ଭୁବନେଶ୍ବର : ଆପଣଙ୍କ ଅଞ୍ଚଳରେ ଫ୍ୟୁଜ୍ କଟିବା କାରଣରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେଉଛି କି? ସହରାଞ୍ଚଳରେ ଅତି ବେଶିରେ ୬ ଘଣ୍ଟା ଓ ଗ୍ରାମାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ବଣ୍ଟନ କଂପାନି ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବାକୁ ବାଧ୍ୟ। ଅନ୍ୟଥା କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କୁ ସ୍ବତଃସ୍ଫୁର୍ତ୍ତ ଭାବେ ୧୦୦ ଟଙ୍କା କ୍ଷତିପୂରଣ ଦେବାକୁ ବାଧ୍ୟ।
ବିଦ୍ୟୁତ ଲାଇନ୍ରେ ସମସ୍ୟା ଯୋଗୁଁ ଯୋଗାଣ ବ୍ୟାହତ ହୋଇଛି କି? ସହରାଞ୍ଚଳରେ ସର୍ବାଧିକ ୧୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ବଣ୍ଟନ କଂପାନି ସରବରାହ ନିଶ୍ଚିତ କରିବେ। ନଚେତ ପ୍ରଭାବିତ ଉପଭୋକ୍ତା ୧୦୦ ଟଙ୍କା କ୍ଷତିପୂରଣ ଦାବି କରିପାରିବେ।
ଆପଣଙ୍କ ଅଞ୍ଚଳରେ ଟ୍ରାନ୍ସଫର୍ମରରେ ସମସ୍ୟା ଯୋଗୁଁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି କି? ସହରାଞ୍ଚଳରେ ସର୍ବାଧିକ ୨୪ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ବଣ୍ଟନ କଂପାନି ସରବରାହ ସ୍ବାଭାବିକ କରିବାକୁ ବାଧ୍ୟ। ନଚେତ୍ ସଂପୃକ୍ତ ଅଞ୍ଚଳର ଉପଭୋକ୍ତାଙ୍କୁ ୨୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ହେବ।
ଆୟୋଗ-ବିଦ୍ୟୁତ୍ କଂପାନିଙ୍କ ଅସାଧୁମେଣ୍ଟ
କଂପାନିଙ୍କ କାର୍ଯ୍ୟଦକ୍ଷତା ଅଡିଟ୍ ନ ହେବାର ରହସ୍ୟ କ’ଣ?
ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଦ୍ୟୁତ୍ ଆଇନର ଧାରା ୫୭, ୫୮ ଓ ୫୯ ଅନୁଯାୟୀ ରାଜ୍ୟ ବିଦ୍ୟୁତ୍ ଆବଣ୍ଟନ କଂପାନିମାନଙ୍କ ଲାଗି ଏମିତି କାର୍ଯ୍ୟଦକ୍ଷତା ମାନକ ନିର୍ଦ୍ଧାରଣ କରାଯାଇଛି। ୨୦୦୪ ମେ’ ୨୧ ତାରିଖରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଏଭଳି ଅଧିନିୟମ ଜାରି କରିଛନ୍ତି। ଏହାର ୬ବର୍ଷ ପରେ ପ୍ରଥମ ସଂଶୋଧନ ବି ଜାରି ହୋଇଛି।
