ନୀଳଗିରିରୁ ନୂଆଦିଲ୍ଲୀ, କେମିତି ପ୍ରତାପ ନନା ହେଲେ ମନ୍ତ୍ରୀ ?

ନୂଆଦିଲ୍ଲୀ: ନୀଳଗିରିର ବିଧାୟକ, ପରେ ବାଲେଶ୍ୱର ସାଂସଦ | ନିଜର ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ ଏବେ କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି ପ୍ରତାପ ଷଡ଼ଙ୍ଗୀ | କେମିତି ମିଳିଲା ମନ୍ତ୍ରୀପଦ ? ଚର୍ଚ୍ଚା ହେଉଛି ୨ ଦିନ ମଧ୍ୟରେ ପ୍ରତାପଙ୍କୁ ମନ୍ତ୍ରୀ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା |

ସୂତ୍ରରୁ ମିଳିଥିବା ଖବର ମୁତାବକ ପ୍ରତାପ ଷଡ଼ଙ୍ଗୀ ସାଂସଦ ହେବା ପରେ ସୋସିଆଲ ମିଡ଼ିଆ ଫେସବୁକ ଓ ଟ୍ୱିଟରରେ ପ୍ରତାପଙ୍କୁ ନେଇ ଆରମ୍ଭ ହୋଇଥିଲା ପୋଷ୍ଟ | ବିଭିନ୍ନ ବର୍ଗର ଲୋକ ତାଙ୍କର ଜୀବନଶୈଳୀକୁ ପୋଷ୍ଟ କରିଥିଲେ | ଦେଖୁଦେଖୁ ଏହି ସବୁ ପୋଷ୍ଟ ଲୋକପ୍ରିୟ ହୋଇଯାଇଥିଲା | ଏହାପରେ ଜାତୀୟ ଗଣମାଧ୍ୟମ ଏହାକୁ ନେଇ ଖବର ପ୍ରକାଶ କରିବାକୁ ଲାଗିଥିଲେ | ୪ରୁ ୫ଟି ଫଟୋ ଓ ପ୍ରତାପଙ୍କର ସାକ୍ଷାତକାର ନେଇ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କଲେ |

ପ୍ରତାପଙ୍କୁ ମିଳିଲା ଓଡିଶା ମୋଦୀର ପରିଚୟ | କୁହାଯାଉଛି ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା ଓ ମୋଦୀ କୁଆଡେ ଏସବୁକୁ ଦେଖିଥିଲେ | ଓଡିଶା ଗସ୍ତରେ ମୋଦୀ ଆସିଥିବାବେଳେ ଦୁଇ ଦୁଇ ଥର ପ୍ରତାପଙ୍କୁ ସୁଦୃଢ ଓ ପୁରୁଣା ସୈନିକ ମଧ୍ୟ କହିଥିଲେ | ଯେତେବେଳେ ତାଙ୍କର ଏଭଳି ପ୍ରତିଛବି ମୋଦୀ-ଶାହା ଟିମ ଦେଖିଥିଲେ, ଚିନ୍ତା କରିଥିଲେ କିଭଳି ଏହି ସୈନିକଙ୍କୁ ସାମିଲ ନ କରିବେ | ସେଥିପାଇଁ ମନ୍ତ୍ରୀ ତାଲିକା ପ୍ରକାଶ ପାଇବା ପୂର୍ବରୁ ଶାହା ଓ ମୋଦୀଙ୍କ ମଧ୍ୟରେ ବହୁବାର ବୈଠକ ମଧ୍ୟ ହୋଇଥିଲା | ଶେଷରେ ମନ୍ତ୍ରୀମଣ୍ଡଳୀରେ ସାମିଲ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ |
ଏଠାରେ କହିରଖୁଛୁ ଏହାକୁ ନେଇ ୪ ଦିନ ତଳେ ପ୍ରତାପଙ୍କୁ ମୋଦୀ ସାମିଲ କରିବାର ସମ୍ଭାବନା ଥିବାର ଆମେ ପ୍ରକାଶ କରିଥିଲୁ | ସେହି ସମ୍ଭାବନା ଗୁରୁବାର ସତ ସାବ୍ୟସ୍ତ ହୋଇଛି |

ସମ୍ବନ୍ଧିତ ଖବର