ସମ୍ବଲପୁର(ଜ୍ଞାନରଂଜନ ମିଶ୍ର): ୨୦୨୩ ଶେଷ ସୁଦ୍ଧା ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇ ସାରିଥିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ପ୍ରଥମେ ପ୍ରେସ୍ ବିବୃତି ଜରିଆରେ ଓ ପରେ ନିର୍ବାଚନୀ ସଭାରେ ସିଧାସଳଖ ଘୋଷଣା କରି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ସବୁ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଉପନିର୍ବାଚନ ଜିତି ସାରିବା ପରେ ବି ଦୋହରାଇଛନ୍ତି। ଅର୍ଥାତ୍ ୨୦୨୩ ଡିସେମ୍ବର ସୁଦ୍ଧା ବା ଆଉ ବର୍ଷେ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବା ନିଶ୍ଚିତ। କିନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା କେବଳ ପଦ୍ମପୁର ନୂଆ ଜିଲ୍ଲା ହେବ ନା’ ଜିଲ୍ଲାପାଇଁ ଦାବି କରୁଥିବା ଆହୁରି ଅନେକ ଯୋଗ୍ୟ ଉପଖଣ୍ଡକୁ ଏହି ମାନ୍ୟତା ମିଳିବ। କାରଣ ସରକାର ଯେ କେବଳ ନିର୍ବାଚନୀ ପ୍ରତିଶ୍ରୁତି କାରଣରୁ ପଦ୍ମପୁରକୁ ଜିଲ୍ଲା କରି ଭୌଗଳିକ, ରାଜନୈତିକ, ପ୍ରଶାସନିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଅଧିକ ବଡ଼ ଓ ଯୋଗ୍ୟ ଅଞ୍ଚଳ ଗୁଡ଼ିକୁ ଅଣଦେଖା କରିବେ ତାହା ଗ୍ରହଣଯୋଗ୍ୟ ନୁହେଁ। କାରଣ ଏଭଳି ହେଲେ ଉକ୍ତ ଅଞ୍ଚଳବାସୀଙ୍କ ନିକଟରେ ସରକାର ନିଜ ବିଶ୍ବସନୀୟତା ହରାଇବେ ଓ ୨୦୨୪ ସାଧାରଣ ନିର୍ବାଚନରେ ଶାସକ ଦଳକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ। ତେଣୁ ସରକାର ଏଭଳି ଭୁଲ ନକରି ଏବେଠୁ ରାଜ୍ୟବ୍ୟାପୀ ଜିଲ୍ଲା ପୁନର୍ଗଠନ ପାଇଁ ଅଙ୍କକଷା ଆରମ୍ଭ କରିବେ, ଏଥିରେ ସନ୍ଦେହ ନାହିଁ।
ସରକାରୀ ତଥ୍ୟରୁ ମିଳିଥିବା ସୂଚନା ମୁତାବକ ପଦ୍ମପୁର ଉପନିର୍ବାଚନ ଓ ଜିଲ୍ଲା ପ୍ରସଂଗ ଉଠିବା ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟରେ ପ୍ରାୟ ୧୫ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସିଛି। ପଦ୍ମପୁର ଜିଲ୍ଲା ହେବା କଥା ଉଠିବା ପରେ ଆଉ କିଛି ନୂଆ ଅଞ୍ଚଳ ବି ଜିଲ୍ଲା ଦୌଡ଼ରେ ସାମିଲ ହୋଇଛନ୍ତି। ଫଳରେ ଦାବିଦାର ସଂଖ୍ୟା ବୃଦ୍ଧି ପାଇଛି। ୧୯୯୩ରେ ଜିଲ୍ଲା ପୁନର୍ଗଠନ ସମୟରେ ଭୌଗଳିକ ଦୃଷ୍ଟିରୁ ଯେଉଁ କିଛି ବଡ଼ ଜିଲ୍ଲା ଭାଗ ନହୋଇ ରହି ଯାଇଥିଲା ସେହି ଜିଲ୍ଲା ଗୁଡ଼ିକରେ ସ୍ବତନ୍ତ୍ର ଜିଲ୍ଲା ପାଇଁ ଦାବି ଉଠିବା ସ୍ବାଭାବିକ। ଏହା ମଧ୍ୟରେ ଆୟତ୍ତନ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଅନ୍ୟତମ ବୃହତ୍ତମ ୨୬ ବ୍ଲକ୍ ବିଶିଷ୍ଟ ମୟୂରଭଞ୍ଜକୁ ଭାଗ କରି ସ୍ବତନ୍ତ୍ର ରାଇରଂଗପୁର ଜିଲ୍ଲା ଗଠନ ଦାବି ସବୁ ଦୃଷ୍ଟିରୁ ଯଥାର୍ଥ ଓ ଯୁକ୍ତିଯୁକ୍ତ। ସେହିପରି କେନ୍ଦୁଝରକୁ ଭାଗ କରି ସ୍ବତନ୍ତ୍ର ଆନନ୍ଦପୁର ଜିଲ୍ଲା, ସୁନ୍ଦରଗଡ଼କୁ ଭାଗ କରି ଆଦିବାସୀ ବହୁଳ ବଣାଇ ଜିଲ୍ଲା ଓ ସ୍ବତନ୍ତ୍ର ରାଉରକେଲା ଜିଲ୍ଲା ପାଇଁ ବହୁ ପୁରୁଣା ଦାବି ରହିଛି।
