କେତେ ଫିଟ୍ ଅଛି ବାରବାଟୀ? ପାଣିପାଗ ଠିକ୍‌ ରହିଲେ ଠିକ୍; ପାଗ ଖରାପ ହେଲେ କହି ହେବନି

କଟକ: ବାରବାଟୀ କେତେ ଫିଟ୍‌ ଅଛି, ‌ସେ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ପ୍ରମାଣପତ୍ର ଦିଆଯାଇଛି। ପାଣିପାଗ ଠିକ୍‌ ରହିଲେ ଠିକ୍; ପାଗ ଖରାପ ହେଲେ କହି ହେବନି। ବିଭାଗ ପକ୍ଷରୁ ସାପ ମରିବନି କି ବାଡି ଭାଙ୍ଗିବନି ନ୍ୟାୟରେ ଏହିଭଳି ଏକ ବିଚିତ୍ର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବାରବାଟୀ ‌ଷ୍ଟାଡିୟମ ସୁରକ୍ଷିତ କି ନୁହେଁ ଏହାର ପ୍ରମାଣପତ୍ର ପୂର୍ତ୍ତ ବିଭାଗ ଦେଇଥାଏ। ଏହି ପ୍ରମାଣପତ୍ର ମିଳିଲେ ଯାଇ ଦର୍ଶକ ଗ୍ୟାଲେରୀରେ ସୁରକ୍ଷିତ ଭାବେ ବସି ମ୍ୟାଚ ଦେଖିପାରିବେ। ଯଦି ପୂର୍ତ୍ତ ବିଭାଗ ନକରାତ୍ମକ ପ୍ରମାଣପତ୍ର ଦିଏ ତେବ ଓଡ଼ିଶା କ୍ରିକେଟ ଆସୋସିଏନ ପାଇଁ ଅଡୁଆ ପରିସ୍ଥିତି ଉପୁଜି ଥ‌ାଏ। ତେଣୁ ମ୍ୟାଚ୍ ଆୟୋଜନ ପୂର୍ବରୁ ପୂର୍ତ୍ତ ବିଭାଗଠାରୁ ଏକ ପ୍ରମାଣପତ୍ର ନିହାତି ଜରୁରୀ। ଆସନ୍ତା ୧୨ ତାରିଖ‌ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀ ଗୁଡିକ ଦର୍ଶକଙ୍କ ପାଇଁ କେତେ ସୁରକ୍ଷିତ, ଏହାର ଯାଞ୍ଚ କରାଯାଇଥିଲା।

ଗତ ୭ ତାରିଖ ଦିନ ଏ ନେଇ ପୂର୍ତ୍ତ ବିଭାଗ ବାରବ‌ାଟୀ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ମାଝି ଓ ନିର୍ବାହୀ ଯନ୍ତ୍ରୀ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଷ୍ଟାଡିୟମର ସମସ୍ତ ଗ୍ୟ‌ାଲେରୀ, ବିଶେଷକରି ମରାମତି ହୋଇଥିବା ଗ୍ୟା‌ଲେରୀ ଗୁଡିକର ସ୍ଥିତି ଯାଞ୍ଚ କରି ଗତକାଲି ସେମାନେ ଏକ ରିପୋର୍ଟ ଦେଇଛନ୍ତି। ରିପୋର୍ଟରେ ପୂର୍ତ୍ତ ବିଭାଗ ପାରମ୍ପରିକ ଭାବେ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଷ୍ଟାଡିୟମ ଠିକ୍ ଅଛି ଅର୍ଥାତ୍‌ ପାଗ ସାଧାରଣ ରହିଲେ ଷ୍ଟାଡିୟମ ସୁରକ୍ଷିତ। ମାତ୍ର ପାଗ ବିଗିଡିଲେ ବା ଖରାପ ପାଗ ହେଲେ କିଛି କହିହେବ ନାହିଁ ବୋଲି ପୂର୍ତ୍ତ ବିଭାଗ ପ୍ରମାଣପତ୍ର ଦେଇଛି। ଅର୍ଥାତ ଯଦି କୌଣସି ପରିସ୍ଥିତିରେ ପାଗ ଖରାପ ହୁଏ ଆଉ ଅଘଟଣ ଘଟେ ତେବେ ଏଥିପାଇଁ ପୂର୍ତ୍ତ ବିଭାଗ ଦାୟୀ ରହିବ ନାହିଁ। ଏଭଳି ବିଚିତ୍ର ପ୍ରମାଣପତ୍ର ପ୍ରଦାନ କରିବା ଏକ ଔପଚାରିକତା ବୋଲି କୁହାଯାଉଛି। ପୂର୍ତ୍ତ ବିଭାଗ ଷ୍ଟାଡିୟମ ଯାଞ୍ଚ୍ କରିଛନ୍ତି, ମାତ୍ର ଷ୍ଟାଡିୟମର କଣ ଯାଞ୍ଚ କରାଗଲା, ଷ୍ଟାଡିୟମ କେଉଁଠି ଦୁର୍ବଳ ରହିଛି, କେଉଁ ଗ୍ୟାଲେରିରେ ସର୍ବାଧିକ କେତେ ଲୋକ ବସିବା କଥା ସେ ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉନାହିଁ।

ଏ ନେଇ ଜଣେ ଯନ୍ତ୍ରୀଙ୍କ କହିବା କଥା ହେଉଛି ଯେ ଏଭଳି ଲେଖା ହେବା ଏକ ପରମ୍ପରା। ସିଧାସଳଖ ଷ୍ଟାଡିୟମ ପୂରା ଠିକ୍ କି ଅସୁରକ୍ଷିତ ଲେଖାଯାଇପାରିବ ନାହିଁ। ପାଗ, ବା ବର୍ଷା ପବନ ଓ ଅନ୍ୟ କୌଣସି ଦୁର୍ବିପାକକୁ ନେଇ ଆଗରୁ ପୂର୍ବାନୁମାନ କରିହେବ ନାହିଁ। ତେଣୁ ଏଭଳି ଲେଖାହେବା ଏକ ଔପଚ‌ାରିକତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର