ଗାର୍ଗୀ ଶତପଥୀ
ସମ୍ବଲପୁର: ରାଜ୍ୟରେ ଆଦିମ ଜନଜାତି ବସବାସ କରୁଥିବା ଗାଁ ସଂଖ୍ୟା ହେଲା ମାତ୍ର ୧୬୭୯। ହେଲେ ଗତ ୯ ବର୍ଷ ମଧ୍ୟରେ ଆଦିମ ଜନଜାତି (ପିଭିଟିଜି)ଙ୍କ ବିକାଶ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୫୭୬.୦୯ କୋଟି ଟଙ୍କା। ସାଂଘାତିକ କଥାଟି ହେଲା, ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ୯୯% ଆଦିମ ଜନଜାତିଙ୍କ ମାସିକ ଆୟ ଏଯାଏ ୧୦ ହଜାର ଟଙ୍କା ଛୁଇଁ ପାରିନାହିଁ। ଓଡ଼ିଶା ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଆହୁରି କହୁଛି ଯେ ୪% ଆଦିମ ଜନଜାତିଙ୍କ ଆୟ ୧ ହଜାରରୁ କମ ରହିଛି। ଆଉ ୮୭%ଙ୍କ ଆୟ ୧ ହଜାରରୁ ୫ ହଜାର ଟଙ୍କା ରହିଥିବା ବେଳେ ୭% ଲୋକଙ୍କ ଆୟ ୫ ହଜାରରୁ ୧୦ ହଜାର ଏବଂ ମାତ୍ର ୧ ପ୍ରତିଶତ ପିଭିଟିଜିଙ୍କ ଆୟ ୧୦ ହଜାର ଟଙ୍କାରୁ ଅଧିକ ଅଟେ। ଏହି ଚିତ୍ର ଏବେ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭକରି ବିଶେଷଜ୍ଞଙ୍କୁ ଆନ୍ଦୋଳିତ କଲାଣି। 

Advertisment

ଓଡ଼ିଶାରେ ସର୍ବାଧିକ ୧୩ ପ୍ରକାର ଆଦିମ ଜନଜାତି ସମୂହ ଅଛନ୍ତି। ଯେଉଁମାନେ ସ୍ବାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅନ୍ୟାୟ ଓ ଅବହେଳାର ଶିକାର ହେଉଛନ୍ତି। ଯେକୌଣସି ଉନ୍ନୟନ ପ୍ରକଳ୍ପରେ ଆଦିମ ଜନଜାତି ହିଁ ସର୍ବାଧିକ ପ୍ରଭାବିତ ଏବଂ ବିସ୍ଥାପିତ ହୋଇ ଥାଆନ୍ତି। ସେମାନଙ୍କ ଜୀବିକା ଅଭିବୃଦ୍ଧି ପାଇଁ ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି (ଆଇଏଫ୍‌ଏଡି)ର ସହଭାଗିତାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଓପିଲିପି ବା ଅନୁନ୍ନତ ଜନଜାତି ସମୁଦାୟ ସଶକ୍ତୀକରଣ ଓ ଜୀବିକା ଅଭିବୃଦ୍ଧି କାଯ୍ୟକ୍ରମ ୫୪୧ ପିଭିଟିଜି ଗାଁରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ସର୍ବାଧିକ ୫୬୩.୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

 ଯାହା ୨୦୧୬ ମସିହାରୁ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ମାସ ୩୧ ତାରିଖରେ ତାହାର ଅବଧି ସରିଥିଲା। ଆସନ୍ତା ୩୦ ତାରିଖରେ ଏ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ସରିଯିବ। ଅର୍ଥାତ ଓପିଇଏଲଆଇପି କାର୍ଯ୍ୟକ୍ରମରେ ୨୦୧୬ ମସିହାରେ ୧୭.୧୩ କୋଟି, ୨୦୧୭ ମସିହାରେ ୩୦.୧୫ କୋଟି, ୨୦୧୮ରେ ୧୦୦.୯୪ କୋଟି, ୨୦୧୯ ମସିହାରେ ୧୦୩.୫୩ କୋଟି, ୨୦୨୦ ମସିହାରେ ୭୭.୯୧ କୋଟି, ୨୦୨୧ରେ ୬୩.୮୨ କୋଟି, ୨୦୨୨ ମସିହାରେ ୧୦୮.୧୫ କୋଟି, ୨୦୨୩ରେ ୬୦.୪୦ କୋଟି ଏବଂ ୨୦୨୪ରେ ମାତ୍ର ୧.୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟଦିଗରେ, ଅନୁନ୍ନତ ଜନଜାତି ସମୁଦାୟଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ୨୦୨୩ ମସିହାରେ ଆର୍ଥିକ ବର୍ଷରେ ଆରମ୍ଭ ହୋଇଛି। କେନ୍ଦ୍ର ସରକାର୧୨.୬୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହା ୬୧ ଏମ୍‌ପିସି ନିର୍ମାଣ କାର୍ଯ୍ୟରେ ବିନିଯୋଗ ହୋଇଛି। ହେଲେ ଆଦିମ ଜନଜାତି ଯେମିତିକୁ ସେମିତି ରହିଛି।