ଦୁଇ ବର୍ଷ ଭିତରେ ରାଜ୍ୟରେ ମାପ ଓ ଓଜନରେ କେତେ ଦଲାଲ ଓ ଠକ ଧରାପଡ଼ିଛନ୍ତି ତାହାର ରି‌ପୋର୍ଟ ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: ଦୁଇ ବର୍ଷ ଭିତରେ ରାଜ୍ୟରେ ମାପ ଓ ଓଜନରେ କେତେ ଦଲାଲ ଓ ଠକ ଧରାପଡ଼ିଥିଲେ ସେନେଇ ପ୍ରଶ୍ନ କରିଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର । ବିଧାୟକ କହିଥିଲେ କି, ପନିପରିବାରେ ଭେଜାଲ, ପେଟ୍ରୋଲ ଟାଙ୍କିରେ ଠକେଇ, ଗୋଦାମରେ ଅପମିଶ୍ରଣରେ ରାଜ୍ୟ ସରକାର କେତେ ଗୋଦାମ କାରଖାନାରେ ଚଢାଉ କରି ଠକ ଦଲାଲଙ୍କୁ ଧରିଛନ୍ତି ?

ଏହାର ଉତ୍ତରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନ କାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ୬୮ ହଜାର ୩୬୫ ଟଙ୍କା । ୨୦୧୯-୨୦ ରେ ଏକ କୋଟି ୩୧ ଲକ୍ଷ ୯୪ ହଜାର ୬୧୫ ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି ବର୍ଷ ୫୭୦୧ ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।

ସେହିପରି ୨୦୨୦-୨୧ ରେ ୪୨୯୦ ମାମଲା ଓ ଜରିମାନା ପରିମାଣ ଏକ କୋଟି ୧୧ ଲକ୍ଷ ୨୮ ହଜାର ୩୦୦ ଟଙ୍କା । ୨୦୨୧ ଅକ୍ଟୋବର ସୁଦ୍ଧା ୧୯୦୪ ମାମଲା ୪୦ ଲକ୍ଷ ୪୫ ହଜାର ୨୦ ଟଙ୍କା ଜରିମାନା ଆଦାୟ ହୋଇଛି ।

୧୭୪ ସୁନା ଦୋକାନୀଙ୍କ ବିରୋଧରେ ମାମଲା, ୪ ଲକ୍ଷ ଆଦାୟ ହୋଇଛି । ସେହିପରି ୮୦ଟି ପେଟ୍ରୋଲ ପମ୍ପ ବିରୋଧରେ ମାମଲା, ୭.୨୫ ଲକ୍ଷ ଫାଇନ ଆଦାୟ ହୋଇଛି । ୧୯୬ ମସଲା ଦୋକାନୀ, ୧୧୩ ପନିପରିବା ଦୋକାନୀ ଓଜନରେ ଠକିଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସମ୍ବନ୍ଧିତ ଖବର