ହେଲେ ଓଡ଼ିଶାର ପାଖାପାଖି କୋଟିଏ ଉପଭୋକ୍ତାଙ୍କୁ ବୋକା ବନାଇ କୌଣସି ବିଦ୍ୟୁତ୍ ବଣ୍ଟନ କଂପାନି କ୍ଷତିପୂରଣ ଦେବା ନେଇ ଚର୍ଚ୍ଚାକୁ ଆସିନାହାନ୍ତି। ତା’ ଠାରୁ ଆହୁରି ବଡ଼ କଥା ହେଲା, ଓଇଆର୍ସି ମଧ୍ୟ ନିଜର ଏଭଳି ଅଧିନିୟମ ବିଚାରକୁ ନେଇ ତଥା ରାଜ୍ୟରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳିକୁ ନିଶ୍ଚିତ କରିବା ଲାଗି କେବେ ବି ବଣ୍ଟନ କଂପାନିମାନଙ୍କ ଉଦ୍ଦେଶ୍ୟରେ ଏହି ନିୟମ ପ୍ରୟୋଗ କରିନାହାନ୍ତି ବା ଗ୍ରାହକଙ୍କୁ କ୍ଷତିପୂରଣ ଦେବାଲାଗି ନିର୍ଦ୍ଦେଶ ଦେଇନାହାନ୍ତି। ଚତୁର ଚତୁରେ କୋଳାକୋଳି ନ୍ୟାୟରେ ଆୟୋଗ ଏବଂ ବଣ୍ଟନ କଂପାନିଙ୍କ ମଧୁଚନ୍ଦ୍ରିକାରେ ଗ୍ରାହକ ବୋକା ବନିଛନ୍ତି; ଯଦିଓ ରାଜ୍ୟରେ ତୁଚ୍ଛା କାରଣରୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ୍ ହୋଇଛି। ପ୍ରଶ୍ନ ଉଠୁଛି, ଅଘୋଷିତ ବିଦ୍ୟୁତ୍ କାଟ୍, ଲୋ ଭୋଲ୍ଟେଜ୍ ଯୋଗୁଁ ଛୋଟ ଛୋଟ ସହରାଞ୍ଚଳ ସମେତ ପ୍ରାୟତଃ ସବୁ ଗ୍ରାମାଞ୍ଚଳର ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲା ବେଳେ ଓଇଆର୍ସିଙ୍କ ନିୟାମକ ବ୍ୟବସ୍ଥା କାହା ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ?
ଏଠାରେ ଉଲ୍ଲେଖଥାଉକି, ଗୁଣାତ୍ମକ ଓ ସୁଲଭ ଦରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍ କ୍ଷେତ୍ରର ଘରୋଇ କରଣ କରିଥିଲା। ପାଖାପାଖି ୨୫ ବର୍ଷ ପରେ ବି ରାଜ୍ୟର ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ଏହି ତିନିଟି ମୁଖ୍ୟ ଲକ୍ଷ୍ୟ ପରାହତ ନ ହେଉଛି।
୨୦୦୩ ମସିହାରେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ କାର୍ଯ୍ୟକାରୀ ହେବା ପରେ ବଣ୍ଟନ କଂପାନିଙ୍କୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଉପରୋକ୍ତ ଅଧିନିୟମ ଜାରି କରାଯାଇଥିଲା। ଏଥିରେ ଆହୁରି ବି କୁହାଯାଇଥିଲା ଯେ ଭୋଲ୍ଟେଜ୍ ସମସ୍ୟା ଅର୍ଥାତ୍ ଲୋ-ଭୋଲ୍ଟେଜ୍ ଭଳି ସ୍ଥିତି ଉପୁଜିଲେ ଆବଣ୍ଟନ କମ୍ପାନି ସର୍ବାଧିକ ୧୫ ଦିନ ମଧ୍ୟରେ ତାହାର ସମାଧାନ କରିବେ। ଯଦି ୧୧ କେଭି ଓ ୩୩ କେଭି ଲାଇନ୍ ପାଇଁ ଭୋଲ୍ଟେଜ୍ ସମସ୍ୟା ହୁଏ, ତେବେ ଯଥାକ୍ରମେ ସର୍ବାଧିକ ୧୨୦ ଦିନ ଓ ୧୮୦ ଦିନ ମଧ୍ୟରେ ତାହାର ସମାଧାନ ନିଶ୍ଚିତ କରିବାକୁ ବିଦ୍ୟୁତ କମ୍ପାନି ବାଧ୍ୟ। ଯଦି ଏହି ସମସ୍ୟା ସମାଧାନ ସମ୍ପୃକ୍ତ କମ୍ପାନି କ୍ଷମତା ବହିର୍ଭୁତ, ତେବେ ଅଭିଯୋଗ ପ୍ରାପ୍ତର ୭ ଦିନ ମଧ୍ୟରେ ଉପଭୋକ୍ତାଙ୍କୁ ଅବଗତ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ କମ୍ପାନି ସ୍ବତଃସ୍ଫୁର୍ତ୍ତ ଭାବେ ଉପଭୋକ୍ତାଙ୍କୁ ୨୦୦ ଟଙ୍କା କ୍ଷତିପୂରଣ ଦେବେ। ଏବେ ବି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଭୋଲ୍ଟେଜ୍ ସମସ୍ୟା ଜଳ ଜଳ। ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଥିବା ଆୟୋଗ ଏହି ଅଧିନିୟମ ଆଧାରରେ ସଂପୃକ୍ତ ଅଞ୍ଚଳର କେତେ ଲୋକଙ୍କୁ କ୍ଷତିପୂରଣ ଦେଇଛନ୍ତି, ତାହା ସମୀକ୍ଷାର ବିଷୟ।
ଏଠାରେ ସ୍ମରଣଥାଉକି, ଏହି ଅଧିନିୟମର ସଠିକ କାର୍ଯ୍ୟକାରିତା ଲାଗି ତଥା ଆବଣ୍ଟନ କମ୍ପାନିଗୁଡ଼ିକ ବିଦ୍ୟୁତ ସେବାର ମାନକ ଓ ନିଜ ନିଜ କାର୍ଯ୍ୟଦକ୍ଷତାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ବାଧ୍ୟ। ସେଥିଲାଗି ଓଇଆର୍ସିଙ୍କୁ ସେମାନେ ପ୍ରତି ଆର୍ଥିକ ବର୍ଷରେ ମାସିକ ଓ ବାର୍ଷିକ ରିପୋର୍ଟ ପ୍ରଦାନ କରିବେ ବୋଲି ଧାରା ୬ରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ପୁନଶ୍ଚ ୨୦୧୦ରେ ବିଜ୍ଞପିତ ସଂଶୋଧିତ ଅଧିନିୟମର ଧାରା ୮ରେ କମ୍ପାନିମାନେ ପୈଠ କରୁଥିବା ମାସିକ ଓ ବାର୍ଷିକ ରିପୋର୍ଟକୁ ତୃତୀୟ ପକ୍ଷ ଦ୍ବାରା ଅଡ଼ିଟ୍ କରାଯିବାର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି।
ମାତ୍ର ପରିତାପର ବିଷୟ ହେଲା ସଂଶୋଧିତ ଅଧିନିୟମ ଅନୁଯାୟୀ କମ୍ପାନିମାନେ ମାସ ପୂରିବାର ୧୫ ଦିନ ମଧ୍ୟରେ ଓ ବର୍ଷ ପୂରିବାର ଏକ ମାସ ମଧ୍ୟରେ ସବିଶେଷ ରିପୋର୍ଟ ପୈଠ କରୁଥିଲେ ମଧ୍ୟ ଆୟୋଗ ଅଦ୍ୟାବଧି ସେଗୁଡ଼ିକର ତୃତୀୟ ପକ୍ଷ ଅଡ଼ିଟ୍ କରିନାହାନ୍ତି। କାହା ସ୍ବାର୍ଥରେ ଓଇଆର୍ସି ଏ ପ୍ରସଙ୍ଗରେ ନିରବ ଅଛନ୍ତି, ତାହା ବୁଝାପଡୁନାହିଁ।
