ଭଞ୍ଜନଗର: ତିନିଦିନ ତଳେ ପୁରୀର ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ୍ରେ ଭୟାବହ ଅଗ୍ନିକାଣ୍ଡ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦୀର୍ଘ ୩୬ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ କୋଟି କୋଟି ଟଙ୍କାର ସଂପତ୍ତି ପାଉଁଶ ହୋଇସାରିଥିଲା। କମ୍ପ୍ଲେକ୍ସ୍ର ପ୍ରବେଶପଥ ସଙ୍କୁଚିତ ହୋଇଥିବା ସହ ନିଆଁକୁ ଆୟତ୍ତ କରିବାକୁ ବିକଳ୍ପ ବାଟ ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ତେବେ କେବଳ ପୁରୀ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳ ଗୁଡ଼ିକରେ ଥିବା ବିଭିନ୍ନ ବଡ଼ଧରଣର ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ।
କେଉଁମାନେ ପ୍ରମାଣପତ୍ର ପାଇଛନ୍ତି, ଏହା ବି ଯାଞ୍ଚ କରିବା ଲାଗି ଅଗ୍ନିଶମବିଭାଗ ତତ୍ପର ହେଉନି। ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଲେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର କଥାକୁ ବିଚାରରେ ନେଲେ, ଏଠାରେ ଥିବା ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ, ପେଟ୍ରୋଲ୍ ପମ୍ପ୍, ଗ୍ୟାସ୍ଡିପୋ, ଡାକ୍ତରଖାନା, ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ତାହା ନିୟମିତ ଭାବେ ଯାଞ୍ଚ ହେଉନି। ଫଳରେ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭଞ୍ଜନଗରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ନିଘା ନାହିଁ
ବ୍ୟବସାୟୀଙ୍କ ପାଖରେ ନାହିଁ ପ୍ରମାଣପତ୍ର
ବ୍ୟାବସାୟିକ ପ୍ରତିଷ୍ଠାନରେ ସଚେତନତା ଜରୁରି
ଜିଲ୍ଲାର ଭଞ୍ଜନଗର ହେଉଛନ୍ତି ଅନ୍ୟତମ ପ୍ରମୁଖ ସହର। ଏଠାରେ ଗତ କିଛିବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ସପିଂମଲ୍ ଓ ଉଚ୍ଚକୋଠା ବିଶିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ଏଠାକୁ ପ୍ରତିଦିନ ଶତାଧିକ ଲୋକ ଆସୁଛନ୍ତି। କିନ୍ତୁ ଉକ୍ତ ସମସ୍ତ କୋଠାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦିଗରେ କେଉଁ ପଦକ୍ଷେପ ନିଆଯାଇଛି ଏହାର ଉତ୍ତର କାହା ପାଖରେ ନାହିଁ। କେବଳ ପେଟ୍ରୋଲ୍ ପମ୍ପ୍ ଓ ଗ୍ୟାସ୍ଡିପୋ ଗୁଡ଼ିକ ସରକାରୀ ନିୟମ ଅନୁଯାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇଛନ୍ତି। ତେବେ ଅନ୍ୟ କାହାପାଖରେ ପ୍ରମାଣପତ୍ର ଅଛି କି ନାହିଁ, ଏସଂକ୍ରାନ୍ତ ବିଧିବଦ୍ଧ ତଥ୍ୟ ନଥିବା ଜଣେ ଅଧିକାରୀ କହିଛନ୍ତି।
ସେହିପରି ଡାକ୍ତରଖାନାରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ କରାଯିବା ସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର୍ର ବ୍ୟବହାର ଏବଂ ଦୁର୍ଘଟଣା ସମୟରେ ସତର୍କତା ଅବଲମ୍ବନ ଉପରେ ବ୍ୟାପକ ସଚେତନ କରାଯାଉଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଦୋକାନବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ କୋଚିଂ ସେଣ୍ଟର୍ ଗୁଡ଼ିକରେ ଏଦିଗରେ ବ୍ୟାପକ ସଚେତନତା ଏବଂ ଯାଞ୍ଚର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।
ସେହିପରି ପ୍ରାୟତଃ ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଘଟୁଥିବା ବେଳେ ବିଦ୍ୟୁତ୍ ସରଞ୍ଜାମ ଗୁଡ଼ିକର ଆଧୁନିକୀକରଣ କରାଯାଉନି କି, ନିୟମିତ ଯାଞ୍ଚ ହେଉନି। କମ୍ପ୍ୟୁଟରର ବହୁଳ ବ୍ୟବହାର ସହ ସେଠାରେ ଥିବା କାଠ ଓ କାଗଜ ଆଦି ସରଞ୍ଜାମ ଯୋଗୁଁ ଅଘଟଣର ଅଧିକ ଆଶଙ୍କା ରହିଥାଏ। ଯାହାକି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। କିନ୍ତୁ ଏହା ଉପରେ ଦୃ୍ଷ୍ଟି ଦିଆଯାଉନି। ସେହିପରି ସଙ୍କୁଚିତ ରାସ୍ତାରେ ଦୋକାନବଜାର ଗଢ଼ିଉଠିବା ଅନ୍ୟ ଏକ କାରଣ ପାଲଟିଛି। ଅନେକ ଅନୁଷ୍ଠାନ ପାଖରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିଥିଲେ ମଧ୍ୟ ସେମାନେ ନିରାପତ୍ତା ପ୍ରମାଣପତ୍ର ନେଇ ନାହାନ୍ତି। ଏହାର ବ୍ୟବହାର ସଂର୍ପକରେ ଅନେକ ଅଜ୍ଞ ରହିଛନ୍ତି। ଯାହାଫଳରେ ଆକସ୍ମିକ ଅଘଟଣକୁ ଏଡ଼ାଇବାରେ ସମସ୍ୟା ଦେଖାଦେଉଛି।