ଭୁବନେଶ୍ବର(କ୍ଷିତୀଶ ରାୟ): ସ୍ବଦେଶୀ ଟିକା ‘କୋଭାକ୍ସିନ୍’ର ମାନବ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ସେଚ୍ଛାସେବୀମାନଙ୍କ କରୋନା ସଂକ୍ରମଣରୁ ସୁରକ୍ଷାକୁ ନେଇ ଏବେ ଅନିଶ୍ଚିତତା ଦେଖା ଦେଇଛି। ପରୀକ୍ଷଣରେ ଅଂଶଗ୍ରହଣ କରିବାର ୧ ବର୍ଷ ବିତିବାକୁ ଅଳ୍ପଦିନ ଥିବାବେଳେ ପରୀକ୍ଷଣ ସମୟରେ ଦିଆଯାଇଥିବା ଟିକାରେ ସେମାନେ ଏବେ ସୁରକ୍ଷିତ କି? ସେମାନଙ୍କୁ ବୁଷ୍ଟର ଡୋଜ୍ର ଆବଶ୍ୟକତା ରହିଛି କି? ଏ ନେଇ ଟିକା ପରୀକ୍ଷଣ କରିଥିବା ଭାରତ ବାଇଓଟେକ୍ କିମ୍ବା ଆଇସିଏମ୍ଆର୍ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ। ଫଳରେ ପରୀକ୍ଷଣରେ ଭାଗ ନେଇଥିବା ରାଜ୍ୟର ୨୫ ସ୍ବେଚ୍ଛାସେବୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
କରୋନାକୁ ରୋକିବା ଲାଗି ବିଶ୍ବସ୍ତରରେ ଟିକା ପ୍ରସ୍ତୁତ ଉଦ୍ୟମ ହୋଇଥିବା ବେଳେ ଭାରତରେ ଆଇସିଏମ୍ଆର-ଭାରତ ବାଇଓଟେକ୍ ମିଳିତ ଭାବେ କୋଭାକ୍ସିନ୍ ଟିକା ପ୍ରସ୍ତୁତ କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଓଡ଼ିଶାର ଏକମାତ୍ର ହସ୍ପିଟାଲ ଭାବେ ସମ୍ ହସ୍ପିଟାଲ ଅଂଶଗ୍ରହଣ କରିଥିଲା। ରାଜ୍ୟର ୨୫ଜଣଙ୍କୁ ମିଶାଇ ଦେଶବ୍ୟାପୀ ୩୭୫ ସ୍ବେଚ୍ଛାସେବୀ ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ। ଗତବର୍ଷ ଜୁଲାଇ ୨୭ରୁ ଅଗଷ୍ଟ ୧୫ ଭିତରେ ଏହି ପରୀକ୍ଷଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସମୟରେ ୧୪ଦିନ ଭିତରେ ସେମାନଙ୍କୁ କୋଭାକ୍ସିନର ୨ଟି ଡୋଜ୍ ଦିଆଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଗୋଟିଏ ମାସ ବ୍ୟବଧାନ ଓ ତୃତୀୟ ପର୍ଯ୍ୟାୟ ଓ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇ ଡୋଜ୍ ଭିତରେ ୨୮ଦିନର ବ୍ୟବଧାନ ରହିଥିଲା। ଏବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣକୁ ବର୍ଷେ ପୂରିବାକୁ ଯାଉଛି। ନିକଟରେ ଆମେରିକାର ଫାଇଜର କମ୍ପାନି ଟିକା ନେବାର ୧୨ମାସ ପରେ ବୁଷ୍ଟର ଡୋଜ୍ର ଆବଶ୍ୟକତା ରହିଥିବା ପ୍ରକାଶ କରିଛି। ଏ ଦୃଷ୍ଟିରୁ କୋଭାକ୍ସିନ୍ ପରୀକ୍ଷରେ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀମାନଙ୍କ ପାଇଁ ବୁଷ୍ଟର ଡୋଜ୍ର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠିଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଂଶଗ୍ରହଣ କରିଥବା ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ଦ୍ବିତୀୟ ଡୋଜ୍ ନେବାର ୫ମାସ ପରେ ବୁଷ୍ଟର ଡୋଜ୍ ଦିଆଯାଇଥିଲା। ହେଲେ ଟିକା ନେବାର ୧ବର୍ଷ ପରେ ଏହା ଜରୁରୀ କି ନୁହେଁ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ।
