ଭୁବନେଶ୍ବର : ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଲେଣି। ତାଙ୍କ ପିତା ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କରିବା କଥା ସେବେଠାରୁ ହିଁ କହିଆସୁଛନ୍ତି। ଏବେ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ପୁଣି ଥରେ ବିଜୁ ବାବୁଙ୍କ ସ୍ବପ୍ନ ପୂରଣ କରିବା କଥା ଉଠାଇଛନ୍ତି। ଏହି ସ୍ବପ୍ନ ପୂରଣ କରିବାକୁ ନବୀନ ବାବୁଙ୍କୁ ଆଉ କେତେ ବର୍ଷ ଲାଗିବ? ରବିବାର ଏକ ପ୍ରେସ୍‌ ବିବୃତି ଜାରି କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କେତୋଟି ପ୍ରଶ୍ନ ଉଠାଇଛନ୍ତି।

Advertisment

ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି, ଯେଉଁମାନେ ବିଜୁ ବାବୁଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ମୁହଁରୁ ଗୋଟିଏ କଥା ବିଜୁ ବାବୁ କହୁଥିବା ଶୁଣିବାକୁ ମିଳେ। ତାହା ହେଉଛି ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା। ପ୍ରତ୍ୟେକ ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାୟୀ ବାସଗୃହ ଓ ରାଜ୍ୟର ସବୁ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତିର ସୁଯୋଗ ମିଳୁ। ଯାହା ଏ ପର୍ଯ୍ୟନ୍ତ ସମ୍ଭବ ହେଲାନାହିଁ।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନାରା ଦିଆଯାଉଛି। ଅଥଚ ପ୍ରତି ଗାଁରେ ମଦ ଦୋକାନ ଖୋଲି ପୁରୁଷମାନଙ୍କୁ ମଦୁଆ କରେଇବାକୁ କଣ ବିଜୁ ବାବୁ ସ୍ବପ୍ନ ଦେଖିଥିଲେ?

ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ମୁକାବିଲା କରିବାରେ ଓଡ଼ିଶା ସରକାର ଦକ୍ଷତା ଅର୍ଜନ କରିଛନ୍ତି। ୨୧ ବର୍ଷ ଭିତରେ ୭ଟି ବାତ୍ୟାକୁ ମୁକାବିଲା କରିବା ପରେ ବି ସରକାର ବାତ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଲୋକମାନଙ୍କୁ ପକ୍କାଘର ଯୋଗାଇ ପାରିଲେ ନାହିଁ। ଏ ସରକାର କେବଳ ପ୍ରଚାର, ପ୍ରତିଶୃତି ଓ ପ୍ରତାରଣା କରିବା ଛଡ଼ା ଆଉ କିଛି ଜାଣନ୍ତିନି ବୋଲି ଶ୍ରୀ କାନୁନଗୋ କଟାକ୍ଷ କରିଛନ୍ତି।