ଏହାର ପରିଣାମସ୍ବରୂପ ବିଦ୍ୟୁତ ସେବା କ୍ଷେତ୍ରରେ ଉପଭୋକ୍ତାମାନେ ସମ୍ମୁଖୀନ ହେଉଥିବା ଯାବତୀୟ ସମସ୍ୟାର ସମୟଭିତ୍ତିକ ସମାଧାନ ହେଉ ନାହିଁ କି ବ୍ୟାପକ ଖିଲାପକାରୀ କମ୍ପାନିମାନେ ଆଇନଗତ କ୍ଷତିପୂରଣ ପୈଠ କରିବାକୁ ବାଧ୍ୟ ହେଉନାହାନ୍ତି।
ଆହୁରି ସାଂଘାତିକ କଥା ହେଲା, ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବିଦ୍ୟୁତ୍ ସମସ୍ୟାଗୁଡ଼ିକର ଆଶୁ ସମାଧାନ ନିମନ୍ତେ ଉପରୋକ୍ତ ଅଧିନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି। ବିଶେଷକରି କମ୍ପାନିମାନେ ଅଭିଯୋଗର ସମାଧାନ ପାଇଁ ସହରାଞ୍ଚଳରେ ୨୦୧୧ ଡିସେମ୍ବର ସୁଦ୍ଧା ଓ ଗ୍ରାମାଞ୍ଚଳରେ ୨୦୧୨ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ କଲ୍ ସେଣ୍ଟର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଥିଲା। ରାଜ୍ୟର କିଛି ବଡ଼ ସହରକୁ ବାଦ୍ ଦେଲେ ଅନ୍ୟ କୌଣସି ଅଞ୍ଚଳରେ କଲ୍ ସେଣ୍ଟର ବ୍ୟବସ୍ଥାଟି କାର୍ଯ୍ୟକାରୀ ହୋଇନାହିଁ। ଫଳରେ ପ୍ରଭାବିତ ଉପଭୋକ୍ତାମାନେ ଅଭିଯୋଗ ଆଗତ କରିବେ କେଉଁଠି? ଏ ପ୍ରସଙ୍ଗରେ ବି ଓଇଆର୍ସି ଆବଣ୍ଟନ କଂପାନିମାନଙ୍କୁ ଥରୁଟିଏ ପଚାରିବେନି? ତାଗିଦ୍ କରିବେ ନାହିଁ?
ଅନ୍ୟପକ୍ଷରେ ଶକ୍ତି ସମୀକ୍ଷକମାନେ ଏହି ପ୍ରସଙ୍ଗକୁ ଆଗକୁ ନେଇ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖୁଛନ୍ତି। ସେମାନଙ୍କ ଯୁକ୍ତି ହେଲା- ଇତିମଧ୍ୟରେ ଭିତ୍ତିଭୂମି ବିକାଶ ଓ ପ୍ରଯୁକ୍ତି କୌଶଳ ବାବଦରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ ବିପୁଳ ଅର୍ଥ ବ୍ୟୟ ହୋଇଛି। ଏହା ସତ୍ତ୍ବେ ଗତ ୧୩ ବର୍ଷ ପରେ ମଧ୍ୟ ଆୟୋଗ ଏହି ଅଧିନିୟମରେ ଅଦ୍ୟାବଧି ଅନ୍ୟ କୌଣସି ସଂଶୋଧନ ଆଣି ନାହାନ୍ତି କାହିଁକି? ରାଜ୍ୟ ସରକାର ଯେବେ ଗୁଣାତ୍ମକ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ଲାଗି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି, ସେବେ ଗ୍ରାହକ ଯଦି ଏହାର ଲାଭ ନ ପାଇଲେ, ତେବେ କାହା ସ୍ବାର୍ଥରେ ସାଧାରଣ ଲୋକଙ୍କ ଟିକସ ଅର୍ଥ ଖର୍ଚ୍ଚ ହେଉଛି?
ଶକ୍ତି ମନ୍ତ୍ରୀ ହେଜିଲେଣି ନା ନାହିଁ?