ଏହାଛଡ଼ା ୧୯୯୩ରେ ଗଜପତି ଜିଲ୍ଲା ଅଲଗା ହେବା ପରେ ବି ଅବଶିଷ୍ଟ ଗଂଜାମ ଜିଲ୍ଲା ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସର୍ବବୃହତ ଜିଲ୍ଲା ହୋଇ ରହିଛି। ଗଂଜାମକୁ ଭାଗ କରି ସ୍ବତନ୍ତ୍ର ବ୍ରହ୍ମପୁର ଜିଲ୍ଲା ଓ ଘୁମୁସର ଜିଲ୍ଲା ଗଠନ ଦାବି ବହୁ ପୁରୁଣା। ସେହିପରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଏକ ବୃହତ ଜିଲ୍ଲା ହୋଇଥିଲାବେଳେ ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ବହୁ ଦିନରୁ ଦାବି ଓ ଆନ୍ଦୋଳନ ହୋଇ ଆସୁଛି। ଭୌଗଳିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ଏହି ଦାବି ବେଶ ଯଥାର୍ଥ। ଏହାଛଡ଼ା ରାଜଧାନୀ ଭୁବନେଶ୍ବରକୁ ଖୋର୍ଦ୍ଧାରୁ ଅଲଗା କରି ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ, ଅନୁଗୁଳରୁ ପୃଥକ୍ କରି ଖଣି ସମୃଦ୍ଧ ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା କରିବା ସ୍ବର ବି ଅନେକ ଦିନରୁ ଶୁଭି ଆସୁଛି।
ଏହାବ୍ୟତୀତ ଶିଳ୍ପ ସମୃଦ୍ଧ ଯାଜପୁରକୁ ଭାଗ କରି ସ୍ବତନ୍ତ୍ର ଚଣ୍ଡିଖୋଲ ଜିଲ୍ଲା, ବାଲେଶ୍ବରକୁ ଭାଙ୍ଗି ନୂଆ ଜଳେଶ୍ବର ଜିଲ୍ଲା, ରାୟଗଡ଼ାରୁ ଅଲଗା ହୋଇ ଗୁଣୁପୁର ଜିଲ୍ଲା, କଳାହାଣ୍ଡିରୁ ଭାଗ ହୋଇ ଧର୍ମଗଡ଼ ଜିଲ୍ଲା ଓ ସମ୍ବଲପୁରରୁ ପୃଥକ୍ ହୋଇ କୁଚିଣ୍ଡା ଜିଲ୍ଲା କରିବାକୁ ସଂପୃକ୍ତ ଅଞ୍ଚଳରେ ଦାବି ଉଠୁଛି। ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀରରେ କଣ୍ଟାବାଞ୍ଜିକୁ ବି ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଛି। ଅନେକ ସ୍ଥାନରେ ଏଥି ପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇ ଆନ୍ଦୋଳନ, ଧାରଣା ବିକ୍ଷୋଭ ଆଦି ଜାରି ରହିଛି। ସରକାର ଏସବୁ ଦାବି ଗ୍ରହଣ କଲେ ୩୦ ବର୍ଷ ବ୍ୟବଧାନରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୩୦ରୁ ବୃଦ୍ଧି ପାଇ ୪୫ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି ଶଂକର ପାତ୍ରଙ୍କୁ ଆର୍ଟିଆଇରେ ମିଳିଥିବା ତଥ୍ୟରେ ୧୫ଟି ନୂଆ ଜିଲ୍ଲା ପାଇଁ ବିଭିନ୍ନ ଅଞ୍ଚଳରେ ଦାବି ରହିଥିବା ସଂପର୍କରେ ସରକାରୀଭାବେ ସ୍ବୀକାର କରାଯାଇଛି।