ଭୁବନେଶ୍ବର : ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ଝୋଟ ବସ୍ତାରେ କରାଯିବା। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟର ୫୨୯୫ ହେକ୍ଟର ଜମିରେ ଚାଷ କରୁଥିବା ଝୋଟ ଚାଷୀ ଉପକୃତ ହେବେ। କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ, କେବଳ ଚଳିତ ବର୍ଷ ନୁହେଁ ବିଭିନ୍ନ ସମୟରେ ଝୋଟ ପ୍ୟାକେଜିଂକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦିଅନ୍ତି। ଶେଷ ମୁହୂର୍ତ୍ତରେ ପୂର୍ବ ଭଳି ପଲିଥିନ ଏବଂ ପଲିମରରେ ହିଁ ପ୍ୟାକେଜିଂ ହୁଏ। ଏଥିପୂର୍ବରୁ ଶେଷ ଥର ୨୦୨୧ ମସିହାରେ ମଧ୍ୟ ଝୋଟ ଅଖାରେ ପ୍ୟାକେଜିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଚଳିତ ବର୍ଷର ଏହି ନିର୍ଦ୍ଦେଶକୁ ପ୍ରକୃତରେ କେତେ କଡ଼ାକଡ଼ି ପାଳନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟଦିଗରେ ଝୋଟ ଏକ ପ୍ରାକୃତିକ, ଜୈବ କ୍ଷୟଯୋଗ୍ୟ, ନବୀକରଣ ଏବଂ ପୁନଃ ବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ପ୍ଲାଷ୍ଟିକ ତୁଳନାରେ ଏଥିରେ ପ୍ୟାକେଜିଂ ପରିବେଶ ଅନୁକୂଳ ହୋଇଥାଏ। ଏହା ନଷ୍ଟ ହୋଇ ପାରୁଥିବାରୁ ପଲିମର ବା ପ୍ଲାଷ୍ଟିକ ଭଳି ପରିବେଶ ପାଇଁ ବିପଦ ସୃଷ୍ଟି କରେ ନାହିଁ। ତେଣୁ କେବଳ ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ ନୁହେଁ ବରଂ ପରିବେଶ ଦୃଷ୍ଟିରୁ ଝୋଟ ଅଖା ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ଉଚିତ।
ଦେଶରେ ପଶ୍ଚିମବଙ୍ଗରେ ସର୍ବାଧିକ ଝୋଟ ଚାଷ ହୁଏ। ଅବିଭକ୍ତ ଭାରତରେ କୋଲକାତାରେ ଝୋଟ ଶିଳ୍ପ ଏବଂ ବାଙ୍ଗଲାଦେଶରେ ଝୋଟ ଚାଷ ହେଉଥିଲା। ଦେଶ ବିଭାଜନ ପରେ ଝୋଟ ଶିଳ୍ପକୁ ଧକ୍କା ଲାଗିଥିଲା। ଏହା ସତ୍ତ୍ବେ ନିଜ ଅଞ୍ଚଳ ସହିତ ଓଡ଼ିଶା, ଆସାମ, ତ୍ରିପୁରାରୁ ଝୋଟ ଆମଦାନି କରି ପଶ୍ଚିମବଙ୍ଗର କାରଖାନାଗୁଡ଼ିକ ଲାଭାନ୍ବିତ ହେଉଥିଲେ। ଝୋଟ ଏକ ପ୍ରକୃତି ଅନୁକୂଳ ଫସଲ ହେବା ସହିତ ଏଥିରେ ତିଆରି ବ୍ୟାଗର ବିଶେଷ ଚାହିଦା ଥିଲା। ପ୍ୟାକେଜିଂ ପାଇଁ ପଲିଥିନ ଏବଂ ପଲିମରର ବ୍ୟବହାର ପରେ ଝୋଟର ଚାହିଦା କମିବାରେ ଲାଗିଛି। କଷ୍ଟକର ଏବଂ ଖର୍ଚ୍ଚ ବହୁଳ ଚାଷ ପଦ୍ଧତି ସହିତ ସେହି ଅନୁଯାୟୀ ଏମ୍ଏସ୍ପି ଅଧିକ ନଥିବା ଯୋଗୁଁ ଝୋଟ ଚାଷ ଓଡ଼ିଶା ସମେତ ସମଗ୍ର ଦେଶରେ ହ୍ରାସ ପାଇବାରେ ଲାଗିଛି। କିନ୍ତୁ କୃଷି ବିଭାଗ ଅନୁସାରେ, ୬୦ ଦଶକରେ ରାଜ୍ୟରେ ୬୦ ହଜାର ହେକ୍ଟର ଜମିରେ ଝୋଟ ଚାଷ ହେଉଥିଲା।
୧୯୭୧ ମସିହାରେ ୫୧ ହଜାର, ୧୯୮୩ ମସିହାରେ ୫୫ ହଜାର ହେକ୍ଟର, ୧୯୯୩ ମସିହାରେ ୧୫ ହଜାର ହେକ୍ଟର ରହିଥିଲା। ଏବେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମାତ୍ର ୫ ହଜାର ହେକ୍ଚର ଜମିରେ ଏହି ଚାଷ ହେଉଛି। ୧ ହେକ୍ଟର ହିସାବରେ ୨୨ କ୍ବିଣ୍ଟାଲ ହିସାବରେ ରାଜ୍ୟରେ ଝୋଟର ସମୁଦାୟ ଉତ୍ପାଦନ ୧ ଲକ୍ଷ ୧୦ ହଜାର କ୍ବିଣ୍ଟାଲ। କୃଷି ବିଭାଗ ଅନୁସାରେ ଅତି କଷ୍ଟକର ଥିବାରୁ ମୁଖ୍ୟତଃ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଚାଷ କରନ୍ତି। ୧ ହେକ୍ଟର ହିସାବରେ ୧ ଲକ୍ଷ ଟଙ୍କା ଅର୍ଥାତ ୧ କ୍ବିଣ୍ଟାଲ ପାଇଁ ଝୋଟ ଚାଷୀଙ୍କୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ ଓଡ଼ିଶାରେ ଯେଉଁ ଗ୍ରେଡର ଝୋଟ ଉତ୍ପାଦନ ହୁଏ ତାର ଏମ୍ଏସ୍ପି ୪୭୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଫସିଆଇ ପକ୍ଷରୁ ସିଧାସଳଖ ଏହାର କ୍ରୟ କରାଯାଉଥିଲେ ମଧ୍ୟ ଚାଷୀ ପାଇଁ ଲାଭଜନକ ହୋଇପାରେ ନାହିଁ। ଚଳିତ ବର୍ଷ ୨୦ ହଜାର କ୍ବିଣ୍ଟାଲ ଝୋଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ବର୍ତ୍ତମାନ ସୁଦ୍ଧ ୧୦ ହଜାର କ୍ବିଣ୍ଟାଲ ବିକ୍ରି ସରିଛି। ଝୋଟ ଚାଷ ହ୍ରାସର ଆଉ ଏକ କାରଣ ହେଲା, ଜଳବାୟୁ ପରିବର୍ତ୍ତନ। ଖରାଟିଆ ବର୍ଷା ଅର୍ଥାତ ଜୁନ ମାସର ବର୍ଷା ଯୋଗୁଁ ଏହା ମୁଖ୍ୟତଃ ନିର୍ଭର କରେ। ଏହା ହେଉନଥିବାରୁ ଫସଲ ମଧ୍ୟ ପ୍ରଭାବିତ ହେଉଛି। କୃଷି ଅଧିକାରୀ ତରୁଣ ବେହେରାଙ୍କ ଅନୁସାରେ, ଝୋଟ ଏକମାତ୍ର ଫସଲ ଯାହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସକୁ ଶୋଷିଥାଏ ଏବଂ ମୂଲ୍ୟବାନ ଖତ ସାର ସୃଷ୍ଟି କରିବାରେ ସହାୟକ ହୁଏ। ଏହି ଫସଲ ଦ୍ବାରା ଜମି ଉର୍ବର ମଧ୍ୟ ହୁଏ। ଫଳରେ ସମାନ ଜମିରେ ଚାଷ କଲେ ଅଧିକ ସାରର ଆବଶ୍ୟକ ହୁଏ ନାହିଁ। ଖାଦ୍ୟ ଦ୍ରବ୍ୟ ଗୁଡ଼ିକ ପ୍ଲାଷ୍ଟିକ ବସ୍ତାରେ ଆସିଲେ ପ୍ଲାଷ୍ଟିକ ତା ସହିତ ମିଶି ଯାଇ ସ୍ବାସ୍ଥ୍ୟ ପାଇଁ କ୍ଷତି କରେ। କିନ୍ତୁ ଝୋଟ କ୍ଷେତ୍ରରେ ତାହା ହୁଏ ନାହିଁ। ତେଣୁ ଝୋଟ ବସ୍ତାରେ ପ୍ୟାକେଜିଂକୁ ସମସ୍ତେ ବହୁଳ ବ୍ୟବହାର କରିବା ଉଚିତ।