ଭୁବନେଶ୍ୱର : ଗତକାଲି ବସିଥିବା ବିଜେଡିର ସଂସଦୀୟ ଦଳ ବୈଠକରେ ମହାନଦୀ, ପୋଲାଭରମ, କୋଟିଆ ଭଳି ପ୍ରସଙ୍ଗ ସ୍ଥାନ ନପାଇବା ଆଶ୍ଚର୍ଯ୍ୟର ବିଷୟ। ଓଡ଼ିଶାର ସ୍ୱାର୍ଥ୍ୟ, ସ୍ୱାଭିମାନ ସହ ଜଡ଼ିତ ଏହି ତିନିଟି ପ୍ରସଙ୍ଗକୁ କିଭଳି ବିଜେଡିର ସାଂସଦମାନେ ଅଣଦେଖା କଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ସେହି ବୈଠକରେ ଅଧ୍ୟକ୍ଷତା କରୁଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଦିନେ କହୁଥିଲେ ଯେ, ମହାନଦୀ ଆମର ମା’ ବୋଲି ସେ ମଧ୍ୟ କେମିତି ମହାନଦୀ କଥା ଭୁଲିଗଲେ? ଏହି ତିନିଟି ପ୍ରସଙ୍ଗ କ’ଣ ଓଡିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ନୁହେଁ କି? ବିଜେଡି କେବଳ ନିଜର ରାଜନୈତିକ ସ୍ୱାର୍ଥ ସାଧନରେ ବ୍ୟସ୍ତ, ସେମାନେ ଓଡ଼ିଶାବାସୀଙ୍କ ମନର କଥା କାହୁଁ ବୁଝିବେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି।
ଶ୍ରୀ ବିଶ୍ୱାଳ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଯେବେଠାରୁ ଛତିଶଗଡ଼ରେ କଂଗ୍ରେସ ସରକାର ଆସିଲା ସେବେଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ନରମ ହୋଇଗଲେ। ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାର କମନ ଫର୍ମାଟରେ ତଥ୍ୟ ଦେଇସାରିଥିବା ବେଳେ ଓଡ଼ିଶା ସରକାର କାହିଁକି ଦେଇପାରିଲେ ନାହିଁ ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ। ଟ୍ରିବ୍ୟୁନାଲ ଆଗରେ ଓଡ଼ିଶା ସରକାରଙ୍କ ଓକିଲ ‘ଆମେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିନାହୁଁ, ଆମକୁ ଅନେକ ପୃଷ୍ଠା ଲେଖିବା ପାଇଁ ପଡ଼ିବ ତେଣୁ ଆମକୁ ୬ ସପ୍ତାହ ସମୟ ଦିଆଯାଉ’ ବୋଲି କହିବା ସତ୍ୟ ନୁହେଁ କି? ଏହା ହିଁ ଦର୍ଶାଉଛି ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶାବାସୀ ନ୍ୟାୟ ପାଇବା ପାଇଁ ବିଜେଡି ସରକାରର କେତେ ଆନ୍ତରିକତା ଅଛି। ସେହିପରି ପୋଲାଭରମ ବିବାଦରେ ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା ନକରିପାରିବା କାରଣରୁ ଓଡ଼ିଶା ତାର ହକ୍ ହରାଇଲା। ଏବେ ସୁପ୍ରିମକୋର୍ଟରେ ଚାଲୁଥିବା ମାମଲାରେ ମଧ୍ୟ ଓଡ଼ିଶା ସରକାର ଯତ୍ନବାନ ହେଉନାହାନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି।
ମହାନଦୀର ତଳମୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୩ଟି ବ୍ୟାରେଜରୁ ଗୋଟିଏ ବି ବ୍ୟାରେଜର କାମ ଆରମ୍ଭ ହୋଇପାରିଲା ନାହିଁ। ପ୍ରସ୍ତାବିତ ଅନ୍ୟ ୨୮ଟି କ୍ଷୁଦ୍ର ପ୍ରକଳ୍ପ କେବଳ ସର୍ଭେରେ ଅଟକି ଯାଇଛି। ମହାନଦୀ ଗ୍ରିନ ମିସନରେ ୪୮୮ କୋଟି ଟଙ୍କା ଖର୍ଚ୍ଚ ହେଲା, ୫ କୋଟି ଗଛ ଲଗାଯିବ ବୋଲି କୁହାଗଲା ହେଲେ ଗୋଟିଏ ବି ଗଛ ଦେଖିବା ପାଇଁ ମିଳୁନି। ଓଡ଼ିଶା ବାସୀଙ୍କ ପ୍ରତି ବିେଜଡିର ଏହା ଧୋକା ନୁହେଁ କି?
ସେହିପରି କୋଟିଆରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ବିଫଳତା, ମୁଖ୍ୟମନ୍ତ୍ରୀଙ୍କ ଉଦାସୀନତା ପାଇଁ ଆଜି ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି। ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ, ଦେଓମାଳିକୁ ଆନ୍ଧ୍ରରେ ମିଶାଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଛି ଆଉ ଏପଟେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ବିଧାନସଭାରେ କହୁଛନ୍ତି ‘ଦେଓମାଳି ଓଡ଼ିଶା ମ୍ୟାପରେ ନାହିଁ’। ଆନ୍ଧ୍ର ସରକାର କୋଟିଆର ଲୋକଙ୍କୁ ଭୋଟର ପରିଚୟ ପତ୍ର ଦେଇ ଭୋଟ କରାଇ ଦେଉଛନ୍ତି, ଆମ ଓଡ଼ିଶା ଜାଗାକୁ ଆନ୍ଧ୍ରର ବୋଲି ଦର୍ଶାଇ ପଟ୍ଟା ବାଣ୍ଟୁଛନ୍ତି ହେଲେ ଓଡ଼ିଶା ସରକାର ଏହାକୁ ରୋକି ପାରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/anil-biswal.jpg)