କାଳିଆପାଣି : ନଗଡ଼ାରେ ଶିଶୁମଡ଼କ ଘଟଣା ଯେଉଁଦିନ ପ୍ରଥମେ ଲୋକଲୋଚନ ଆସିଥିଲା, ସେଦିନ ଥିଲା ୨୦୧୬ ମସିହା ଜୁନ୍୩୦ ତାରିଖ। ଆସନ୍ତାକାଲି ଏହି ଘଟଣାକୁ ୬ବର୍ଷ ପୂରିଯିବ। ଏହି ୬ବର୍ଷ ମଧ୍ୟରେ ‘ଅପପୁଷ୍ଟିର ଉପତ୍ୟକା’ କୁହାଯାଉଥିବା ଏହି ଅଞ୍ଚଳ କେତେ ବଦଳିଛି? ଏହିଭଳି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଗୋଟିଏପଟେ, ନଗଡ଼ାର ସାମଗ୍ରିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ ସବୁପ୍ରକାର ଉଦ୍ୟମ କରିଥିବା କୁହାଯାଉଛି। ୬ବର୍ଷ ମଧ୍ୟରେ ୭୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପାହାଡ଼ ଉପରେ ଥିବା ତିନି ନଗଡ଼ା ପର୍ଯ୍ୟନ୍ତ ରାସ୍ତା ବି ଫିଟିଛି। ଅନ୍ୟପଟେ, କୋଉଠି ନା କୋଉଠି ବିକାଶ ଅଟକି ଯାଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ନିକଟରେ ସରକାରୀ ଯୋଜନା ଠିକ୍ଭାବେ ନପହଞ୍ଚିବା ହେଉ କିମ୍ବା ନଗଡ଼ା ବାସିନ୍ଦାଙ୍କ ଜୀବନଶୈଳୀ ଅପରିବର୍ତ୍ତିତ ରହିବା ହେଉ, ସବୁ ଉଦ୍ୟମ ଯେମିତି ବିଫଳ ହୋଇଥିବା ପରିଲକ୍ଷିତ ହେଉଛି।
୬ ବର୍ଷରେ ଖର୍ଚ୍ଚହୋଇଛି ୭୦କୋଟି ଟଙ୍କା
ରାସ୍ତା ନଥିବାରୁ ୬୩ପରିବାର ସରକାରୀ ଆବାସରୁ ବଞ୍ଚିତ
‘ଓଡ଼ିଶା ଜୀବିକା ମିସନ’ ଫେଲ୍
ଏବେ ବି ବହୁ ଶିଶୁ ଅପପୁଷ୍ଟିର ଶିକାର
/sambad/media/post_attachments/wp-content/uploads/2018/11/Nagada-6-300x171.jpg)
୬ବର୍ଷ ତଳେ ନଗଡ଼ା ଚର୍ଚ୍ଚାକୁ ଆସିବା କାରଣ ହେଉଛି, ଅପପୁଷ୍ଟି ଯୋଗୁ ୩ମାସରେ ୧୯ଜଣ ଶଶୁ ପ୍ରାଣ ହରାଇଥିଲେ। ଏଥିସହିତ ବହୁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିଲେ ଏବଂ ପରେ ଆହୁରି କେତେଜଣ ବି ଆଖି ବୁଜିଥିଲେ। ଏହି ଘଟଣା ସେତେବେଳେ ରାଜ୍ୟ କାହିଁକି, ଜାତୀୟ ସ୍ତରରେ ଖୁବ୍ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିବର୍ଷ ନଭେମ୍ବର ୨୫ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ନଗଡ଼ାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ ନଗଡ଼ାର ବିକାଶ ପାଇଁ କୋଟିକୋଟି ଟଙ୍କା ବି ଖର୍ଚ୍ଚ ହୋଇଛି। ଏହାସତ୍ତ୍ବେ ବି ନଗଡ଼ାର ନିକଟବର୍ତ୍ତୀ ଆଉକିଛି ଅଞ୍ଚଳ ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଗୁହିଆଶାଳ ରାଜସ୍ବ ମୌଜା, ତୁମୁଣି ଓ ତଳଡିହ ପଡ଼ା ଗାଁ ପାଇଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ସ୍ଥାନୀୟଲୋକଙ୍କ କହିବାନୁସାରେ, ‘ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ହେଲେ ଆଜି ବି ଭାର କିମ୍ବା ଖଟିଆ ଖୋଜାପଡ଼ୁଛି।’ ତୁମୁଣିରେ ୨୪ଟି ପରିବାର ଓ ତଳଡିହ ବସ୍ତିରେ ୧୨ଟି ପରିବାର ରହୁଛନ୍ତି। ୨ ଗାଁରେ ରାସ୍ତା ନିର୍ମାଣ ଦୂରେ ଥାଉ ଏଯାବତ୍ ଏହାର ନକ୍ସା କିମ୍ବା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; ରାସ୍ତା ନଥିବାରୁ ଗୁହିଆଶାଳ, ତୁମୁଣି ଓ ତଳଡିହ ଗାଁର ସମସ୍ତ ୬୩ ଟି ଜୁଆଙ୍ଗ ଜନଜାତି ପରିବାରକୁ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ରଖାଯାଇଛି।
/sambad/media/post_attachments/wp-content/uploads/2020/06/Kaliapani-TaladihaNagada1-300x150.jpg)
ସେହିଭଳି, ଗୁହିଆଶାଳରେ ପଢ଼ୁଥିବା ୪୦ ଜଣ ପିଲାଙ୍କ ପାଇଁ ଗୋଟିଏ ମାତ୍ର ଶ୍ରେଣୀଗୃହ ରହିଛି। ତୁମୁଣିରେ ଆଦୌ ସ୍କୁଲଗୃହ ନାହିଁ। ଡଳଡିହ ଗାଁରୁ ଛାତ୍ରଛାତ୍ରୀମାନେ ୩ କିଲୋମିଟର ଦୂରରୁ ପାହାଡ଼ି ରାସ୍ତାରେ ଚାଲିଚାଲି ଗୁହିଆଶାଳ ସ୍କୁଲ ଆସୁଛନ୍ତି। ଲୋକଙ୍କୁ ଜବ୍କାର୍ଡ ପ୍ରଦାନ କରାଯାଇଥିବାବେଳେ ମନରେଗା ଯୋଜନାରେ କାମ ମିଳୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, କେହି ଜଣେ ହେଲେ ବି ବର୍ଷକରେ ୩୦ ଦିନ କାମ କରିନାହାନ୍ତି। ନଗଡ଼ା ଶିଶୁମଡ଼କ ଘଟଣାପରେ ଏଠାକାର ଲୋକମାନଙ୍କ ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଓଡ଼ିଶା ଜୀବିକା ମିସନ (ଓଏଲ୍ଏମ୍)’ କାର୍ଯ୍ୟକାରୀ କରାଯାଇଥିଲା। ନଗଡ଼ାର ପରିବାର ପିଛା ପୁଷ୍ଟି ଉଦ୍ୟାନ ଓ ମୋ’ ଉପକାରୀ ବଗିଚା ପାଇଁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କାହା ବାଡ଼ି କିମ୍ବା କିଆରିରେ ଫସଲର ଚିହ୍ନବର୍ଣ୍ଣ ନଥିବା ଦେଖିବାକୁ ମିଳିଛି। ସେହଭଳି, କୁକୁଡ଼ା ଓ ଛେଳିଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ସଠିକ୍ଭାବେ କାର୍ଯ୍ୟକାରୀ କରାଯାଇନାହିଁ।
/sambad/media/post_attachments/wp-content/uploads/2020/04/nagada-300x149.jpg)
ବହୁ ଜୁଆଙ୍ଗ ଶିଶୁ ଏବେ ବି ଭାତଲୁଣ ଖାଇ ଓ ପେଜ, ତୋରାଣି ପିଉଥିବାରୁ; ସେମାନଙ୍କ ମଧ୍ୟରୁ କେତେଜଣ ଅପପୁଷ୍ଟିର ଶିକାର ହୋଇଛନ୍ତି। ହସ୍ତଗତ ସୂଚନା ଅନୁସାରେ, ତଳ ନଗଡ଼ାର ଟୁଇ ଓ ଜାଇନ ପ୍ରଧାନଙ୍କ ପୁଅ ସୁଶାନ୍ତ(୧୨ ମାସ) ଓ ଗୁହିଆଶାଳର ମେଞ୍ଜାରି, ମାଧ ପ୍ରଧାନଙ୍କ ୩ ମାସର ପୁଅ ସମେତ ଏକାଧିକ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅନ୍ୟ ଏକ ସମସ୍ୟା ହେଉଛି, ବାଲ୍ୟବିବାହ। ଏହି ସାମାଜିକ କୁସଂସ୍କାର ବି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ବଳବତ୍ତର ରହିଛି ଏବଂ ୨ ବର୍ଷ ମଧ୍ୟରେ ନଗଡ଼ା ଅଞ୍ଚଳରେ ୨୧ଟି ବାଲ୍ୟବିବାହ କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସୁକିନ୍ଦା ବିଡିଓ ତାପସ କୁମାର ସେଠୀ କହିଛନ୍ତି, ଏଠାରେ ୭ ମାସ ହେଲା କାର୍ଯ୍ୟରେ ଯୋଗଦେଇଛି। ବହୁ ସମସ୍ୟା ପ୍ରତି ଅବଗତ ରହିଛି। ନଗଡ଼ା ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/nagada-3.jpg)