ପ୍ରଦୀପ କୁମାର ଜେନା
ଦାନଗଦୀ: ଦିନେ ଥିଲେ ବିଧାୟକ। ବିଧାନସଭାରେ ଲୋକଙ୍କ ତଥା ନିର୍ବାଚନମଣ୍ଡଳୀର ସମସ୍ୟା ଉପସ୍ଥାପନ କରୁଥିଲେ। ଆଜି କିନ୍ତୁ ତାଙ୍କ ପରିବାର ଦୁର୍ଦିନରେ। ବଡ଼ପୁଅଙ୍କ ପରିବାର ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳ ଉପରେ ନିର୍ଭରଶୀଳ। ଘରକୁ ଯିବାକୁ ରାସ୍ତା ବି ନାହିଁ। ଘାସବଣ, ଅରମାଲଟା ଆଡ଼େଇ ସେଠାରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ବହୁବର୍ଷ ତଳର ନଡ଼ାଛପର ହୋଇଥିବା ମାଟି କୁଡ଼ିଆଟିଏ, ଯାହା ଭଗ୍ନପ୍ରାୟ। ସେହି ଘରଟି ହେଉଛି ଧର୍ମଶାଳା (ଏସ୍ସି) ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ମାୟାଧର ସିଂଙ୍କର। ବର୍ଷାମାଡ଼ରେ ଘର କାନ୍ଥ ଓ ଅଗଣା ସନ୍ତସନ୍ତିଆ ଅବସ୍ଥାରେ ଅଛି।
ଦାନଗଦୀ ବ୍ଲକ୍ ରାଣୀପଡ଼ା ପଞ୍ଚାୟତ ମୂଳାସାର ଗାଁରେ ଜନ୍ମିତ ମାୟାଧର ସିଂ (୧୯୫୭-୧୯୬୧) ଭାରତୀୟ ଜାତୀୟ କଂଗ୍ରେସରୁ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ। ଜଣେ ସରଳ, ନିରାଡ଼ମ୍ବର ଓ ଜନସେବକ ଭାବେ ସେ ଲୋକଙ୍କ ପାଇଁ କାମ କରିଥିଲେ। କ୍ଷମତାର ଅହଙ୍କାର ତାଙ୍କ ପାଖେ ନଥିଲା। ୧୯୭୪ରେ ତାଙ୍କର ପରଲୋକ ହୋଇଥିଲା। ଆଜି କିନ୍ତୁ ତାଙ୍କ ପରିବାର ଅବହେଳିତ। ଏପରିକି ତାଙ୍କ ସ୍ମୃତିରକ୍ଷା ପାଇଁ କେଉଁଠାରେ ପ୍ରତିମୂର୍ତ୍ତିଟିଏ ବି ନାହିଁ।
ସ୍ବର୍ଗତ ମାୟାଧରଙ୍କ ଦୁଇ ପୁଅ ଓ ଦୁଇ ଝିଅ। ବଡ଼ପୁଅ ବିଜୟ ସିଂଙ୍କ କହିବା ଅନୁସାରେ, ତାଙ୍କୁ ୮୦ବର୍ଷ ଟପିଲାଣି। ସେ ଚାଷ କରି ଚଳୁଛନ୍ତି। ଏବେ ତାଙ୍କୁ ୫୦୦ ଟଙ୍କା ଭତ୍ତା ମିଳୁଛି। ୮୦ ବର୍ଷ ଟପିଥିବାରୁ ଅଧିକ ଭତ୍ତା ପାଇଁ ୬ ମାସ ତଳେ ବ୍ଲକ୍ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ବିଜୟ ସିଂଙ୍କ ବଡ଼ପୁଅ ବିଶ୍ବରଂଜନ ବିଦ୍ୟୁତ୍ ବିଭାଗରେ ଠିକା ଶ୍ରମିକ। ସାନପୁଅ ବିଶ୍ବଜିତ କୌଣସି ରୋଗରେ ଆକ୍ରାନ୍ତ ହୋଇ ୫ବର୍ଷ ହେବ ଚିକିତ୍ସିତ ହେଉଛନ୍ତି। ଔଷଧ ବାବଦରେ ତାଙ୍କୁ ପ୍ରତିମାସରେ ୩ହଜାର ଟଙ୍କା ଦରକାର ହେଉଛି, ଯାହାକୁ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର। ସ୍ବାସ୍ଥ୍ୟବୀମା ଯୋଜନା ତାଙ୍କ କାମରେ ଆସୁନାହିଁ। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହାନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ତାଙ୍କୁ ଦୁଇଥର ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଜୟଙ୍କ ପରିବାରକୁ ଏଯାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମଧ୍ୟ ମିଳିପାରିନାହିଁ। ଘରକୁ ରାସ୍ତା ନଥିବାରୁ ବହୁ କଷ୍ଟରେ ଯିବାଆସିବା କରୁଛନ୍ତି।
ସ୍ବର୍ଗତ ମାୟାଧରଙ୍କ ସାନପୁଅ କାଳନ୍ଦୀ ସିଂ ଲାଇନମ୍ୟାନ୍ ଭାବେ ଅବସର ନେଇଛନ୍ତି। ପେନ୍ସନ ପାଉଥିବାରୁ ସେ କୌଣସି ପ୍ରକାରେ ଚଳିଯାଉଛନ୍ତି। କାଳନ୍ଦୀଙ୍କ ବଡ଼ପୁଅ ବିକ୍ରମ ୧୪ବର୍ଷ ନୀଳାଚଳ ଇସ୍ପାତରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଟାଟା ଏହାକୁ ନେବା ପରେ ସେ ଛଟେଇ ହୋଇ ଗାଁରେ ପାନ ଦୋକାନ କରିଛନ୍ତି। ସାନପୁଅ ରାକେଶ ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ିବା ପରେ ଘରେ ବେକାର ଅଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାଳମାଳ କାରଖାନା ଥିବା ସତ୍ତ୍ବେ ତାଙ୍କୁ ଚାକିରି ନାହିଁ। ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ଜଣେ ପୂର୍ବତନ ବିଧାୟକଙ୍କ ପରିବାରର ଏ ଦୁରବସ୍ଥା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ବିଷୟରେ ଦାନଗଦୀ ବିଡିଓ ଶାରଦା ପ୍ରସନ୍ନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଜୟ ସିଂଙ୍କ ସମସ୍ତ ସମସ୍ୟା ସମାଧାନ କରାଯିବ ଏବଂ ତତ୍କ୍ଷଣାତ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି। ତାଙ୍କ ପୁଅର ଚିକିତ୍ସା ଦିଗରେ ମଧ୍ୟ ସେ ବ୍ୟବସ୍ଥା କରିବେ ବୋଲି ଆଶ୍ବାସନା ଦେଇଛନ୍ତି।