ଏସ୍ସିବିରେ କେମିତି ହେବ ହୃତ୍ପିଣ୍ଡ ପ୍ରତିରୋପଣ?
ଜଣେ ପ୍ରଫେସରରେ ଚାଲିଛି ହୃଦ୍ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ, ବନ୍ଦହେବା ସ୍ଥିତିରେ ଏକ୍ମୋ, ଓପନ୍ ହାର୍ଟ ସର୍ଜରି
କଟକ : କଟକ ବଡ଼ ମେଡିକାଲ (ଏସ୍ସିବି)ରେ ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବାର ସ୍ବପ୍ନ ଦେଖାଉଛନ୍ତି ସରକାର। ଏଥିପାଇଁ ଗତମାସରେ ଏସ୍ସିବି ହୃଦ୍ରୋଗ ବିଭାଗରେ ଖୋଲାଯାଇଛି ହାର୍ଟ ଫେଲୁଅର କ୍ଲିନିକ୍। ହେଲେ, ଏହାକୁ କାର୍ଯ୍ୟକାରୀ କରିବାକୁ ଥିବା ହୃଦ୍ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ(କାର୍ଡିଓଥୋରାସିସ୍) ଜଣେ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ଚାଲିଛି। ପୁଣି ଆସିଷ୍ଟାଣ୍ଟ୍ ପ୍ରଫେସର ହେଉଛନ୍ତି ଚୁକ୍ତିଭିତ୍ତିକ। ଏହି ଦୁଇଜଣଙ୍କୁ ନେଇ ଏକ୍ମୋ ୟୁନିଟ୍, ହୃତ୍ପିଣ୍ଡ ପ୍ରତିରୋପଣ ଓ ଓପନ୍ ହାର୍ଟ ସର୍ଜରି କେମିତି ହେବ, ତାହା ଅନେକଙ୍କୁ ଚକିତ କରିଛି। ଏଥିସହିତ, ବିଏସ୍କେୱାଇ କାର୍ଡ ଥିବା ବ୍ୟକ୍ତି ଏସ୍ସିବିରୁ କିଭଳି ମାଗଣା ଚିକିତ୍ସା ପାଇବା ପାଇବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ଏସ୍ସିବିର ଏହି ବିଭାଗ (କାର୍ଡିଓଥୋରାସିସ୍)ରେ ୨ଜଣ ପ୍ରଫେସର, ୨ଜଣ ଆସୋସିଏଟ୍ ପ୍ରଫେସର, ୫ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିନିୟର ରେସିଡେଣ୍ଟ ରହିବା କଥା। କିନ୍ତୁ, ୨୦୧୫ ମସିହାରୁ ବିଭାଗ ମାତ୍ର ଜଣେ ପ୍ରଫେସରଙ୍କୁ ନେଇ ଚାଲିଛି। ୨୦୧୫ରୁ ୨ଟି ଆସୋସିଏଟ୍ ପ୍ରଫେସର ପଦ ଖାଲି ପଡ଼ିଛି। ୫ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୨ ଜଣ ରହିଥିଲେ। ସେଥିରୁ ଡାକ୍ତର ସାରଦା ପ୍ରସନ୍ନ ସାହୁଙ୍କର ପଦୋନ୍ନତି ହେବାପରେ ତାଙ୍କୁ ଏମ୍କେସିଜିକୁ ଗତ ୧୨ ତାରିଖରେ ବଦଳି କରାଯାଇଛି। ଏବେ କେବଳ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ସିନିୟର ରେସିଡେଣ୍ଟ ପଦ ବି ଖାଲିପଡ଼ିଛି। ଏପଟେ ୨୦୧୯ରୁ ପିଜି ପାଠ୍ୟକ୍ରମ ମଧ୍ୟ ବନ୍ଦ ହୋଇଯାଇଛି। ଯାହାଫଳରେ, ନୂଆ ଡାକ୍ତର ବି ବାହାରି ପାରୁନାହାନ୍ତି।

ଏପଟେ ବିଭାଗରେ ୩୪ଟି ବେଡ୍, ୬ ଆଇସିୟୁ ଓ ୯ଟି ଏକ୍ମୋ ବେଡ୍ ରହିଛି। ଯେହେତୁ ରାଜ୍ୟର ଏକମାତ୍ର ମେଡିକାଲ କଲେଜ ଭାବେ ଏସ୍ସିବିରେ ଓପନ୍ ହାର୍ଟ ସର୍ଜରି ହେଉଛି, ତେଣୁ ଶତାଧିକ ରୋଗୀ ଲମ୍ବା ଲାଇନ୍ରେ ଅପେକ୍ଷାରେ ରହୁଛନ୍ତି। କିନ୍ତୁ, ବିଶେଷଜ୍ଞ ଅଭାବ ସମସ୍ୟା ଯୋଗୁଁ ଯେତିକି ଅପରେସନ ହେବାକଥା ତାହା ହୋଇପାରୁ ନାହିଁ। ସରକାର କେବଳ ଯୋଜନା କରିବା ସହିତ କୋଟି କୋଟି ଟଙ୍କାର ଉପକରଣ କିଣି ଦେଉଥିବା ବେଳେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ସେସବୁ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। କୋଟି କୋଟି ଟଙ୍କା ବ୍ୟୟରେ କରାଯାଇଥିବା ଏକ୍ମୋ ୟୁନିଟ୍ ହେଉଛି ତାହାର ଉଦାହରଣ। ଅନ୍ୟପଟେ, ଏସ୍ସିବିରେ ଲିଭର ପ୍ରତିରୋପଣ ବ୍ୟବସ୍ଥାର ବି ସମାନ୍ ସ୍ଥିତି। ସରକାର ହାଇଦ୍ରାବାଦ୍ସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି) ସହିତ ଚୁକ୍ତି କରିଛନ୍ତି। ସଂସ୍ଥା ବି ୪/୫ଥର ଏସ୍ସିବି ଗସ୍ତରେ ଆସି ଫେରିଲାଣି। ୨୬୦ରୁ ଅଧିକ ରୋଗୀ ବି ଲିଭର ପ୍ରତିରୋପଣ ପାଇଁ ପଂଜୀକରଣ କରି ଅପେକ୍ଷାରେ ରହିଛନ୍ତି। କିନ୍ତୁ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗରେ ମଧ୍ୟ ପ୍ରଫେସର ନଥିବା ବେଳେ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ।