ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନାକୁ ୭ ମାସ ପୁରିଲା; କେତେ ବଦଳିଛି କୋଟିଆର ସ୍ଥିତି ?

କୋରାପୁଟ: ଅଭିଶପ୍ତ ଇଲାକା ପରି ପଡି ରହିଥିଲା କୋଟିଆ। ଓଡ଼ିଶାରେ ଥାଇ ବି ନ ଥିଲା ପରି ରହିଥିଲା ଏହି ଗ୍ରାମ ପୁଞ୍ଜ। ଏହି ଅଞ୍ଚଳରେ ରହୁଥିବା ୮ହଜାରରୁ ଅଧିକ ଲୋକଙ୍କ ଭଲ ମନ୍ଦ ବୁଝିବା ପାଇଁ ଓଡ଼ିଶା ସରକାର ବିଶେଷ ଯତ୍ନବାନ ଥିଲେ। ଦେଢଶହ କୋଟିରୁ ଅଧିକ ଟଙ୍କା ବିନିମୟରେ ରାସ୍ତାଘାଟ, ହସ୍ପିଟାଲ, ସ୍କୁଲ, ପୁଲିସ ଷ୍ଟେସନ ସହ ମାଳ ମାଳ ଯୋଜନା ଓଜାଡି ଦିଆଗଲା। କିନ୍ତୁ ଆନ୍ଧ୍ରର ଅନୁପ୍ରବେଶ ଓ ନୂଆ ଜିଲ୍ଲା ଗଠନ ପରେ ବଦଳିବାରେ ଲାଗିଛି କୋଟିଆର ଚିତ୍ର। ମନ୍ତ୍ରୀ, ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ମାଳ ମାଳ ଅଧିକାରୀଙ୍କ ମୁହଁରେ ଏବେ କୋଟିଆର କଥା, ବିକାଶର ଚିନ୍ତା। ହେଲେ ଆନ୍ଧ୍ର ପଟୁ ମାନ୍ୟମ ଜିଲ୍ଲାରେ କୋଟିଆକୁ ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ବାଟବଣା ହେଲା ପରି ମନେ ହେଉଛି। ଯଦିଓ ଓଡ଼ିଶାର ମୁଖ୍ୟ ଶାସନ ସଚିବ କୋଟିଆ ବୁଲି ଯାଇଛନ୍ତି ହେଲେ ଆନ୍ଧ୍ର ପଟୁ ଏନେଇ ସେପରି କୌଣସି ଆଲୋଚନା ହୋଇ ନଥିବା ଜଣାପଡିଛି। ୭ ମାସ ପରେ ଆନ୍ଧ୍ର ମାନ୍ୟମ ଜିଲ୍ଲା ଗଠନ କରିଥିବାବେଳେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରାଙ୍କ ଉପଦ୍ରବ ବୃଦ୍ଧି ପାଇବା ପରେ ଲାଗିଛି। ସେ ତାଙ୍କ ଟିମ ସହ ରିତିମତ କୋଟିଆକୁ ଆସି ଏଜେଣ୍ଟଙ୍କୁ ଭେଟି ଯାଉଥିବା ଜଣାପଡିଛି।

