ଭୁବନେଶ୍ବର : ରାଜ୍ୟରେ ୧୦ଲକ୍ଷ କିମ୍ବା ତା’ଠାରୁ ଅଧିକ ଜନସଂଖ୍ୟା ପାଇଁ ରେଡିଓଥେରାପି ମେସିନ୍/ଲିନିଅର ଆକ୍ସିଲିରେଟରର ଆବଶ୍ୟକତା ଅଛି କି ନାହିଁ ତାହାର ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୭ଜଣିଆ କମିଟି ଗଠନ କରାଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ଯଥାଶୀଘ୍ର ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା, ବିଭାଗର ସ୍ବତନ୍ତ୍ର ସଚିବ(ପିଏଚ୍), ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦେଶକ, ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ, ବିଭାଗର ଏଏଫ୍ଏ ତଥା ଅନୁସଚିବ ସଦସ୍ୟ ରହିଛନ୍ତି। କ୍ୟାନସର କେୟାରର ନୋଡାଲ ଅଧିକାରୀ କମିଟିର ଆବାହକ ସଦସ୍ୟ ରହିଛନ୍ତି।
ରାଜ୍ୟରେ ଉନ୍ନତ ମାନର କର୍କଟ ରୋଗର ଚିକିତ୍ସା ନେଇ ରାଜ୍ୟ ସରକାର କର୍କଟ ଯତ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆସନ୍ତା ୫ବର୍ଷରେ ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ କରାଯିବ। ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ରୋଗ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେମାନେ ନିଜ ନିଜ ଅଞ୍ଚଳରେ କର୍କଟର ସ୍କ୍ରିନିଂରେ ସହାୟତା ପ୍ରଦାନ କରିବା ସହିତ ଲୋକମାନଙ୍କୁ କର୍କଟ ରୋଗ ସଂପର୍କରେ ସଚେତନ କରିବେ। ମିସନ ଶକ୍ତି ବିଭାଗ ରାଜ୍ୟ ସରକାରଙ୍କ ଅନୁମୋଦନ ହାସଲ କରିବା ପରେ ସ୍ବୟଂ ସହାୟକ ଗୋଷ୍ଠୀମାନେ ଏଥିରେ ନିୟୋଜିତ ହୋଇପାରିବେ। ଏହାସହ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏନ୍ଜିଓମାନଙ୍କୁ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।