ମାଲକାନଗିରି : ମାଓବାଦୀଙ୍କ ଟଙ୍କା ନିଜ ଆକାଉଣ୍ଟରେ ଜମା କରିବାକୁ ଯାଉଥିବା ଦୁଇଜଣ ଯୁବକଙ୍କୁ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ପୁଲିସ ଏହି ଦୁଇ ଯୁବକଙ୍କ ଠାରୁ ୬ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଓ ୧୧ଟି ପାସବୁକ୍ ଜବତ କରିଛି। ଜବତ ଟଙ୍କା ହାର୍ଡକୋର ମାଓବାଦୀ କମାଣ୍ଡର ମଲେଶଙ୍କ ବୋଲି ଗିରଫ ଦୁଇଯୁବକ ପୁଲିସକୁ ଜଣାଇଛନ୍ତି। ତେବେ, ମାଓବାଦୀଙ୍କ ପାଖରେ ଯେ କେତେ ପରିମାଣର ଦି’ହଜାର ଟଙ୍କା ଅଛି, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।
ସୂଚନା ଅନୁଯାୟୀ, ବିଜାପୁର ପୁଲିସ ଓ ଡିଆରଜି ଯବାନମାନେ ମହାଦେବ ଘାଟରେ ଯାନବାହନ ଯାଞ୍ଚ କରୁଥିଲେ। ଏହିସମୟରେ ବାଇକ୍ରେ ଆସୁଥିବା ଦୁଇ ଜଣ ଯୁବକ ପୁଲିସ ଓ ଯବାନଙ୍କୁ ଦେଖିବା ପରେ ଗାଡ଼ି ବୁଲାଇ ଖସି ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଯବାନ ଓ ପୁଲିସ ବାଇକ୍ ଜବତ କରିବା ସହିତ ଦୁଇ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ପଚରାଉଚରା କରିବାରୁ ଏହି ଦୁଇ ଯୁବକ ବାସାଗୁଡ଼ା ଥାନା ଅଞ୍ଚଳର ଗଜେନ୍ଦ୍ର ମଣ୍ଡାବି ଓ ଲକ୍ଷ୍ମଣ କୁଞ୍ଜମ ବୋଲି ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଯାଞ୍ଚ କରିବାରୁ ୬ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଓ ୧୧ଟି ପାସବୁକ୍ ପାଇଥିଲା। ଟଙ୍କା ବିଷୟରେ ପଚାରିବାରୁ ଏହା ମାଓ କମାଣ୍ଡର ମଲେଶଙ୍କ ବୋଲି କହିଥିଲେ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ମାଲେଶ ଏମାନଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ସେଥିରୁ ପ୍ରାୟ ୧ ଲକ୍ଷ ୮୬ ହଜାର ଟଙ୍କା ଦୁଇ ଅଭିଯୁକ୍ତଙ୍କ ୪ଟି ଆକାଉଣ୍ଟରେ ଜମା କରିଥିଲେ। ଆଉ କିଛିଦିନ ନରେ ଅବଶିଷ୍ଟ ଟଙ୍କା ଜମା କରିବାର ଯୋଜନା ଥିଲା ବୋଲି କହିଥିଲେ।
ଗିରଫ ଲକ୍ଷ୍ମଣ କୁଞ୍ଜାମ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଆକାଉଣ୍ଟରେ ୫୦ ହଜାର ଓ ୟୁନିୟନ ବ୍ୟାଙ୍କ ଆକାଉଣ୍ଟରେ ୪୮ ହଜାର ଟଙ୍କା ଜମା କରିଛନ୍ତି। ଏଥିସହ ଗଜେନ୍ଦ୍ର ମଣ୍ଡାବି ଏସ୍ବିଆଇରେ ୩୮ ହଜାର ଟଙ୍କା ଓ ସେଣ୍ଟ୍ରାଲ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରିଥିବା ବିଜାପୁର ଏସ୍ପି ଆଞ୍ଜନେୟ ବାର୍ଷେଣ ସୂଚନା ଦେଇଛନ୍ତି। ମାଓବାଦୀଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ପୁଲିସ ଉଭୟ ଯୁବକଙ୍କୁ ଅଧିକ ପଚରାଉଚରା ଜାରି ରଖିଛି।