ଠିକ ୭ ମାସ ତଳେ ଅର୍ଥାତ ଗତ ନଭେମ୍ବର ୧୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସମକକ୍ଷ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ୟ୍ବାଇଏସ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଲୋଚନା ହେଲା। ଆପୋସ ବୁଝାବଣା ସହ ମୁଖ୍ୟଶାସନ ସଚିବ ସ୍ତରୀୟ କମିଟି ଗଠନ ହୋଇ ଉଭୟଙ୍କ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ହେବ ବୋଲି। ଆଲୋଚନାକୁ ୭ ମାସ ବିତିଥିଲେ ବି ଏକାଧିକଥର ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରି ଦାଦାଗିରି ଦେଖାଇଥିବାବେଳେ କୋରାପୁଟ ପ୍ରଶାସନ ପକ୍ଷରୁ କେବଳ କଡ଼ା ଜବାବ ଦିଆଯିବା ବୋଲି କୁହାଯିବା ଛଡା ଅନ୍ୟ କିଛି ନାହିଁ। ଏହି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସି କୋଟିଆ ସହ ବିଭିନ୍ନ କାର୍ଯ୍ୟ ତଦାରଖ  କରି ଯାଇଛନ୍ତି। ହେଲେ ଓଡ଼ିଶାର ଛାତି ଭିତରେ ପଶି କୋଟିଆର ଲୋକଙ୍କୁ ନିଜଆଡକୁ ପ୍ରଲୋଭନ କରିବାକୁ ପଛାଉନି ଆନ୍ଧ୍ର। ବିଭିନ୍ନ ସମୟରେ ସେମାନଙ୍କ ସହାୟତା ବାଣ୍ଟନ ସହ ତେଲଗୁ ଭାଷାରେ ପୋଷ୍ଟର ମାରି ଚାଲିଛନ୍ତି। ଆନ୍ଧ୍ରର ଏହି ଅନୁପ୍ରବେଶ ପରେ ବଦଳିବାରେ ଲାଗିଲା କୋଟିଆର ଚିତ୍ର।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ତତତ୍କାଳୀନ ବିଜୟନଗରମ ଜିଲ୍ଲାପାଳ ପ୍ରଥମେ ନିର୍ବାଚନ କରାଇଥିଲେ। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ଏକାଧିକ ଥର ଶୁଣାଣି ହୋଇ ଉଭୟ ପକ୍ଷଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା। ଏବେ ସୁପ୍ରିମକୋର୍ଟରେ ମାମଲା ବିଚରାଧୀନ ରହିଥିବାବେଳେ ସଚିବ ସ୍ତରୀୟ ପରବର୍ତ୍ତୀ ଆଲୋଚନା କେବେ ହେବ ତାହାକୁ ନେଇ ନାନାପ୍ରଶ୍ନ ଉଠିଛି।

Tathya

ରାସ୍ତାଘାଟ, ବିଜୁଳି, ପିଇବା ପାଣିକୁ ଗୁରୁତ୍ବ ଦେଇ ପ୍ରଶାସନ ଉନ୍ନତିମୂଳକ କାର୍ଯ୍ୟ କରିଛି। କୋଟିଆ ପଞ୍ଚାୟତ ସଦର ମହକୁମାରୁ ଉପର ସେମ୍ଭି ପର୍ଯ୍ୟନ୍ତ ରାସ୍ତା କାମ କରାଗଲା। ଏମଜି ନରେଗାରେ ଏହି କାମ କରାଯାଇ ଓଡ଼ିଶାର ବୋର୍ଡ ଲାଗିଗଲା। ଏପଟେ କୋଟିଆରୁ ମାଡକାର ପର୍ଯ୍ୟନ୍ତ ରାସ୍ତାର ମାଟି କାମ କରାଗଲା। ଦୁର୍ଗମ ଫଗୁଣ ସିନେରୀ, ଫାଟୁ ସିନେରୀ ଅ˚ଚଳରେ ମଧୢ ରାସ୍ତା କାମ ଶେଷ ହୋଇଛି। ଅନ୍ଧାରରେ ଥିବା କୋଟିଆରେ ମଧୢ ଷ୍ଟ୍ରିଟ ଲାଇଟ ଲଗାଇ ଚିକମିକ କରିଦେଲେ ରାଜ୍ୟ ସରକାର। ଗ˚ଜେଇ ପଦର, ତଳେ ଗ˚ଜେଇ ପଦର, ଜାନିଗୁଡା, କୁରୁଡି ପଦର ଆଦି ଗାଁରେ ନୂଆ ଟ୍ରାନ୍ସଫରମର ଲଗାଯାଇ ବିଜୁଳି ଆଲୁଆ ଯୋଗାଇ ଦେବା ସହ ଷ୍ଟ୍ରିଟ ଲାଇଟ ଲାଗିଲା। ଆଗରୁ କୋଟିଆ ଡାକ୍ତରଖାନାରେ ନିୟମିତ ଡାକ୍ତର ରଖା ନ ଯାଇ ଡେପୁଟେସନରେ ପଠାଇ ଦିଆ ଯାଇଥିଲା। ଏବେ କିନ୍ତୁ ସେଠାରେ ନିୟମିତ ଡାକ୍ତର ରହୁଛନ୍ତି। ପଞ୍ଚାୟତର ବିଭିନ୍ନ ସ୍କୁଲ ଓ ସେବାଶ୍ରମରେ ନିୟମିତ ଶିକ୍ଷକ ରହିବାକୁ ନିଶ୍ଚିତ କରାଯାଇଥିବାବେଳେ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର