ଆଳୁ ଖୋଳୁ ଖୋଳୁ ମହାଦେବ : କେମିତି ଚାଲିଛି ବାରିପଦା ପୌରପାଳିକା

ଧାର୍ଯ୍ୟ ଚୁକ୍ତି ସମୟ ପରେ ବେଆଇନ କବ୍‌ଜା ଓ ରାଜସ୍ୱ ଆଦାୟ ଅଭିଯୋଗ

୯ ଅକ୍ସନଧାରୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ ନିର୍ବାହୀ ଅଧିକାରୀ
ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରକ୍ରିୟା ତ୍ୱରାନ୍ୱିତ କର: ନିର୍ବାହୀ ଅଧିକାରୀ
ଅକ୍ଟୋବରରୁ ସରିଥିଲା ଚୁକ୍ତି ସମୟସୀମା

ବାରିପଦା : କେମିତି ଚାଲିଛି ବାରିପଦା ପୌରପାଳିକା। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୯ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରିଣୀ ଅନ୍ବେଷା ରେଡ୍ଡୀ। ଅଭିଯୋଗ ଧାର୍ଯ୍ୟ ଚୁକ୍ତି ସମୟ ସରିଯାଇଥିଲେ ମଧ୍ୟ ବେଆଇନ ଭାବେ ସରକାରୀ ଜାଗା ମାଡ଼ିବସିବା ଏବଂ ସରକାରୀ ରାଜସ୍ବ ଆଦାୟ କରିବା। ବାରିପଦା ପୌରପାଳିକାରେ ଥିବା ଅଣଲାଇସେନ୍ସ୍ କ୍ଷୁଦ୍ର ଓ ଉଠାଦୋକାନୀମାନଙ୍କଠାରୁ ବେଆଇନ ଭାବେ ଚୁକ୍ତି ସରିଯାଇଥିଲେ ମଧ୍ୟ ମହାସୁଲ (ହାଟ ଦାଣ୍ଡିଆ) ଆଦାୟ କରିବା ଅଭିଯୋଗକୁ ନେଇ ‘କମଲ ତୋଷ୍ଣିୱାଲ୍’ଙ୍କଠାରୁ ଆରମ୍ଭ ହୋଇଥିଲା ଅଭିଯୋଗର ଏହି ଧାରା। ଏନେଇ ‘ସମ୍ବାଦ’ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ମାତ୍ର ଦୁଇଦିନ ଭିତରେ ବାରିପଦା ପୌରପାଳିକାରେ ଏପରି ୯ଜଣ ବ୍ୟକ୍ତିବିଶେଷ ବେଆଇନ କାମ କରୁଥିବାନେଇ ବାରପଦା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ଶ୍ରୀମତୀ ରେଡ୍ଡୀ।

ମାର୍କେଟ୍ ସାଇକେଲ୍ ଷ୍ଟାଣ୍ଡ୍ ସୈରାତ୍ ନିଲାମ ନେଇଥିବା ରଞ୍ଜିତ କୁମାର ରଥ ଅଧିକାରୀ, କେଏମବିଏମ ସାଇକେଲ୍ ଷ୍ଟାଣ୍ଡ୍ ନିଲାମ ନେଇଥିବା ସନତ କୁମାର ପଟ୍ଟନାୟକ, ସାଇକେଲ୍, ରିକ୍ସା ଏବଂ ଟ୍ରଲି ଏବଂ ଡଗ୍ ଲାଇସେନ୍ସ୍ ନିଲାମ ନେଇଥିବା ପ୍ରକାଶ ଚନ୍ଦ୍ର ଦାସ, ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ କ୍ୟାଣ୍ଟିନ୍ ନିଲାମ ନେଇଥିବା ଶ୍ରାବଣୀ ଦଳବେହେରା, ୱାର୍ଡ ନଂ-୧୩ଓ ୨୦କୁ ଛାଡ଼ି ବାରିପଦା ମାର୍କେଟ୍ ଏବଂ ଅନ୍ୟାନ୍ୟ ସ୍ଥାନର ସୈରାତ ନିଲାମ ନେଇଥିବା କମଲ କୁମାର ତୋଷ୍ଣିୱାଲ୍, ବସ୍‌ଷ୍ଟାଣ୍ଡ୍ ପାର୍କିଂ ଫି ଆଦାୟ ନିଲାମ ନେଇଥିବା ସୁରେଶ ଚନ୍ଦ୍ର ସାହୁ, ମାଲବୋଝେଇ ଗାଡିରୁ ପାର୍କିଂ ଫି ଆଦାୟ ନିମନ୍ତେ ନିଲାମ ନେଇଥିବା ଶିବ ପ୍ରସାଦ ପଟ୍ଟନାୟକ, ୱାର୍ଡ ନଂ ୧୩ ଓ ୨୦ ଏବଂ ଷ୍ଟେସନ ବଜାର ଡେଲି ମାର୍କଟେ୍ ସୈରାତ୍ ନିଲାମ ନେଇଥିବା ବିଜୟ କୁମାର ସିଂହ ଏବଂ କେଏମବିଏମ ରୋଡ୍ ତିନିକୋଣିଆ ଛକରେ ଥିବା ଲଲିତ କୁମାର ସେନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଉପରୋକ୍ତ ବ୍ୟକ୍ତିବିଶେଷ ସେମାନଙ୍କୁ ପ୍ରଦାନ କରାଯାଇଥିବା ସୈରାତ୍ ନିଲାମ କିମ୍ବା ଅନ୍ୟାନ୍ୟ ନିଲାମ ଅବଧି ଗତ ଅକ୍ଟୋବର ମାସରୁ ସରିଯାଇଛି। ଉପରୋକ୍ତ ସମସ୍ତ ନିଲାମଧାରୀମାନଙ୍କର ମଧ୍ୟରୁ କେବଳ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଛାଡି ଅନ୍ୟ ୬ଜଣଙ୍କର ଅବଧି ପ୍ରକୃତରେ ଚଳିତ ବର୍ଷ ଜୁନ୍ ମାସରୁ ସରିଯାଇଥିଲା। ଯାହାକି ବର୍ଷକ ପାଇଁ ବୈଧ ଥିଲା। କେବଳ ଶିବ ପ୍ରସାଦ ପଟ୍ଟନାୟକଙ୍କ ନିଲାମ ସମୟସୀମା ୩ବର୍ଷ ପାଇଁ ଥିଲା ଏବଂ ଏହା ଚଳିତ ବର୍ଷ ଜୁଲାଇ ମାସରେ ସରିଥିଲା। ମାତ୍ର ଏହି ନିଲାମୀ ଅବଧି ମଧ୍ୟରେ ଯେହେତୁ କରୋନା ମହାମାରୀ ଆସିଲା ଏବଂ ସଟଡାଉନ ଲକଡାଉନ କାରଣରୁ ଏହି ସମୟସୀମାକୁ ଦୁଇ ପର୍ଯ୍ୟାୟରେ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମାତ୍ର ଉପରୋକ୍ତ ସମସ୍ତ ସୈରାତ୍ ନିଲାମଧାରୀ ସମ୍ପୂର୍ଣ୍ଣ ଅବୈଧ ଭାବେ ସରକାରୀ ଜାଗା ମାଡ଼ିବସିଥିବା ଏବଂ ନଭେମ୍ବର ମାସ ପାଇଁ ପୌରପାଳିକା ରାଜସ୍ବକୁ ବେଆଇନ ଭାବେ ଆଦାୟ କରିଥିବା ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଛି।

କେବଳ ଏତିକିରେ ଅଟକିଯାଇନାହାନ୍ତି ପୌରନିର୍ବାହୀ ଅଧିକାରିଣୀ ଶ୍ରୀମତୀ ରେଡ୍ଡୀ। ଏତଲା ଦିଆଯାଇଥିବା ସମସ୍ତ ସୈରାତ୍ ନିଲାମଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୬.୨୫ରେ ଦିଆଯାଇଥିବା ଏହି ଏତଲାକ୍ରମେ ଟାଉନ୍ ଥାନାରେ କେସ୍ ନଂ-୮୬୬/୪-୧୨-୨୦୨୦ରେ ଆଇପିସି ୩୮୪/୪୮୯/୩୪ ଦଫାରେ ଏକ ମାମଲା ରୁଜୁ ହୋଇଛି। ଏହାକୁ ନେଇ ପୁରା ବାରିପଦାର ପାଣିପାଗ ସରଗରମ ଧରିଛି। ପୌର ଅଧିକାରୀଙ୍କ ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ପୌରପାଳିକାରୁ ମିଳିଥିବା ସୂଚନା ଅନୁସାରେ ଏତଲା ଦିଆଯାଇଥିବା ସମସ୍ତ ସୈରାତଧାରୀଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି। ନୋଟିସଓର ତିନି ଦିନ ମଧ୍ୟରେ କିପରି ସରକାରୀ ରାଜସ୍ବ ଆଦାୟ କଲେ ସେନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଦାୟ କରିଥିବା ସରକାରୀ ରାଜସ୍ବକୁ ପୌରପାଳିକାରେ ଜମା ଦେବାକୁ ମଧ୍ୟ କୁହାଯାଇଛି। ତେବେ ବାରିପଦା ପୌରପାଳିକାରେ କିପରି ଏପରି କାରବାର ଚାଲିଥିଲା ତାହା ସମସ୍ତଙ୍କୁ ଚକିତ କରିଛି। ପୌରପାଳିକାର କିଛି ବରିଷ୍ଠ କର୍ମଚାରୀ ଏହି ସମସ୍ତ ପ୍ରକରଣରେ ସାମିଲ ଥିବା ଅଭିଯୋଗ ହୋଇଛି। ସୈରାତ୍ ଧାରୀମାନେ ସମସ୍ତ ସରକାରୀ ନୀତି ନିୟମକୁ ଅଣଦେଖା କରି ଖୁଲମଖୁଲା ଏପରି କାରବାର କରୁଥିବା ଆଜିର ଏତଲା ସ୍ପଷ୍ଟ କରିଛି। ଏପରି ବେଆଇନ କାମ କରିଥିବା ସୈରାତଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର