କଟକ: ଓଡ଼ିଶାର ସାମୁଦ୍ରିକ ଥାନା ପୁଲିସକୁ ଦିଆଯାଇଛି ୧୮ଟି ଚାରି ଚକିଆ ଗାଡ଼ି। କିନ୍ତୁ ସେଗୁଡିକୁ ଚଳାଇବା ପାଇଁ ଅଛନ୍ତି ମାତ୍ର ୬ ଜଣ ଡ୍ରାଇଭର। ଏଭଳି ସ୍ଥିତିରେ ଉପକୂଳରେ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ପାଟ୍ରୋଲିଂ ଓ ଗୁଇନ୍ଦା ତଥ୍ୟ ସଂଗ୍ରହ କିଭଳି ହେଉଛି, ତାହା ସନ୍ଦେହଜନକ। ଅନ୍ୟପଟେ ୧୮ଟି ସାମୁଦ୍ରିକ ଥାନା ପାଇଁ ମୋଟ ୧୨୮୮ସ୍ବୀକୃତିପ୍ରାପ୍ତ ପଦବି ଥିବା ବେଳେ ଅଛନ୍ତି ମାତ୍ର ୩୬୮ ଅଛନ୍ତି।

Advertisment

ଓଡ଼ିଶା ପୁଲିସ ମୁଖ୍ୟାଳୟର ତଥ୍ୟ ଅନୁଯାୟୀ, ଉପକୂଳ ସୁରକ୍ଷା ବିଭାଗରେ ୧୮ଟି ସାମୁଦ୍ରିକ ଥାନା ପାଇଁ ଇନସ୍ପେକ୍ଟର ପାହ୍ୟାର ୧୮ଟି ପଦବିରୁ ଗୋଟିଏ ଖାଲି ଥିବା ବେଳେ ଏସ୍‌ଆଇ ୫୪ରୁ ୫୦ଟି ଖାଲି, ଏଏସ୍‌ଆଇ ୫୪ରୁ ୨୭ଟି ଖାଲି, ହାବିଲଦାର୍ ୧୪୪ରୁ ୧୨୯ ଖାଲି, କନଷ୍ଟେବଳ ୪୩୨ରୁ ୩୩୮ ଖାଲି, ଚାରି ଚକିଆ ଗାଡ଼ି ଡ୍ରାଇଭର୍ ୫୬ରୁ ୫୦ଟି ଖାଲି, ହୋମଗାର୍ଡ ୨୭୦ରୁ ୧୩୯ ଖାଲି ପଡ଼ିଛି। ସେହିଭଳି ବୋଟ୍ ଚଲାଇବା ପାଇଁ ଠିକାରେ ନୌସେନାରୁ ଅବସର ନେଇଥିବା କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ତେବେ ବୋଟର ଇଞ୍ଜିନ ଡ୍ରାଇଭର, ସେରାଙ୍ଗ, ମାଷ୍ଟର, ମେକାନିକ ଇତ୍ୟାଦିଙ୍କୁ ମିଶାଇ ମୋଟ ମଞ୍ଜୁରୀପ୍ରାପ୍ତ ପଦବି ୨୮୦ ଥିବା ବେଳେ ୧୮୬ ଖାଲି ପଡ଼ିଛି। କିନ୍ତୁ ଏମାନଙ୍କୁ ଯେଉଁ ଦରମା ଦିଆଯାଉଛି, ତାହା ସନ୍ତୋଷଜନକ ନଥିବାରୁ ସେମାନେ ପ୍ରାୟ ଏକ ମାସରୁ ଅଧିକ ଦିନ ରହୁନାହାନ୍ତି। ବାରମ୍ବାର ପଦବି ପୂରଣ ପାଇଁ ଚିଠି ଲେଖାଯାଇଥିବା ବେଳେ ଏ ଦିଗରେ ପୂର୍ବ ସରକାର ଗୁରୁତ୍ବ ଦେଇ ନାହାନ୍ତି। ସାଧାରଣତଃ ସାମୁଦ୍ରିକ ଥାନାରେ ଦୁଇ ପ୍ରକାର ପାଟ୍ରୋଲିଂ ହୋଇଥାଏ। ସମୁଦ୍ର ଭିତରେ ବୋଟ୍ ପାଟ୍ରୋଲିଂ ଓ ସମୁଦ୍ର ଉପକୂଳ ଗାଁ ଓ ମତ୍ସ୍ୟଜୀବୀ ବସ୍ତିରେ ଗାଡ଼ିରେ ପାଟ୍ରୋଲିଂ ହୋଇଥାଏ। ବର୍ତ୍ତମାନ ବାଙ୍ଗଲାଦେଶରୁ ଅନୁପ୍ରବେଶକାରୀ ଆସିବା ଆଶଙ୍କାକୁ ନେଇ ହାଇଆଲର୍ଟ ଜାରି ହୋଇଥିବା ବେଳେ ବାସ୍ତବରେ ଉପକୂଳରେ ପାଟ୍ରୋଲିଂ କିଭଳି ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ସାମୁଦ୍ରିକ ଥାନା ଉପରେ ଉପକୂଳ ସୁରକ୍ଷା ବିଭାଗ ଏଡିଜିଙ୍କ କୌଣସି ପ୍ରଶାସନିକ ନିୟନ୍ତ୍ରଣ ନାହିଁ। ଥାନାର କର୍ମଚାରୀଙ୍କ ନିଯୁକ୍ତି, ବଦଳି କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି କ୍ଷମତା ନାହିଁ। ଏସବୁ ଉପକୂଳ ଜିଲ୍ଲା ଏସ୍‌ପିଙ୍କ ନିୟନ୍ତ୍ରଣରେ ରହୁଛି। ଜିଲ୍ଲା ଏସ୍‌ପି ଏଠାରେ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ଅନ୍ୟତ୍ର ବଦଳି କରିଥାନ୍ତି। ସାମୁଦ୍ରିକ ଥାନାଗୁଡ଼ିକୁ ଉପକୂଳ ଜିଲ୍ଲା ଏସ୍‌ପିମାନେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ସାମୁଦ୍ରିକ ଥାନା ପାଇଁ କର୍ମଚାରୀ ଥିବା ସତ୍ତ୍ବେ ସେମାନଙ୍କୁ ଆଇନଶୃଙ୍ଖଳା କିମ୍ବା ସାଧାରଣ ପୁଲିସ ଥାନା ଡ୍ୟୁଟିରେ ନିୟୋଜିତ କରାଯାଉଛି। ପୁଲିସ ନିଯୁକ୍ତି ବୋର୍ଡ ବାରମ୍ବାର ବସୁଥିବା ବେଳେ ସାମୁଦ୍ରିକ ଥାନାରେ ନୂଆ ନିଯୁକ୍ତି ପାଇଁ ଗୁରୁତ୍ବ ଦିଆଯାଉନାହିଁ। ତାମିଲନାଡ଼ୁ ଭଳି ରାଜ୍ୟରେ ଉପକୂଳ ସୁରକ୍ଷା ବିଭାଗରେ ସାମୁଦ୍ରିକ ସୁରକ୍ଷା ଏଡିଜି, ଆଇଜି, ଡିଆଇଜି, ସାମୁଦ୍ରିକ ସୁରକ୍ଷା ଏସପି ରହୁଥିବା ବେଳେ ଓଡ଼ିଶାରେ ସେ ପ୍ରକାର ବ୍ୟବସ୍ଥା ନାହିଁ। ଓଡ଼ିଶାରେ କେବଳ ଏଡିଜି ଓ ଏଆଇଜି ପାହ୍ୟାର ଦୁଇ ଅଧିକାରୀ ଅଛନ୍ତି। ଅନେକ ସମୟରେ ରାଜ୍ୟ ସରକାର ଅବସର ନେବାକୁ ଅଳ୍ପଦିନ ଥିବା ଅଧିକାରୀଙ୍କୁ ଏଆଇଜି ପାହ୍ୟାରେ ନିଯୁକ୍ତି ଦେଉଛନ୍ତି। ଯାହା ଫଳରେ ଓଡ଼ିଶା ଉପକୂଳ ସୁରକ୍ଷା ସଂପୂର୍ଣ୍ଣ ସମ୍ବେଦନଶୀଳ ସ୍ଥିତିରେ ଥିବା କୁହାଯାଉଛି।