କଟକ : ଏସ୍‌ସିବି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗରେ ଜଣେ ଡାକ୍ତର ଥିବାରୁ ଲିଭର ପ୍ରତିରୋପଣ କିଭଳି ସମ୍ଭବପର ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗ ପାଇଁ ପାଖାପାଖି ୧୨କୋଟିର ଉପକରଣ କିଣାଯାଇଥିଲେ ମଧ୍ୟ ଏଯାଏଁ ଜଣଙ୍କର ବି ଲିଭର୍‌ ପ୍ରତିରୋପଣ ହୋଇନାହିଁ। ଅପରପକ୍ଷେ, ଉପକରଣ ଆସିଥିବାରୁ ପ୍ରତିରୋପଣ ପାଇଁ ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। ପାଖାପାଖି ୨୫୦ ‌ରୋଗୀ ପଞ୍ଜୀକରଣ କରିବା ସହିତ ପ୍ରତିରୋପଣ ଅପେକ୍ଷାରେ ରହିଛନ୍ତି।

Advertisment

ପାଖାପାଖି ୯ବର୍ଷ ତଳେ ଏସ୍‌ସିବି‌ ମେଡିକାଲରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ହେବ ବୋଲି ସରକାର ଘୋଷଣା କରିଥିଲେ। ଏଥିପାଇଁ ଡାକ୍ତର ବି ତାଲିମ୍‌ ପାଇଁ ବାହାରକୁ ଯାଇଥିଲେ। ଯେଉଁ ଡାକ୍ତରମାନେ ତାଲିମ୍‌ ନେଇ ଫେରି‌ଥିଲେ, ସେମାନଙ୍କ ମଧ୍ୟରୁ କେହିକେହି ଅବସର ବି ନେଇ ସାରିଲେଣି। ଆଉ କେତେଜଣଙ୍କର ବଦଳି ବି ହୋଇସାରିଛି। ଏହି ବ୍ୟବସ୍ଥା ପାଇଁ ପାଖାପାଖି ୧୨କୋଟିର ଉପକରଣ କିଣାଯାଇଥିଲା। କିନ୍ତୁ, ଏଯାଏ ଜଣଙ୍କର ବି ଲିଭର ପ୍ରତିରୋପଣ ସମ୍ଭବ ହୋଇପାରିଲାନାହିଁ। ଯେଉଁ ବିଭାଗ ମାଧ୍ୟମରେ ସରକାର ଏତେ ସବୁ ଯୋଜନା କଲେ, ସେହି ବିଭାଗ ଅର୍ଥାତ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗ ଏବେ ମାତ୍ର ଜଣେ ଡାକ୍ତରରେ ଚାଲିଛି। ବିଭାଗ‌ରେ ଜଣେ ପ୍ରଫେସର ଜଣେ ଆସୋସିଏଟ୍‌ ଫ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ବିଭାଗରେ ରହିବା କଥା। କିନ୍ତୁ ୪ବର୍ଷ ହେଲା ବିଭାଗ ପ୍ରଫେସର ଶୂନ୍ୟ। କେବଳ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ବିଭାଗରେ ଥିବା ଅନ୍ୟଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଏମ୍‌କେସିଜି ମେଡିକାଲ କଲେଜ ବ୍ରହ୍ମପୁରକୁ ବଦଳି କରାଯାଇଥିବାରୁ ଏବେ ତାଙ୍କ ପଦ ଖାଲି। ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ସହାୟତା କରୁଛନ୍ତି ଜଣେ ସିନିୟର ରେସିଡେଣ୍ଟ। ଏପଟେ ୨୦୧୨/୧୩ରୁ ଲିଭର ପ୍ରତିରୋପଣ ପାଇଁ ସମସ୍ତ ଭିତ୍ତିଭୂମି ବିଭାଗରେ ପ୍ରସ୍ତୁତ ରଖାଯାଇ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଯାହା ସବୁ କିଣାଯାଇଥିଲା, ତାହା ଏବେ ଖତ ଖାଉଛି। ଏବେ ଅଡିଟ୍‌ ଏହାକୁ ନେଇ ପ୍ରଶ୍ନ ଉଠାଇଛି। ସେହି ଯନ୍ତ୍ରାଂଶ ସବୁ ପୁରୁଣାକାଳିଆ ହୋଇଥିବାରୁ ଏହାର ବ୍ୟବହାର ଓ ଏହା କେତେଦୂର ଠିକ୍‌ ଅଛି, ତାକୁ ନେଇ ମଧ୍ୟ ସବୁ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

ଏପଟେ ଗଲା ନଭେମ୍ବରରେ ପୁଣି ଲିଭର ପଞ୍ଜୀକରଣ ଓପିଡିକୁ ସ୍ବାସ୍ଥ୍ୟମନ୍ତ୍ରୀ ଏସ୍‌ସିବିରେ ଉଦ୍‌ଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା ପ୍ରଥମ ପର୍ଯ୍ୟାୟରେ କେଉଁମାନଙ୍କର ଲିଭର ପ୍ରତିରୋପଣର ଆବଶ୍ୟକତା ରହିଛି, ସେମାନଙ୍କର ନାମ ପଞ୍ଜୀକରଣ କରାଯିବ। ପ୍ରଥମ ଦଫାରେ ୟୁରୋଲୋଜି ବିଭାଗ ଓଟିରେ ଲିଭର ପ୍ରତିରୋପଣ କରାଯିବ। ଆଜି ସୁଦ୍ଧା ୨୫୦ରୁ ଅଧିକ ଲିଭର ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିସାରିଲେଣି। କିନ୍ତୁ, କେବେ ଏସ୍‌ସିବିରେ ଲିଭର ପ୍ରତିରୋପଣ ଆରମ୍ଭ ହେବ, ତାହାର ଉତ୍ତର କାହାରି ପାଖରେ ନାହିଁ। ହେପାଟୋଲୋଜି ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗ ଅଧୀନରେ ଏହି ଓପିଡି ଖୋଲା ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ କେବଳ ୧୨କୋଟି ଟଙ୍କା ପାଣିରେ ପଡ଼ିବା ହିଁ ସାର ହୋଇଛି!!!