ଭୁବନେଶ୍ବର: ଓଡ଼ିଶାରେ ୧୪ଟି ହାତୀ ଚଲାପଥ ତଥା କରିଡର ରହିଛି। ୨୦୧୦ରେ ବନ ବିଭାଗ ଏନେଇ ରିପୋର୍ଟ ପ୍ରକାଶ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାତୀ କରିଡରକୁ ସୁରକ୍ଷିତ ରଖାଯାଇପାରି ନାହିଁ। ରାଜ୍ୟର ବିକାଶ ପାଇଁ ଖଣିଜ ପଦାର୍ଥ ଉତ୍ତୋଳନ ସହିତ କଳକାରଖାନା ଯେତିକି ଆବଶ୍ୟକ, ତା’ଠାରୁ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରତିବର୍ଷ କେଉଁଠି ଖଣି ପାଇଁ ତ ଆଉ କେଉଁଠି ରାଜପଥ ନିର୍ମାଣ କରିବାକୁ ହାତୀ ଚଲାପଥ ନଷ୍ଟ କରାଯାଉଛି। ଗୋଟିଏ ପଟେ ଜଙ୍ଗଲ ପରିବେଶର ସୁରକ୍ଷା ତ ଆଉ ଗୋଟିଏ ପଟେ ବିକାଶ। ଉଭୟ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ହୋଇଥିବାରୁ ଏବେ କିଭଳି ଭାବେ ହାତୀ କରିଡରର ସୁରକ୍ଷା କରାଯିବ ତାହା ସବୁଠାରୁ ବଡ଼ ଆହ୍ବାନ ପାଲଟିଛି।

Advertisment

ବନବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ମଧ୍ୟରୁ ୪ଟି ଆନ୍ତଃରାଜ୍ୟ କରିଡର ଥିବା ବେଳେ ବାକି ସବୁ ଆନ୍ତଃଜିଲା କରିଡର। ଆନ୍ତଃରାଜ୍ୟ ମଧ୍ୟରେ ଥିବା କରିଡରଗୁଡ଼ିକ ହେଉଛି ‘ବାଦାମପାହାଡ଼(ମୟୂରଭଞ୍ଜ)-ଧୋବାଧୋବଣୀ(ଝାଡ଼ଖଣ୍ଡ)’, ‘ବାଦାମପାହାଡ଼ (ମୟୂରଭଞ୍ଜ)- କରିଡ଼ା (ଝାଡ଼ଖଣ୍ଡ)’, ‘ପଶ୍ଚିମବଙ୍ଗ-ଦେଉଳୀ- ଶୂଳିଆପଦା’ ଏବଂ ‘କାରୋ(କେନ୍ଦୁଝର)-କରମପଡ଼ା(ଝାଡ଼ଖଣ୍ଡ)’। ୩ଟି କରିଡର ଓଡ଼ିଶା ସହ ଛତିଶଗଡ଼ ରହିଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗ ସହ ଯୋଡ଼ି ହୋଇ ରହିଛି। ଆନ୍ତଃଜିଲା କରିଡରଗୁଡ଼ିକ ମଧ୍ୟରେ ‘ଶିମିଳିପାଳ-ହଦଗଡ଼-କୁଲଡିହା’, ‘ତେଲକୋଇ-ପାଲଲହଡ଼ା’, ‘ମୟୂରଭଞ୍ଜ ଜିରିଡାମାଲି-ଅନନ୍ତପୁର’, ‘କହ୍ନେଇଜେନା- ଅନନ୍ତପୁର’, ‘ବୁଗୁଡ଼ା-ସେଣ୍ଟ୍ରାଲ ଆର୍‌ଏଫ୍‌(ନୟାଗଡ଼ ଡିଭିଜନ), ‘ନୂଆଗାଁ-ବାରୁଣୀ’, ‘ତାଳ-ଖୋଲଗଡ଼’, ‘ବାରପାହାଡ଼-ତରଭା-କଣ୍ଟାମାଳ’, ‘କୋଟଗଡ଼-ଚନ୍ଦ୍ରପୁର’ ଓ ‘କର୍ଲାପାଟ-ଉର୍ଲଡନି’ ରହିଛି। ଏ ସମସ୍ତ କରିଡର ୮୭୦.୬୧ବର୍ଗକିମି ହୋଇଥିବା ବେଳେ ଦୈର୍ଘ୍ୟ ୪୨୦.୮କିମି ବୋଲି ୨୦୧୦ରେ ହୋଇଥିବା ସର୍ଭେରୁ ଜଣାପଡ଼ିଥିଲା। ଗତ ୧୪ ବର୍ଷ ମଧ୍ୟରେ ହାତୀ କରିଡର ବହୁ ପରିମାଣରେ ପ୍ରଭାବିତ ହୋଇଛି।

