ପାନୀୟ ଜଳ ପ୍ରକଳ୍ପ କେଉଁ ଜିଲ୍ଲା ଭାଗରେ କେତେ

ଭୁବନେଶ୍ବର :  : କେନ୍ଦ୍ରାପଡ଼ାର ୪ଟି ବ୍ଲକ୍‌ ଅନ୍ତର୍ଗତ ୬୫ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୨୭୪ଟି ଗ୍ରାମରେ ବାସ କରୁଥିବା ପ୍ରାୟ ୨,୭୪,୮୩୬ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଆଳି ବ୍ଲକ୍‌ ଅନ୍ତର୍ଗତ ୩୧ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧୨୨ଟି ଗ୍ରାମ, ରାଜକନିକା ବ୍ଲକ୍‌ ଅନ୍ତର୍ଗତ ୨୯ଟି ଗ୍ରାମ ପଞ୍ଚାୟତ ଅଧୀନରେ ୧୪୫ଟି ଗ୍ରାମ, ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ୪ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୫ଟି ଗ୍ରାମ ଓ ରାଜନଗର ବ୍ଲକ୍ ଅନ୍ତର୍ଗତ ଗୋଟିଏ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୨ଟି ଗ୍ରାମର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଦୁଇଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍‌ରେ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର୍‌ ଡକାଯାଇଥିଲା। ଏଥିରେ ଚେନ୍ନାଇର ଏଲ୍‌ ଆଣ୍ଡ୍‌ ଟି ‌ସଂସ୍ଥା କାମ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ୨୨୭ କୋଟି ୯୧ ଲକ୍ଷ ୪୦ ହଜାର ଟଙ୍କାରେ ଏହି କାମ କରାଯିବ।

ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକ୍‌ ଅନ୍ତର୍ଗତ ୭୭ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୫୦୫ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪,୯୭,୬୮୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହା ମଧ୍ୟରୁ ବାଣପୁର ବ୍ଲକ୍‌ ଅନ୍ତର୍ଗତ ୧୧ଟି ପଞ୍ଚାୟତର ୯୩ ଗ୍ରାମ, ଚିଲିକା ବ୍ଲକ୍ ଅନ୍ତର୍ଗତ ୧୭ଟି ପଞ୍ଚାୟତର ୧୨୨ଟି ଗ୍ରାମ, ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ୭ଟି ପଞ୍ଚାୟତର ୪୮ଟି ଗ୍ରାମ, ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ୧୫ଟି ପଞ୍ଚାୟତର ୯୦ଟି ଗ୍ରାମ ଏବଂ ଖୋର୍ଦ୍ଧା ବ୍ଲକ୍‌ ଅନ୍ତର୍ଗତ ୨୨ଟି ପଞ୍ଚାୟତର ୧୧୭ଟି ଗ୍ରାମର ଲୋକ ଉପକୃତ ହେବେ। ଏହି ଦୁଇଟି ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍‌ରେ କାର୍ଯ୍ୟକାରୀ କରିବା ପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ଏଲ୍‌ ଆଣ୍ଡ୍‌ ଟି ଯୋଗ୍ୟ ବିବେଚିତ ହୋଇଛି। ୩୪୮ କୋଟି ୧୦ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଢେଙ୍କାନାଳ ଜିଲ୍ଲାରେ ହେବାକୁ ଥିବା ଦୁଇଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ଗଁଦିଆ ବ୍ଲକ୍‌ ଅଧୀନରେ ଥିବା ୨୯ଟି ପଞ୍ଚାୟତର ୧୬୬ଟି ଗ୍ରାମ, ସଦର ବ୍ଲକ୍ ଅନ୍ତର୍ଗତ ୧୧ଟି ପଞ୍ଚାୟତର ୪୧ଟି ଗ୍ରାମ, ଭୁବନ ବ୍ଲକ୍ ଅନ୍ତର୍ଗତ ୧୮ଟି ପଞ୍ଚାୟତର ୧୦୭ଟି ଗ୍ରାମ ଓ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ୧୦ଟି ପଞ୍ଚାୟତର ୪୮ଟି ଗାଁର ଲୋକ ଉପକୃତ ହେବେ। ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ୨୯୬ କୋଟି ୯୩ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଇବ।

ସମ୍ବଲପୁର ଜିଲ୍ଲାର ୨୬ଟି ପଞ୍ଚାୟତ ଓ ଝାରସୁଗୁଡ଼ାର ୨ଟି ପଞ୍ଚାୟତ ପାଇଁ ଗୋଟିଏ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଛି। ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ୧୮୮ କୋଟି ୩୮ ଲକ୍ଷ ୬୩ ହଜାର ଟଙ୍କାରେ ଏହି କାମ କରିବ। ଏଥିରେ ସମ୍ବଲପୁର ଜିଲ୍ଲାର ଧାନକଉଡ଼ା, ମାନେଶ୍ବର, ଯୁଯୁମରା, ଯମନକିରା ଓ ରେଙ୍ଗାଲି ବ୍ଲକ୍‌ ଅଧୀନରେ ଥିବା ୨୬ଟି ପଞ୍ଚାୟତର ୧୩୮ଟି ଗ୍ରାମ ଏବଂ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବ୍ଲକ୍‌ ଅଧୀନରେ ଥିବା ୨ଟି ପଞ୍ଚାୟତର ୬ଟି ଗ୍ରାମର ଲୋକ ଉପକୃତ ହେବେ।

କଳାହାଣ୍ଡି ଜିଲ୍ଲାର ଗୋଟିଏ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟାଦେଶ ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌କୁ ୧୭୭ କୋଟି ୮୩ ଲକ୍ଷ ୫୦ ହଜାର ଟଙ୍କାରେ ଦିଆଯାଇଛି। ଏହି ପ୍ରକଳ୍ପ ଦ୍ବାରା ୨୮ଟି ପଞ୍ଚାୟତର ୧୨୧ଟି ଗ୍ରାମର ଲୋକ ଉପକୃତ ହେବେ।

ଯାଜପୁର ଜିଲ୍ଲାର ଗୋଟିଏ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟାଦେଶ ମଧ୍ୟ ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌କୁ ଦିଆଯାଇଛି। ଏହାର ବ୍ୟୟ ଅଟକଳ ରହିଛି ୨୪୫ କୋଟି ୯୮ ଲକ୍ଷ ୫୦ ହଜାର ଟଙ୍କା। ଏହି ପ୍ରକଳ୍ପ ଦ୍ବାରା ଯାଜପୁର, କୋରେଇ, ରସୁଲପୁର ଓ ବିଞ୍ଝାରପୁର ବ୍ଲକ୍‌ ଅଧୀନରେ ଥିବା ୫୩ଟି ଗ୍ରାମପଞ୍ଚାୟତର ୨୮୦ଟି ଗ୍ରାମର ଲୋକ ଉପକୃତ ହେବେ।

ସମ୍ବନ୍ଧିତ ଖବର