କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ: ‘ତଥାପି ପୃଥିବୀଟା ବହୁତ ସୁନ୍ଦର ଲାଗୁଛି’

‘ପରିସ୍ଥିତିରୁ ଲୋକେ ଶିକ୍ଷାଲାଭ କରୁଛନ୍ତି’

‌’କରୋନା ପାଇଁ ‌ହେଉ ପଛକେ ଯେତେବେଳେ ଲୋକମାନେ ଘରେ ରହୁଛନ୍ତି, ପୃଥିବୀଟା ବହୁତ ସୁନ୍ଦର ଲାଗୁଛି। ରାସ୍ତାରେ ଖୁବ୍‌ କମ୍‌ ଗାଡ଼ି ଚାଲୁଛି, ତେଣୁ ଟ୍ରାଫିକ୍‌ ଜନିତ କାରଣରୁ ମୃତ୍ୟୁ ସଂଖ୍ୟା ବହୁତ କମିଯାଇଛି। ପ୍ରଦୂଷଣ ବି ହ୍ରାସ ପାଇଛି। ଆକାଶଟା ବି ସ୍ପଷ୍ଟ ଭାବେ ନୀଳ ଦିଶୁଛି। ଆହୁରି ବି ସବୁଠି ଫୁଟୁଛି ବସନ୍ତ ଋତୁର ଫୁଲ ସମ୍ଭାର ଏବଂ ଗଛଗୁଡ଼ିକରେ ଯେମିତି ଜୀବନ ଫେରିଆସିଛି।’ ସାରାବିଶ୍ବରେ କୋଭିଡ୍‌କୋଭିଡ-୧୯ ଭୂତାଣୁକୁ ନେଇ ଆସୁଥିବା ଖରାପ ଖବର ଭିତରେ ଏହି କେତୋଟି ଭଲ ଖବର ରହିଛି ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ରିଚମଣ୍ଡସ୍ଥିତ ଭର୍ଜିନିଆ କମନୱେଲ୍ଥ ପ୍ରଫେସର ପ୍ରମୋଦ କୁମାର ମହାନ୍ତି ଓ ପ୍ରଫେସର ପୁରୁଷୋତ୍ତମ ଜେନା।

ପ୍ରଫେସର ଜେନା ଏବଂ ପ୍ରଫେସର ମହାନ୍ତି ‘ସମ୍ବାଦ’କୁ କହିଛନ୍ତି ଯେ, ‘ ୨୦୧୯ ମସିହା ଡିସେମ୍ବରରେ ଚୀନ୍‌ର ଉହାନଠାରୁ ଆରମ୍ଭ ହୋଇଥିବା କରୋନାର ଯାତ୍ରା ଏତେ ଶୀଘ୍ର ସାରା ବିଶ୍ବରେ ମହାମାରୀର ରୂପ ନେବ ବୋଲି କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ। ଏଥିରୁ ମୁକୁଳିବା ପାଇଁ ସବୁ ରାଷ୍ଟ୍ରର ସରକାର ଏକାନ୍ତବାସ, ସାମାଜିକ ଦୂରତା, ଲକ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ, ଏହା ଅବିଶ୍ବସନୀୟ ଭାବେ ଲୋକମାନଙ୍କ ଜୀବନ ବଦଳାଇ ଦେଇଛି। ଲୋକଙ୍କ ମାନସିକ ସୁସ୍ଥତାକୁ ପ୍ରଭାବିତ କରିଛି ଏବଂ ସେମାନଙ୍କ ଭିତରେ ଉଦ୍‌ବେଳନ ବଢ଼ିଯାଇଛି। ପରିବାର ଓ ସାଙ୍ଗସାଥୀଙ୍କଠାରୁ ଦୂରେଇ ରହିବା ଯେମିତି ଭଲ ପାଇବାର ଅଂଶବିଶେଷ। ଏବଂ, ବାଟରେ ଗଲାବେଳେ ପଡ଼ୋଶୀଙ୍କୁ ଏଡ଼ାଇଯିବା ବି ଗ୍ରହଣୀୟ ହୋଇଯାଇଛି। ତା’ ବଦଳରେ ରୁଟିନ୍‌ ହୋଇଯାଇଛି କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଯେତେସବୁ ଉପାୟ, ଯେମିତିକି ଜଣେ ଜଣଙ୍କଠାରୁ ଛଅ ଫୁଟ ଦୂରତ୍ବରେ ରହିବା, ପାଟିକୁ ଘୋଡ଼ାଇ ରଖିବା ଏବଂ ନିଜର ଆଖି, ନାକ ଓ ପାଟିକୁ ନଛୁଇଁବା ପାଇଁ ଅଭ୍ୟାସ କରିବା। ଘରେ ରହି ଆମେ ନିଜର ମୂଲ୍ୟକୁ ପ୍ରତିବିମ୍ବିତ କରିବା ପାଇଁ ସୁଯୋଗ ପାଇଛୁ ଏବଂ ଏହା ବି ଗୁରୁତ୍ବପୂର୍ଣ୍ଣ। ଆମେ ଏବେ ଅନୁଭବ କରୁଛୁ ଯେ ବସ୍ତୁଗତ ଆହରଣ ଠାରୁ ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ, ପ୍ରେମ ଓ ବନ୍ଧୁତ୍ବର ବହୁତ ଅଧିକ।’ ଏହିଭଳି ଭାବବିହ୍ବଳତା ଭିତରେ ଏକ ବାସ୍ତବ ଚିତ୍ର ଦେଇଛନ୍ତି ପ୍ରଫେସର ଜେନା ଓ ପ୍ରଫେସର ମହାନ୍ତି। ଦୁହେଁ କହିଛନ୍ତି ଯେ, ‘କରୋନା ଓ ତତ୍‌ଜନିତ ଆର୍ଥିକ ପରିସ୍ଥିତିରୁ ମୁକୁଳିବା ପାଇଁ ସମସ୍ତେ ଚେଷ୍ଟିତ। ଭାରତ ବି ଚେଷ୍ଟିତ। ବହୁଳ ଜନସଂଖ୍ୟା ଏବଂ ସ୍ବାସ୍ଥ୍ୟକ୍ଷେତ୍ରରେ ଅପର୍ଯ୍ୟାପ୍ତ ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା ବହୁତ କମ୍‌ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ପରିସ୍ଥିତିରୁ ମୁକୁଳିବ ଭାରତ।
(ଇମେଲ୍‌ ଯୋଗେ ‘ସମ୍ବାଦ’କୁ ନିଜର ଆବେଗପୂର୍ଣ୍ଣ ମତାମତ ଦେଇଛନ୍ତି ପ୍ରଫେସର ପୁରୁଷୋତ୍ତମ ଜେନା ଓ ପ୍ରଫେସର ପ୍ରମୋଦ କୁମାର ମହାନ୍ତି)

‘ପରିସ୍ଥିତିରୁ ଲୋକେ ଶିକ୍ଷାଲାଭ କରୁଛନ୍ତି’
‘୧୯୭୪ ମସିହାରୁ ସ୍ବାମୀ ପ୍ରଫେସର ଦିଗମ୍ବର ମିଶ୍ର ଏବଂ ୧୯୭୬ ମସିହାରେ ମୁଁ ପଢ଼ାପଢ଼ି କରିବାକୁ ଆମେରିକା ଆସିଥିଲୁ। ପଢ଼ାପଢ଼ି ପରେ ଏଇଠାରେ ବି ଚାକିରି ଜୀବନ ଅତିବାହିତ ହୋଇସାରିଛି। ପୁଅ, ଝିଅ ବି ଏଇଠି ବଡ଼ ହୋଇ ଚାକିରି କ୍ଷେତ୍ରରେ ପ୍ରତିଷ୍ଠିତ ହୋଇସାରିଛନ୍ତି। କିନ୍ତୁ, ୪୪/୪୬ ବର୍ଷ ମଧ୍ୟରେ ଏହି ଶକ୍ତିଶାଳୀ ରାଷ୍ଟ୍ରର ଏଭଳି ପରିସ୍ଥିତି ଦେଖିନଥିଲୁ,’ ବୋଲି କହିଛନ୍ତି ପ୍ରଫେସର ‌ଜ୍ୟୋତ୍ସ୍ନା ମିଶ୍ର। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଆଲାବାମା ରାଜ୍ୟର ବର୍ମିଂହୋମ୍‌ ସହରରେ ପରିବାର ସହିତ ରହୁଛନ୍ତି ପ୍ରଫେସର ମିଶ୍ର। ସେ ପାଖାପାଖି ୩୭ ବର୍ଷ ଧରି ଶିକ୍ଷାଦାନ ବୃତ୍ତିରେ ରହିଛନ୍ତି। ଏବେ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନ ‘ମାଇଲ୍‌ଡ୍‌ କଲେଜ’ରେ ଅଧ୍ୟାପନା କରୁଛନ୍ତି।

ଶ୍ରୀମତୀ ମିଶ୍ର ‌କୋଭିଡ୍-୧୯ର ବ୍ୟାପକ ସଂକ୍ରମଣରେ ଆମେରିକା କିଭଳି ପ୍ରଭାବିତ ହୋଇଛି, ‘ସମ୍ବାଦ’କୁ ସେ ସମ୍ପର୍କରେ କିଛି କହିବା ପୂର୍ବରୁ ନିଜ ରାଜ୍ୟ ତଥା ଦେଶ ନିକଟରୁ କଥା ଆରମ୍ଭ କରିଛନ୍ତି। ସେ କହିଛନ୍ତି ‌ଯେ, ‘ ଓଡ଼ିଶା ଏବଂ ଭାରତ ସରକାର ଆଗୁଆ ଲକ୍‌ଡାଉନ୍‌ ଘୋଷଣା କରି ନିଜର ପ୍ରତିତ୍ପନ୍ନମତିତାର ପରିଚୟ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ୁଥାଇପାରେ, ଲୋକମାନେ ଏହି ପରିସ୍ଥିତିରୁ ଶିକ୍ଷାଲାଭ କରୁଛନ୍ତି।’ ଓଡ଼ିଶା ସମ୍ପର୍କରେ କହିବାକୁ ଯାଇ ଶ୍ରୀମତୀ ମିଶ୍ର ବମିଖାଲ କଥା କହିଛନ୍ତି, ଯେଉଁଠି ଅଧିକ ପଜିଟିଭ୍‌ ସଂଖ୍ୟା ବାହାରିବା ସହିତ ସେହି ସ୍ଥାନକୁ ସଂକ୍ରମଣ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି। ସେ କହିଛନ୍ତି ‌ଯେ, ‘ ବମିଖାଲରେ ଆମର ଘର ରହିଛି ଏବଂ ମୋ ଭାଇ ରହୁଛନ୍ତି। ସେଠାକାର ଲୋକମାନେ ସରକାରଙ୍କୁ ନିର୍ଦ୍ଦେଶକୁ ମାନିବା ନିଶ୍ଚିତଭା‌ବେ ଆଶ୍ବାସନାର ବିଷୟ।’ ପରୀକ୍ଷାନିରୀକ୍ଷାକୁ ଭଲ ପାଉଥିବା ଆମେରିକାରେ ଯାହା ଘଟିଲା, ସେହିଭଳି ଘଟିବା ପାଇଁ ଭାରତ ଓ ଓଡ଼ିଶା ସୁଯୋଗ ‌ଦେଇନାହାନ୍ତି। କରୋନାକୁ ପ୍ରାରମ୍ଭରୁ ହାଲ୍‌କା ଭାବେ ଗ୍ରହଣ କରିବା ଆମେରିକା ପାଇଁ ମହଙ୍ଗା ପଡ଼ିଛି,’ ବୋଲି କହିଛନ୍ତି ଶ୍ରୀମତୀ ମିଶ୍ର। ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ, ‘ଭଲ ଖବର ହେଉଛି ହଟ୍‌ସ୍ପଟ୍‌ ଅଂଚଳରେ ସଂକ୍ରମଣର ମାତ୍ରା କମିଛି। ମାତ୍ର, ଖରାପ ଖବର ହେଉଛି ପୁଣିଥରେ ଏହା ସାଂଘାତିକ ଲେଉଟାଣିର ଭୟ ବି ରହୁଛି। ‘ ତେବେ, ଗୋଟିଏ ବର୍ଷ ମଧ୍ୟରେ ଟୀକା ବାହାରିବାର ସମ୍ଭାବନା ନଥିବାରୁ ଏହାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା, ଲକ୍‌ଡାଉନ୍‌କୁ ମାନିବା ଉଚିତ। ଏବଂ ଭଲ ସମୟ ନିଶ୍ଚୟ ଫେରିଆସିବ ବୋଲି କହିଛନ୍ତି ଶ୍ରୀମତୀ ମିଶ୍ର।
(ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ପ୍ରଫେସର ଜ୍ୟୋତ୍ସ୍ନା ମିଶ୍ର ‘ସମ୍ବାଦ’ ସହିତ କଥା ହୋଇ ନିଜର ଅନୁଭୂତି ବାଣ୍ଟିଛନ୍ତି)

ସମ୍ବନ୍ଧିତ ଖବର