ସମ୍ବଲପୁର ଜିଲ୍ଲାର ‘ତାଳ-ଖୋଲଗଡ଼’ ହାତୀ କରିଡରକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ଯେଉଁ ରାସ୍ତା ଦେଇ ହାତୀ ଚଳାଚଳ କରୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ହାତୀ ଚଲାପଥରେ କୋଠା ନିର୍ମାଣ ହେବାରୁ ସେମାନଙ୍କ ଗତିପଥ ବଦଳି ଯାଇଛି। ଆଉ ଗୋଟିଏ ରାସ୍ତା ଦେଇ ଚଳପ୍ରଚଳ କରୁଥିବା ଏଭରଗ୍ରିନ୍‌ ଫୋରମ୍‌ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଏଭରଗ୍ରିନ୍‌ ଫୋରମ୍‌ ପକ୍ଷରୁ ରାଜ୍ୟ ବନ ବିଭାଗ ସହଯୋଗରେ ଏବେ ସୁଦ୍ଧା ରାଜ୍ୟର ୬ଟି କରିଡରରେ ସର୍ଭେ ଶେଷ ହୋଇଛି। କେଉଁ ଅଞ୍ଚଳରେ ହାତୀ କରିଡର କେତେ ମାତ୍ରାରେ ପ୍ରଭାବିତ ହୋଇଛି ସେନେଇ ଅନୁସନ୍ଧାନ ଚାଲିଛି। ଏବେ ଏଭରଗ୍ରିନ୍‌ ଫୋରମ୍‌, ଓଡ଼ିଶା ବନ ବିଭାଗ ଓ ଝାଡ଼ଖଣ୍ଡ ବନ ବିଭାଗ ମିଳିତ ଭାବେ ‘କାରୋ (କେନ୍ଦୁଝର)-କରମପଡ଼ା (ଝାଡ଼ଖଣ୍ଡ)’ କରିଡରରେ ସର୍ଭେ କରି ଫେରିଛନ୍ତି। ସର୍ଭେ ସମୟରେ ଅନ୍ତଃରାଜ୍ୟ ହାତୀ ସମନ୍ବୟ ବୈଠକ ହୋଇଥିଲା। ଯେଉଁଥିରେ ଉଭୟ ରାଜ୍ୟର ବନ ଅଧିକାରୀ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଛନ୍ତି।

ଏଭରଗ୍ରିନ୍‌ ଫୋରମ୍‌ ସଭାପତି ପ୍ରକାଶ ଜେନାଙ୍କ କହିବାନୁଯାୟୀ ବ୍ୟାପକ ଖଣିଖନନ, ଜଙ୍ଗଲ ମଧ୍ୟରେ ରେଳ ଲାଇନ୍‌, ଜାତୀୟ ରାଜପଥ ନିର୍ମାଣ ଦ୍ବାରା ହାତୀ କରିଡ଼ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ହାତୀ କରିଡ଼ରରେ ଘରୋଇ ଜମି ରହିଥିବାରୁ ବିକାଶମୂଳକ କାମ ହେଉଥିବାରୁ ହାତୀଙ୍କ ବାସସ୍ଥାନ ନଷ୍ଟ ହେବାର ଅନ୍ୟ ଏକ କାରଣ। ‘କାରୋ(କେନ୍ଦୁଝର)-କରମପଡ଼ା(ଝାଡ଼ଖଣ୍ଡ)’ କରିଡରରେ ହାତୀଙ୍କ ସୁରକ୍ଷା ପାଇଁ ଓଡ଼ିଶାର କେନ୍ଦୁଝର ଓ ବଣାଇ ଏବଂ ଝାଡ଼ଖଣ୍ଡର ସରଣ୍ଡା ବନଖଣ୍ଡର ଅଧିକାରୀମାନଙ୍କୁ ନେଇ ଏକ ହ୍ବାଟସପ୍‌ ଗ୍ରୁପ୍‌ ଗଠନ କରାଯାଇଛି। ଏଥିରେ ଉଭୟ ରାଜ୍ୟର ଅଧିକାରୀମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ସହ ଦୁଇ ରାଜ୍ୟ ପାର୍ଶ୍ବରେ ହାତୀ ଚଳାଚଳ ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌କୁ ଜଣାଇବେ। ଫଳରେ ଯେଉଁ କ୍ଷୟକ୍ଷତି ହେଉଛି ତାହାକୁ ରୋକାଯାଇପାରିବ। ଯେଉଁ ଖଣି ଅଞ୍ଚଳରେ ବ୍ଲକ ହୋଇଛି ତାହାକୁ ହଟାଇବାକୁ ବୈଠକରେ ସହମତି ପ୍ରକାଶ ପାଇଛି।