ବିଶେଷଜ୍ଞଙ୍କ ମତରେ ପୂର୍ବରୁ ଯେଉଁ ଔଷଧ ବା ଟିକା ଲୋକଙ୍କ ବ୍ୟବହାର ପାଇଁ ଆସିଛି ତାହାର ଅବଧି ୫-୧୦ବର୍ଷ ପର୍ଯ୍ୟନ୍ତ ରହିଥାଏ। ବିଭିନ୍ନ ଗବେଷଣା ଓ ପରୀକ୍ଷଣରୁ ଏହା ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଉଥିବା ମଧ୍ୟ ନଜରକୁ ଆସିଛି। ତେବେ କରୋନା ଟିକା କ୍ଷେତ୍ରରେ ଏହାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଭୂତାଣୁର ସ୍ପାଇକ୍ ପ୍ରୋଟିନ ବିରୋଧୀ ଆଣ୍ଟିବଡି ଓ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ଉପରେ ୬ମାସ କିମ୍ବା ୧ବର୍ଷ ବ୍ୟବଧାନରେ ଗବେଷଣାର ଆବଶ୍ୟକତା ରହିଛି। ଏ ଦୃଷ୍ଟିରୁ କମ୍ପାନି କର୍ତୃପକ୍ଷ ଟିକା ବ୍ୟବହାରୀଙ୍କ ପାଇ ବୁଷ୍ଟର ଡୋଜ୍ର ଆବଶ୍ୟକତା ରହିଛି କି ନାହିଁ ସେ ସଂପର୍କରେ ସ୍ପଷ୍ଟ ସୂଚନା ଦେବାର ଆବଶ୍ୟକତା ରହିଛି।
କୋଭାକ୍ସିନ୍ର ମାନବ ପରୀକ୍ଷଣ ପାଇଁ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ଡା. ଇ.ଭେଙ୍କଟ ରାଓ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣେ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀଙ୍କୁ ୧୮୪ ଦିନ ପର୍ଯ୍ୟନ୍ତ ନିରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ବେଶ୍ ଫଳପ୍ରଦ ହୋଇଥିଲା। ମାତ୍ର ସେମାନଙ୍କୁ ବୁଷ୍ଟର ଡୋଜ୍ର ଆବଶ୍ୟକତା ରହିଛି କି ନାହିଁ ଏ ସଂପର୍କରେ କମ୍ପାନି କର୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲିଛି। ମାତ୍ର କୌଣସି ସ୍ପଷ୍ଟ ସୂଚନା ଆସି ନ ଥିବା ଡା. ରାଓ କହିଛନ୍ତି।
ସମ୍ରେ ଆଉ ଏକ ଟିକାର ମାନବ ପରୀକ୍ଷଣ !
ସମ୍ ହସ୍ପିଟାଲରେ ଆଉ ଏକ କରୋନା ଟିକାର ମାନବ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ଦେଶର ଆଉ ଏକ କମ୍ପାନି ଏହି ଟିକା ପ୍ରସ୍ତୁତ କରୁଛି। ତେବେ ଏହି ଟିକା ଅନ୍ୟ ଟିକଠାରୁ ଭିନ୍ନ। ଏହା ରିସେପ୍ଟର ବାଇଣ୍ଡିଂ-ଡୋମେନ୍ ବା ଆର୍ବିଡି ଉପରେ ପର୍ଯ୍ୟବସିତ ବୋଲି କୁହାଯାଉଛି। ଏ ନେଇ କମ୍ପାନି କର୍ତୃପକ୍ଷଙ୍କ ସହିତ ହସ୍ପିଟାଲର ଆଲୋଚନା ଶେଷ ହୋଇଛି। ଆସନ୍ତା ୨/୩ଦିନ ଭିତରେ ଏ ନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ସମ୍ ହସ୍ପିଟାଲରେ କୋଭାକ୍ସିନ୍ର ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine-aaa.jpg)