହିଁକି? ୨୩ଟି ପଦବି ଅନୁମୋଦିତ ହୋଇଥିବା ଓ ଇତିମଧ୍ୟରେ ଉପଭୋକ୍ତାଙ୍କ ସଂଖ୍ୟା ପାଖାପାଖି ୧୦ଗୁଣ ବଢ଼ି କୋଟିଏ ଛୁଇଁବାକୁ ବସିଥିବା ବେଳେ ମାତ୍ର ୧୨ ଜଣରେ କାମ ଚଳାଇବାର ଅସଲ ଉଦ୍ଦେଶ୍ୟ କଣ?
ଏଠାରେ ଉଲ୍ଲେଖଥାଉକି, ୨୦୦୪ ମସିହାରୁ ଆଜି ପର୍ଯ୍ୟନ୍ତ ନିଜସ୍ବ ନିଯୁକ୍ତି ନିୟମ ନ କରି କାହିଁକି ୧୯୯୭ ମସିହାର ଅବୈଧ ନିୟମାବଳିକୁ ବଳବତ୍ତର ରଖାଯାଇଛି? ଆୟୋଗ ଯେବେ ଟାରିଫ୍ ପ୍ରକ୍ରିୟାରେ ଶୁଣୁଥିବା କଂପାନିଙ୍କ ଠାରୁ କର୍ମଚାରୀ ଆଣିବେ, ସେବେ ଦର ନିର୍ଧାରଣ ବ୍ୟବସ୍ଥାଟି ନିରପେକ୍ଷ ହେବ କେମିତି? କୋଟିଏ ଉପଭୋକ୍ତା ସପକ୍ଷରେ କିଭଳି ନ୍ୟାୟ ମିଳିବ ବୋଲି ଆଶା କରିବା?