ଓଡ଼ିଶାରେ ନାଇପର୍‌ କେବେ?

ପ୍ରତିଶ୍ରୁତିରେ ରହିଯାଇଛି ପ୍ରସଙ୍ଗ, ଫାର୍ମାସି କ୍ଷେତ୍ର ପ୍ରତି କେନ୍ଦ୍ର ଓ ରାଜ୍ୟର ଉଦାସୀନତା

ଭୁବନେଶ୍ୱର : ଫାର୍ମାସି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରତିଷ୍ଠିତ ଅନୁଷ୍ଠାନ ‘ନ୍ୟାସ୍‌ନାଲ୍‌ ଫାର୍ମାସ୍ୟୁଟିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ’(ନାଇପର୍‌) ଓଡ଼ିଶାରେ ପ୍ରତିଷ୍ଠା ହେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି। କେନ୍ଦ୍ରରୁ ଏ ନେଇ ପ୍ରତିଶ୍ରୁତି ମିଳିଥିଲେ ବି ପ୍ରକ୍ରିୟା ଆଦୌ ଆଗେଇ ପାରି ନାହିଁ। ରାଜ୍ୟ ସରକାର ବି ଚିଠି ଲେଖି ଦାୟିତ୍ୱ ସାରିଦେଇଛନ୍ତି। ଫାର୍ମାସି ସଂଗଠନ ପକ୍ଷରୁ ଏ ନେଇ କେନ୍ଦ୍ରରେ ବିଭିନ୍ନ ସମୟରେ ଦାବି କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ।

କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ଦ୍ୱାରା ନାଇପର୍‌ ପରିଚାଳିତ ହେଉଛି। ଦେଶର ୧୧ଟି ସ୍ଥାନରେ ଏହି ଅନୁଷ୍ଠାନ ରହିଛି। ଓଡ଼ିଶାରେ ଫାର୍ମାସି କ୍ଷେତ୍ର ଦୁର୍ବଳ ଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଅନୁଷ୍ଠାନ ପ୍ରତିଷ୍ଠା ନେଇ ଗତ କିଛି ବର୍ଷ ହେଲାଣି ଉଦ୍ୟମ ଆରମ୍ଭ ହୋଇଛି। ଏଥି ପାଇଁ ସଂଗଠନର କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ୨୦୧୬ ମସିହାରେ ନାଇପର୍‌ର ଆବଶ୍ୟକତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ସଂଗଠନର କର୍ମକର୍ତ୍ତାମାନେ ଭେଟି ଅବଗତ କରାଇଥିଲେ। ଏହା ପରେ ୨୦୧୬ ଏପ୍ରିଲ୍‌ରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ନାଇପର୍‌ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ତେବେ ବିଶାଖାପାଟଣା, ନଗପୁର, ଝଲଓ୍ଵାର, ଛତିଶଗଡ଼ ଓ ତ୍ରିଭେନ୍ଦ୍ରମ୍‌ରେ ନୂଆ ନାଇପର୍‌ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ ବି ସେଥିରେ ଓଡ଼ିଶା ସ୍ଥାନ ପାଇ ନାହିଁ।

ନିକଟରେ ଓଡ଼ିଶା ଫାର୍ମାସି ଇଣ୍ଟେଲେକ୍‌ଚୁଆଲ୍‌ ଫୋରମ୍‌ ପକ୍ଷରୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖାଯାଇ ଏହି ଦାବି ଦୋହରାଯାଇଛି। ନାଇପର୍‌ ପାଇଁ ଓଡ଼ିଶା ସରକାର ସମସ୍ତ ଭିତ୍ତିଭୂମି ସହାୟତା ଯୋଗାଇଦେବାକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ର ସରକାର ଏହାକୁ ବିଚାର କରିବା ପାଇଁ ନିବେଦନ କରାଯାଇଛି।

କେନ୍ଦ୍ର ସରକାର ନାଇପର୍‌ ଦାବି ଶୁଣୁ ନ ଥିଲା ବେଳେ ରାଜ୍ୟ ସରକାରଙ୍କ ଅବହେଳା ବି କିଛି କମ୍‌ ନାହିଁ। ଆମ ରାଜ୍ୟରେ ଏବେ ୪୦ଟି ଫାର୍ମାସି କଲେଜ ଅଛି। ତାହା ମଧ୍ୟରୁ ଦୁଇଟି ସରକାରୀ ଡିପ୍ଲୋମା ଫାର୍ମାସି କଲେଜ ଓ ଦୁଇଟି ସେଲ୍‌ଫ୍‌ ଫାଇନାନ୍ସିଂ ପାଠ୍ୟକ୍ରମ (ଉତ୍କଳ ଓ ବ୍ରହ୍ମପୁର) ଅଛି। ରାଜ୍ୟରେ କୌଣସି ସରକାରୀ ବି ଫାର୍ମ ଓ ଏମ୍‌ ଫାର୍ମ କଲେଜ ନାହିଁ। ଏସ୍‌ସିବି ମେଡିକାଲ କଲେଜରେ ସରକାରୀ ବି ଫାର୍ମା କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜ୍ୟ ସରକାର ଉଦ୍ୟମ କରୁ ନାହାନ୍ତି। ଓଡ଼ିଶାରେ ନାଇପର୍‌ ପ୍ରତିଷ୍ଠା ସହ ଫାର୍ମାସି କ୍ୟାଡର୍‌ ଗଠନ, ଫାର୍ମାସି ନିର୍ଦ୍ଦେଶାଳୟ ସ୍ଥାପନ, ନ୍ୟାସ୍‌ନାଲ୍‌ ଫାର୍ମାସ୍ୟୁଟିକାଲ ପ୍ରାକ୍ଟିସ୍‌ ରେଗୁଲେସନ୍‌-୨୦୧୫କୁ ଲାଗୁ କରିବା ସହ ଫାର୍ମାସି ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଫାର୍ମାସି ଇଣ୍ଟେଲେକ୍‌ଚୁଆଲ୍‌ ଫୋରମ୍‌ ପକ୍ଷରୁ ସମ୍ପାଦକ ରଜତ କୁମାର କର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର